
ଭୁବନ, ୨୦ ମଇ (ହି.ସ.)- ଢେଙ୍କାନାଳ ଜିଲ୍ଲା ଭୁବନ ଅବକାରୀ ବିଭାଗ ବୁଧବାର ୩୪ ଲିଟର ଦେଶୀ ମଦ ଜବତ କରିବା ସହ ଘଟଣାରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ସୂଚନା ମିଳିଛି। ଭୁବନ ଥାନା ଅନ୍ତର୍ଗତ ଶୁଣ୍ଢି କାଟେଣୀ ଓ କୀର୍ତ୍ତନପୁର ଅଞ୍ଚଳରେ ଚୋରା ଦେଶୀ ମଦ କାରବାର ହେଉଥିବା ଖବର ପାଇ ଅବକାରୀ ନିରୀକ୍ଷକ ବୁଲୁ ପାତ୍ର ବୁଧବାର ସକାଳେ ସଦଳବଳେ ପାଟ୍ରୋଲିଂରେ ଯାଇଥିଲେ । ଶୁଣ୍ଢି କାଟେଣୀ ଗ୍ରାମର ସଫା ବେହେରାଙ୍କ ଠାରୁ ୧୬ ଲିଟର ଓ କୀର୍ତ୍ତନପୁର ଗ୍ରାମର ରବି ନାରାୟଣ ଧୀରଙ୍କ ଠାରୁ ୧୮ ଲିଟର ( ସମୁଦାୟ ୩୪ ଲିଟର) ଦେଶୀ ମଦ ଜବତ କରାଯାଇ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା ।
ଭୁବନ ଅବକାରୀ ଇନ୍ସପେକ୍ଟର ବୁଲୁ ପାତ୍ରଙ୍କ ତତ୍ତ୍ଵାବଧାନରେ କନଷ୍ଟେବଳ ଶ୍ରଦ୍ଧାଞ୍ଜଳି ସାମଲ, ସୁଜିତ ନାୟକ, ଆଲୋକ କୁମାର ଜେନା ସହଯୋଗ କରିଥିଲେ । ଏ ସମ୍ପର୍କରେ କେଶ୍ ନଂ ୨୮/୨୦୨୬-୨୭ ଓ ୨୯/୨୦୨୬ ରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ଦ୍ୱୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ବିଭାଗ ପକ୍ଷରୁ ଜଣାପଡ଼ିଛି।
ହିନ୍ଦୁସ୍ଥାନ ସମାଚାର / ସୁଶାନ୍ତ