
ଝାରସୁଗୁଡ଼ା, ୨୦ ମଇ (ହି.ସ.)- ଝାରସୁଗୁଡ଼ା ବ୍ଲକ ଅନ୍ତର୍ଗତ ମରାକୁଟାସ୍ଥିତ ଓଡ଼ିଶା ମେଟାଲିକ୍ସ ପ୍ରାଇଭେଟ୍ ଲିମିଟେଡ୍ ବିରୋଧରେ ବେଆଇନ ଜଳ ଶୋଷଣ, ନଦୀ ପ୍ରଦୂଷଣ ଓ ଜଙ୍ଗଲ ଜମି ଜବରଦଖଲ ଅଭିଯୋଗ ଉଠାଇ ମଙ୍ଗଳବାର ଶତାଧିକ ମହିଳା ଓ ଗ୍ରାମବାସୀ ଝାରସୁଗୁଡ଼ା ଜିଲ୍ଲାପାଳଙ୍କ ନିକଟରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଜମେରା, ଇବ୍, ମରାକୁଟା, ବୁଢ଼ୀପଦର ସହ ବ୍ରଜରାଜନଗର ପୌରାଞ୍ଚଳର ବିଭିନ୍ନ ଅଞ୍ଚଳର ଲୋକେ ଏହି ପ୍ରତିବାଦରେ ସାମିଲ ହୋଇଥିଲେ।
ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, କମ୍ପାନୀ ପକ୍ଷରୁ ଗ୍ରୀଷ୍ମ ଋତୁରେ ଇବ ନଦୀରୁ ବାଣିଜ୍ୟିକ ଉଦ୍ଦେଶ୍ୟରେ ପାଣି ଉଠାଇବାକୁ କୌଣସି ଅନୁମତି ନଥିବା ସତ୍ତ୍ୱେ ବେଆଇନ ଭାବେ ପାଇପ ଲାଇନ୍ ଯୋଗେ ପ୍ରଚୁର ପରିମାଣରେ ଜଳ ଉତ୍ତୋଳନ କରାଯାଉଛି। ଏହାର ପ୍ରଭାବରେ ଜମେରା, ଇବ୍, ମରାକୁଟା, ବୁଢ଼ୀପଦର ଏବଂ ନଦୀ ସେପାରିର ରେମଜା, ତେଲେନପାଲି, ଇଟାଭଟା ଓ ଗୋଣ୍ଡଘୋରା ଆଦି ଗ୍ରାମରେ ଭୟଙ୍କର ଜଳ ସଙ୍କଟ ଦେଖାଦେଇଛି। ଅଞ୍ଚଳବାସୀ ଆହୁରି ଅଭିଯୋଗ କରିଛନ୍ତି ଯେ, କମ୍ପାନୀ ଅନୁମତି ଠାରୁ ଅଧିକ ଗଭୀର ନଳକୂପ ଖୋଦନ କରି ଭୂତଳ ଜଳ ଶୋଷଣ କରୁଥିବାରୁ ସ୍ଥାନୀୟ ଅଞ୍ଚଳର ସାଧାରଣ ନଳକୂପଗୁଡ଼ିକ ଅଚଳ ହୋଇପଡ଼ିଛି। ପ୍ରାୟ ୪୦ରୁ ଅଧିକ ଗ୍ରାମର ଲୋକେ ପାନୀୟ ଜଳ ଓ ଜଳସେଚନ ପାଇଁ ଇବ୍ ନଦୀ ଉପରେ ନିର୍ଭର କରୁଥିବା ବେଳେ କମ୍ପାନୀର ଦୂଷିତ ବର୍ଜ୍ୟଜଳ ଜମେରା ନାଳ ମାଧ୍ୟମରେ ନଦୀକୁ ଛଡ଼ାଯାଉଥିବାରୁ ନଦୀଜଳ ପ୍ରଦୂଷିତ ହେଉଥିବା ସେମାନେ ଦର୍ଶାଇଛନ୍ତି। ଏହା ସହ କମ୍ପାନୀ ପ୍ରାୟ ୧୦.୪୯ ଏକର ଗ୍ରାମ୍ୟ ଜଙ୍ଗଲ ଜମିକୁ ବେଆଇନ ଭାବେ ଦଖଲ କରିଥିବା ଅଭିଯୋଗ ମଧ୍ୟ ହୋଇଛି। ଏନେଇ ଝାରସୁଗୁଡ଼ା ତହସିଲଦାର ସଦାକର କୁମ୍ଭାର ପୂର୍ବରୁ ଜମି ମୁକ୍ତ କରିବାକୁ ନୋଟିସ ଜାରି କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ହୋଇନଥିବା ଗ୍ରାମବାସୀ କହିଛନ୍ତି। ଏହା ଜଳ ଆଇନ-୧୯୭୪, ପରିବେଶ ସୁରକ୍ଷା ଆଇନ-୧୯୮୬ ଓ ଜଙ୍ଗଲ ଅଧିକାର ଆଇନ-୨୦୦୬ର ଉଲ୍ଲଂଘନ ବୋଲି ସେମାନେ ଦାବି କରିଛନ୍ତି। ଗତ ୧୩ ମଇ ଠାରୁ ଅଞ୍ଚଳବାସୀ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଜାରି ରଖିଥିବା ବେଳେ ମଙ୍ଗଳବାର ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ୱାଣଙ୍କ ଉଦ୍ଦେଶ୍ୟରେ ୪ ଦଫା ଦାବିପତ୍ର ଦାଖଲ କରାଯାଇଛି। ସେଥିରେ ଇବ୍ ନଦୀରୁ ବେଆଇନ ପାଣି ଉଠାଣ ବନ୍ଦ, ଭୂତଳ ଜଳ ଶୋଷଣ ରୋକ, ଜମେରା ନାଳରେ ଦୂଷିତ ଜଳ ନିଷ୍କାସନ ବନ୍ଦ ଓ ଜବରଦଖଲ ଜଙ୍ଗଲ ଜମି ତୁରନ୍ତ ମୁକ୍ତ କରିବା ଦାବି ରହିଛି। ଆସନ୍ତା ୨୪ ମଇ ସୁଦ୍ଧା ପ୍ରଶାସନ ପକ୍ଷରୁ ଦୃଢ଼ ପଦକ୍ଷେପ ନ ନିଆଗଲେ ୨୫ ମଇରେ ତହସିଲଦାରଙ୍କ ବିରୋଧରେ ମହାମହିମ ରାଷ୍ଟ୍ରପତି ଓ ଜାତୀୟ ମାନବାଧିକାର କମିଶନଙ୍କୁ ସ୍ମାରକପତ୍ର ପ୍ରଦାନ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ପୁନର୍ବାସ ଓ ଥଇଥାନ ପ୍ରକଳ୍ପ ନିର୍ଦ୍ଦେଶକ ଲଳିତ ସୋରେଙ୍ଗ ଦାବିପତ୍ର ଗ୍ରହଣ କରିଥିଲେ। ସେ ପ୍ରତିନିଧିମଣ୍ଡଳୀକୁ ଏହି ସମସ୍ୟା ନେଇ ଜିଲ୍ଲାପାଳଙ୍କ ସହ ଆଲୋଚନା କରି ଶୀଘ୍ର ସମାଧାନ ପାଇଁ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।
ଏହି ଅବସରରେ ଲୋକମୁକ୍ତି ସଂଗଠନର ଉପଦେଷ୍ଟା ଅନନ୍ତ ପଣ୍ଡା, ସୁରେଖା ଶେଖର ଦେଓ, ବିନ୍ଦୁରେଖା ଭୋଇ, ସୁବାସିନୀ ସେଠ, ପ୍ରଭାସିନୀ ମାଲି, ସେବତୀ ଲୁହା, ଜ୍ୟୋସ୍ନା ମାଝୀ, ଟିକେଶ୍ୱରୀ ପ୍ରଧାନ, ଆରତୀ ସାହୁଙ୍କ ସମେତ ଶତାଧିକ ମହିଳା ଓ ଗ୍ରାମବାସୀ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ