
ଭବାନୀପାଟଣା/ମୁଖୀଗୁଡା, ୧୯ ମଇ (ହି.ସ.)- ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ପୂର୍ତ ବିଭାଗ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଡିଭିଜନ୍ ର ସହକାରୀ ନିର୍ବାହୀ ଯନ୍ତ୍ରୀ ଭୁବନେଶ୍ୱର ଶବରଙ୍କ ଭବାନୀପାଟଣା ସ୍ଥିତ ସରକାରୀ ବାସଭବନ ସମେତ ଏକକାଳୀନ ୬ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇଛି । ସେସବୁ ସ୍ଥାନ ମଧ୍ୟରେ ରହିଛି କୋକସରା କୁସୁମଖୁଂଟିରେ ଥିବା ପୈତୃକ ଘର, ଭବାନୀପାଟଣା ଗୋସାଣୀମୁଣ୍ଡା ସ୍ଥିତ ବାସଭବନ, କିଟ୍ ପଦର୍ ସ୍ଥିତ ଫାର୍ମ ହାଉସ ଏବଂ ଭବାନୀପାଟଣା ଓ ଧର୍ମଗଡ଼ ସ୍ଥିତ ତାଙ୍କ କାର୍ଯ୍ୟାଳୟ । ସହକାରୀ ନିର୍ବାହୀ ଯନ୍ତ୍ରୀ ଭୁବନେଶ୍ୱର ଶବର ଧର୍ମଗଡ଼ ସହିତ ଭବାନୀପାଟଣା ଡିଭିଜନ୍ ର ଅତିରିକ୍ତ ଦାୟିତ୍ଵରେ ଥିଲେ । ଆଜି ସକାଳ ୬ଟା ରୁ ଏହି ଚଢ଼ଉ ଆରମ୍ଭ ହୋଇଛି । ଚଢ଼ଉରେ ଭିଜିଲାନ୍ସର କଳାହାଣ୍ଡି, କୋରାପୁଟ ଓ କଟକ ୟୁନିଟ୍ ର ଅଧିକାରୀମାନେ ସାମିଲ୍ ଅଛନ୍ତି । ଚଢ଼ଉ ଜାରି ରହିଥିବାରୁ ଏନେଇ ସବିଶେଷ ତଥ୍ୟ ମିଳିପାରିନାହିଁ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ