
କୋଲକାତା, ୧୯ ମଇ (ହି.ସ.)- କୋଲକାତା ପୋଲିସର ସ୍ୱତନ୍ତ୍ର ଟାସ୍କ ଫୋର୍ସ (ଏସ୍. ଟି. ଏଫ୍.) ବିହାର ପୋଲିସର ସହଯୋଗରେ ପୁର୍ଣ୍ଣିଆ ଜିଲ୍ଲାରେ ଚାଲୁଥିବା ଏକ ବେଆଇନ ମିନି ବନ୍ଧୁକ କାରଖାନାର ପର୍ଦ୍ଦାଫାସ କରିଛି । ମଙ୍ଗଳବାର ଅପରାହ୍ନରେ ଏସ୍. ଟି. ଏଫ୍. ଦ୍ୱାରା ଜାରି ଏକ ବିବୃତିରେ କୁହାଯାଇଛି ଯେ, ଏକ ଗୁପ୍ତ ସୂଚନା ଆଧାରରେ ମଇ୧୮ ତାରିଖ ସନ୍ଧ୍ୟାରେ ଏହି ଅପରେସନ କରାଯାଇଥିଲା ।
ଏସ୍.ଟି.ଏଫ୍. କୋଲକାତା ପୋଲିସ୍, ଏସ୍. ଟି. ଏଫ୍. ବିହାର ଏବଂ ଦମଦାହା ପୋଲିସର ଏକ ମିଳିତ ଦଳ ପୂର୍ଣ୍ଣିୟା ଜିଲ୍ଲାର ହରିପୁର ଗ୍ରାମରେ ମିଥୁ କୁମାର ଏବଂ ଗବ୍ୱର ରାୟଙ୍କ ଘରେ ଚଢ଼ଉ କରିଥିଲେ । ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ତଳ ମହଲାରେ ଏକ କାଗଜ ପ୍ଲେଟ ଉତ୍ପାଦନ କାରଖାନାର ନାମରେ ଭୂତଳ ଗୁପ୍ତ ପ୍ରକୋଷ୍ଠ ସୃଷ୍ଟି କରି ବେଆଇନ ଅସ୍ତ୍ରଶସ୍ତ୍ର ନିର୍ମାଣ କାର୍ଯ୍ୟ କରାଯାଉଥିଲା । ପୋଲିସର କହିବା ଅନୁଯାୟୀ, ଏହି ଭୂତଳ ପ୍ରକୋଷ୍ଠକୁ ସ୍ୱତନ୍ତ୍ର ଭାବରେ ଏପରି ଡିଜାଇନ୍ କରାଯାଇଥିଲା ଯାହାଦ୍ୱାରା ଅସ୍ତ୍ରଶସ୍ତ୍ର ନିର୍ମାଣ ସମୟରେ ଶବ୍ଦ ବାହାରକୁ ଆସିବାକୁ ରୋକାଯାଇପାରିବ ।
ଏହି ମାମଲାରେ ପୋଲିସ ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ବ୍ୟକ୍ତିମାନେ ହେଲେ ମିଥୁ କୁମାର, ଗବ୍ୱର ରାୟ, ମହମ୍ମଦ ଅନୱର ଖାନ ଏବଂ ମହମ୍ମଦ ଆଫତାବ ଆଲମ ଓରଫ ଲାଦନ । ପରେ, ସମଗ୍ର ଗ୍ୟାଙ୍ଗର ମୁଖ୍ୟ କିଙ୍ଗ୍ ପିନ୍ ସୁରଜ କୁମାରକୁ ମଧ୍ୟ ବିହାରର ମୁଙ୍ଗେର ଜିଲ୍ଲାରୁ ଗିରଫ କରାଯାଇଥିଲା ।
ପୋଲିସ କାରଖାନାରୁ ପାଂଚଟି ଅର୍ଦ୍ଧନିର୍ମିତ ପିସ୍ତଲ, ପାଂଚଟି ପିସ୍ତଲ ବଡି, ଚାରୋଟି ପିସ୍ତଲ ବଟ୍, ଗୋଟିଏ ଲେଥ୍ ମେସିନ୍, ଗୋଟିଏ ମିଲିଂ ମେସିନ୍, ଗୋଟିଏ ଡ୍ରିଲିଂ ମେସିନ୍ ଏବଂ ଗୋଟିଏ ଗ୍ରାଇଣ୍ଡିଂ ଏବଂ ପଲିସିଂ ମେସିନ୍ ଜବତ କରିଛି । ଏହା ବ୍ୟତୀତ ବିପୁଳ ପରିମାଣର କଂଚାମାଲ ଏବଂ ବେଆଇନ ଅସ୍ତ୍ରଶସ୍ତ୍ର ଉତ୍ପାଦନ ଉପକରଣ ମଧ୍ୟ ଜବତ କରାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ