
ବଲାଙ୍ଗିର, ୧୯ ମଇ (ହି.ସ.)- ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ କୁଟାସିଂହା ଅଂଚଳରୁ ଉଭୟ ବଲାଙ୍ଗୀର - ସୁବର୍ଣ୍ଣପୁର ଜିଲ୍ଲାକୁ ଗମନାଗମନରେ ଯୋଡିବାକୁ କୁଟାସିଂହା -କପାଶିରା ମଧ୍ୟରେ ପ୍ରବାହିତ ଅଙ୍ଗନଦୀ ଉପରେ ଏକ ସୁ ଉଚ୍ଚ ସେତୁ ନିର୍ମାଣ କାମ ୨୦୧୯ ରେ ଆରମ୍ଭ ହୋଇଥିଲା | ରାଜ୍ୟ ସରକାରଙ୍କ ରାସ୍ତା ଓ ଗୃହ ନିର୍ମାଣ ବିଭାଗ ପକ୍ଷରୁ ନିର୍ମାଣକାରି ସଂସ୍ଥା ଆଶୀର୍ବାଦ କନଷ୍ଟ୍ରକସନ ନିର୍ମାଣ କାମ କରୁଥିଲା ଏବଂ ୩-୩-୨୦୨୪ରେ କାର୍ଯ୍ୟ ଶେଷ କରିବାକୁ ସୂଚନା ଫଳକରେ ଉଲ୍ଲେଖ ରହିଥିଲା | ହେଲେ ୬ ମାସ ପୂର୍ଵରୁ ଗତ ୨୦୨୩ ଅଗଷ୍ଟ ମାସରୁ ସମ୍ପୃକ୍ତ ଠିକାଦାର ନିର୍ମାଣ କାମ ଅସମ୍ପୂର୍ଣ କରି କୌଣସି କାରଣରୁ ଛୁ ମାରିଛି | ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ | ଏନେଇ ଠିକାଦାରଙ୍କ ସହ ଯୋଗାଯୋଗ କରାଯିବାରୁ ତାଙ୍କ ଫୋନ ଲାଗୁନାହିଁ |
ଏଠାରେ ସୂଚନାଯୋଗ୍ୟ, ବଲାଙ୍ଗୀର ଜିଲ୍ଲାର ଉପାନ୍ତ ଅଞ୍ଚଳ ହୋଇଥିବାରୁ ଜିଲ୍ଲା ପ୍ରଶାସନ, ବିଭାଗୀୟ କର୍ତ୍ତୃପକ୍ଷ ଓ ନିର୍ବାଚିତ ଲୋକ ପ୍ରତିନିଧି ଦୃଷ୍ଟି ଦେଉ ନଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। ନଦୀ ଉପରେ ସେତୁ କାମ ପ୍ରାୟ ସରି ଯାଇଥିଲେ ହେଁ ସେତୁ ସଂଲଗ୍ନ ଉଭୟ ପାର୍ଶ୍ଵ ରାସ୍ତା କାମ ବାକି ରହିଛି | ଏନେଇ ବିଭିନ୍ନ ଖବର କାଗଜରେ ଖବର ମଧ୍ୟ ପ୍ରକାଶିତ ହୋଇଛି | ଏହି ବ୍ରିଜ ସମ୍ପୂର୍ଣ୍ଣ ହେଲେ ବଲାଙ୍ଗୀର ସୋନପୁର ଜିଲ୍ଲାର ଜନସାଧାରଣ ଉପକୃତ ହେବେ । ବିଶେଷ କରି ସଲେଭଟା, ପଟୁଆପାଲି, ଜୋଗିସର୍ଡା, ବାଦିବା ହାଲ, ମୂର୍ସୁନ୍ଧି, କପଶିରା, ଜୁଲୁଣ୍ଡା, ଲଛିପୂର୍, ଦିଗ୍ସିରା ଗ୍ରାମ ପଞ୍ଚାୟତ ଏବଂ ଆଗଲପୁର ବ୍ଲକ୍, ଲୋଇସିଂହା ବ୍ଲକ, ସୋନେପୁର ବ୍ଲକ୍, ବିନିକା ବ୍ଲକ୍, ଡୁଙ୍ଗୁରିପାଲି ବ୍ଲକ୍ ବଲାଙ୍ଗୀର ଓ ସୋନପୁର ବ୍ଲକ୍ କୁ ସିଧାସଳଖ ଭାବେ ସ୍ଥାନୀୟ ଲୋକଙ୍କ ଗମନାଗମନରେ ସୁବିଧା ହେବ। ଏ ଅଞ୍ଚଳର ଜଣସାଧାରଣ, ବୁଦ୍ଧିଜୀବୀଙ୍କ କହିବା ଅନୁସାରେ, ଏନେଇ ବହୁବାର ସ୍ଥାନୀୟ ଜନପ୍ରତିନିଧି, ଲୋଇଶିଂହା ବିଧାୟକ, ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରୁନାହିଁ | ଏଇ କିଛି ଦିନ ପରେ କାମ ଆରମ୍ଭ ହୋଇଯିବ ବୋଲି କହି ଭୁଆଁ ବୁଲାଉଛନ୍ତି | ଫଳରେ ଲୋକଙ୍କ ମଧ୍ୟରେ ଦିନକୁ ଦିନ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି | ବର୍ତ୍ତମାନ ସୁଦ୍ଧା ୱାର୍କ ବିଭାଗ ତରଫରୁ ଟେଣ୍ଡର ପ୍ରକ୍ରିୟା ପାଇଁ ଡିପିଆର ମଧ୍ୟ ହୋଇନାହିଁ। ଅଧୁରା ରହିଯିବ କି ଅଙ୍ଗନଦୀ ସେତୁ ବୋଲି ଲୋକଙ୍କ ମଧ୍ୟରେ ଆଶଙ୍କା ରହିଛି | ଏଥିପ୍ରତି ଜିଲ୍ଲା ପ୍ରଶାସନ, ଜିଲ୍ଲାପାଳ, ବିଭାଗୀୟ ଅଧିକାରୀ ଦୃଷ୍ଟିଦେଇ ସେତୁ ସମ୍ପୂର୍ଣ କରିବାକୁ ଅଂଚଳବାସୀ ଦାବୀ କରିଛନ୍ତି |
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ