
ଝାରସୁଗୁଡା, ୧୯ ମଇ (ହି.ସ.)- ଯାତ୍ରୀମାନଙ୍କ ସୁରକ୍ଷା ଓ ବିଶ୍ୱାସନୀୟତାକୁ ବଢ଼ାଇବା ପାଇଁ ଝାରସୁଗୁଡ଼ା ପୋଲିସ ପକ୍ଷରୁ ଏକ ଅଭିନବ ପ୍ରୟାସ କରାଯାଇଛି। ଅପରେସନ୍ ନେତ୍ର ଅଧୀନରେ ଜିଲ୍ଲାରେ ସ୍ମାର୍ଟ ଅଟୋ ଟ୍ରାକିଂ ସିଷ୍ଟମର ଶୁଭାରମ୍ଭ ମଙ୍ଗଳବାର ଅପରାହ୍ନ ହୋଇଯାଇଛି। ଶିଳ୍ପାଞ୍ଚଳ ଭାବେ ପରିଚିତ ଝାରସୁଗୁଡ଼ାରେ ପ୍ରତିଦିନ ହଜାର ହଜାର ଲୋକ ଅଟୋ ଉପରେ ନିର୍ଭର କରୁଥିବାରୁ, ସେମାନଙ୍କ ଯାତ୍ରାକୁ ଅଧିକ ସୁରକ୍ଷିତ ଏବଂପ୍ରଯୁକ୍ତିବିଦ୍ୟା-ଭିତ୍ତିକ କରିବା ଏହି ଯୋଜନାର ମୂଳ ଲକ୍ଷ୍ୟ ଅଟେ | ଏହି ସିଷ୍ଟମରେ ସମସ୍ତ ପଞ୍ଜୀକୃତ ଅଟୋର ଆଗ ଓ ପଛ ପାର୍ଶ୍ୱରେ ସ୍ୱତନ୍ତ୍ର କ୍ୱିଉଆର କୋଡ଼ ଲଗାଯାଉଛି, ଯାହାକୁ ସହଜରେ ଦେଖିହେବ। ଏହା ସହିତ ଅଟୋ ଭିତରେ ଏକ ଏ୪ ସାଇଜ କାଗଜରେ ଚାଳକ ଏବଂ ମାଲିକଙ୍କ ନାମ, ଠିକଣା, ମୋବାଇଲ୍ ନମ୍ବର, ଡ୍ରାଇଭିଂ ଲାଇସେନ୍ସ ଏବଂ ଗାଡ଼ିର ସମ୍ପୂର୍ଣ୍ଣ ବିବରଣୀ ଲଗାଯିବ। ଯାତ୍ରୀମାନେ କ୍ୱିଉଆର କୋଡ୍ ସ୍କାନ୍ କରି ପୋଲିସକୁ ଲାଇଭ୍ ଟ୍ରାକିଂ ଅନୁରୋଧ ପଠାଇପାରିବେ ଏବଂ ନିଜ ଯାତ୍ରାର ବିବରଣୀ ସେୟାର କରିପାରିବେ। ଏହାଛଡ଼ା ଦୁର୍ବ୍ୟବହାର, ଅଧିକ ଭଡ଼ା ଆଦାୟ, ବେପରୁଆ ଗାଡ଼ି ଚାଳନା କିମ୍ବା ଜିନିଷପତ୍ର ହରାଇବା ନେଇ ତୁରନ୍ତ ଅଭିଯୋଗ ମଧ୍ୟ କରିପାରିବେ। ଏହି ବ୍ୟବସ୍ଥା ଦ୍ୱାରା ଯାତ୍ରୀମାନଙ୍କୁ ତୁରନ୍ତ ପୋଲିସ ସହାୟତା ମିଳିବା ସହ ଅଟୋ ଚାଳକମାନଙ୍କ ପ୍ରତି ଜନସାଧାରଣଙ୍କ ବିଶ୍ୱାସ ବୃଦ୍ଧି ପାଇବ। ଏହି ଜନକଲ୍ୟାଣକାରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିବାରୁ ଝାରସୁଗୁଡ଼ା ପୋଲିସ ପକ୍ଷରୁ ବେଦାନ୍ତ ଲିମିଟେଡ୍ କୁ ଧନ୍ୟବାଦ ଜ୍ଞାପନ କରାଯାଇଛି।
ଝାରସୁଗୁଡା ଏସପି ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ରଙ୍କ ତତ୍ଵାବଧାନରେ ଚାଲିଥିବା ଏହି କାର୍ଯ୍ୟକ୍ରମରେ ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ, ଝାରସୁଗୁଡା ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ୱାଣଙ୍କ ସହିତ ଜିଲ୍ଲାର ବହୁ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ |
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ