
ମାଲକାନଗିରି , ୨୦ ମଇ (ହି.ସ.) - ତୈଳଦର ବୃଦ୍ଧି ଓ ଉତ୍କଟ ଅଭାବ ଯୋଗୁଁ ରାଜ୍ୟରେ ଏବେ ତୀବ୍ର ହେବାରେ ଲାଗିଛି ତୈଳ ସଙ୍କଟ। ବିଶେଷ କରି ମାଲକାନଗିରି ଜିଲ୍ଲାରେ ପେଟ୍ରୋଲ ଏବଂ ଡିଜେଲର ଅଭାବ ଯୋଗୁଁ ସାଧାରଣ ଜନଜୀବନ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏହାକୁ ନେଇ ଆଜି ମାଲକାନଗିରି ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲା ସଭାପତି ଜି. ଶ୍ରୀନିବାସ ରାଓ (ଚିଟି ଭାଇ) ଙ୍କ ନେତୃତ୍ୱ ରେ ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ କରାଯାଇଛି। କେନ୍ଦ୍ର ଓ ରାଜ୍ୟର ‘ଡବଲ ଇଞ୍ଜିନ’ ସରକାରଙ୍କ ବିଫଳତା ବିରୋଧରେ କଂଗ୍ରେସ ନେତା ଓ କର୍ମୀମାନେ ଜୋରଦାର ସ୍ୱର ଉତୋଳନ କରିବା ସହ ଡବଲ ଇଞ୍ଜିନ ସରକାରଙ୍କ ବିଫଳତା ଉପରେ ବିଭିନ୍ନପ୍ରକାରର ନାରାବାଜି ଦେଇଛନ୍ତି।
ମାଲକାନଗିରି ଜିଲ୍ଲା ସଦର ରେ ମୋଟ ୬ଗୋଟି ପେଟ୍ରୋଲ ପମ୍ପ ଥିବା ବେଳେ ଦୁଇଦିନ ହେବ ପମ୍ପ ଗୁଡିକରେ ତେଲ ଖାଲିହୋଇ ଯାଇଥିବା ଜଣା ପଡ଼ିଛି। ଫଳରେ ତେଲ ସରିଯିବା କାରଣରୁ ଜିଲ୍ଲାର ଚାଷକାର୍ଯ୍ୟରେ ବାଧା ଉପୂଜିଥିବା ସହ ଜରୁରୀକାଳୀନ ସ୍ୱାସ୍ଥ୍ୟ ସେବା ମଧ୍ୟ ପ୍ରଭାବିତ ହୋଇଛି। ଯଦି ଆଗାମୀ ଦିନରେ ଜିଲ୍ଲାରେ ତୈଳ ସରବରାହ ସ୍ୱାଭାବିକ ନହୁଏ, ତେବେ ଜିଲ୍ଳା କଂଗ୍ରେସ ପକ୍ଷରୁ ଆନ୍ଦୋଳନକୁ ଆହୁରି ବ୍ୟାପକ କରିବ ବୋଲି ଚେତାବନୀ ଦେଇଛି। ଆଜିର ଏହି ପ୍ରତିବାଦ ସଭାରେ ଜିଲ୍ଳା କଂଗ୍ରେସ୍ ର ପି. କେଶୁ ରାଓ, ଛବି ଦାସ, ପ୍ରାଣକୃଷ୍ଣ ମଣ୍ଡଳ, ପର୍ଶୁରାମ ଭକ୍ତ, ସରୋଜ ପାତ୍ର ଙ୍କ ସମେତ ବହୁ କର୍ମକର୍ତାଙ୍କ ସହ କିଛି ଅଟୋ ଚାଳକ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ