
ଜୟପୁର, ୧୯ ମେ (ହି.ସ.) - ଜୟପୁର ଗାନ୍ଧୀଛକ ଠାରୁ କେନାଲ ଯିବା ରାସ୍ତାରେ ଏକ ମହିଳାଙ୍କ ଠାରୁ ଲୁଟ କରିଥିବା ମାମଲାରେ ଆଜି ଟାଉନପୁଲିସ ୩ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଅଭିଯୁକ୍ତ ୩ଜଣ ହେଲେ ବାପୁଜୀ ନଗର ଅଂଚଳର ପୂର୍ଣ୍ଣ ଖରା, ସନ୍ତୋଷ ବେନିଆ, କୋସିଲୋ ଖରା। ପୁଲିସ ସୂଚନା ଅନୁଯାୟୀ ଗତ୮ ତାରିଖରେ ବିକାଶ କଲେଜର ଅଧ୍ୟାପକ ଓ ଅଧ୍ୟାପିକା ଦୁଇଜଣ ଯିବା ସମୟରେ କେନାଲ ରୋଡରେ ହଠାତ ୪ଜଣ ଯୁବକ ଗାଡିକୁ ଅଟକାଇ ୧୦ ହଜାର ଟଙ୍କା ମାଗିଥିଲେ। ଅଧ୍ୟାପକ ଜଣକ ଫୋନ ପେ କରିଦେବି ବୋଲି କହିବା ପରେ ଅଭିଯୁକ୍ତ ମାନେ ମନା କରି ସେମାନଙ୍କୁ ନଗଦ ଟଙ୍କା ଦେବା ପାଇଁ କହିଥିଲେ। ନିକଟସ୍ଥ ପେଟ୍ରୋଲ ପମ୍ପରୁ ଅଧ୍ୟାପକ ଜଣକ ଟଙ୍କା ଆଣିବା ଭିତରେ ୪ଜଣ ଅଭିଯୁକ୍ତ ଅଧ୍ୟାପିକାଙ୍କୁ ଗାଳିଗୁଲଜ କରିବା ସହ ଟଙ୍କା ଲୁଟି ନେଇଥିଲେ। ଏନେଇ ଟାଉନଥାନାରେ ଏକ ମାମଲା ରୁଜୁ ହୋଇଥିଲା। ଆଜି ଟାଉନ ପୁଲିସ ଏହି ମାମଲାର ୩ଜଣ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଥିବା ବେଳେ ଅନ୍ୟ ଏକ ଅଭିଯୁକ୍ତ ଫେରାର ରହିଛି ବୋଲି ଟାଉନଥାନା ଅଧିକାରୀ ଉଲ୍ଲାସ ରାଉତ ପ୍ରକାଶ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପିକେପି