
ଝାରସୁଗୁଡ଼ା, ୨୦ ମଇ (ହି.ସ.)- ଜିଲ୍ଲାପାଳ କାର୍ଯ୍ୟାଳୟ ପରିସରସ୍ଥ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଅଡିଟୋରିୟମ୍ ହଲ୍ଠାରେ ଜିଲ୍ଲା ପରିବେଶ ସମିତିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାର ପ୍ରଦୂଷଣ ନିୟନ୍ତ୍ରଣ, ବନୀକରଣ ଏବଂ ପରିବେଶ ସନ୍ତୁଳନ ରକ୍ଷା ସମ୍ପର୍କରେ ବ୍ୟାପକ ଆଲୋଚନା କରାଯାଇଛି। ଜିଲ୍ଲାର ପରିବେଶ ସୁରକ୍ଷା ଓ ବୃକ୍ଷରୋପଣ ପ୍ରକ୍ରିୟାକୁ ଅଧିକ ପ୍ରଭାବଶାଳୀ କରିବା ପାଇଁ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ଆଜିର ଏହି ବୈଠକରେ ଯୋଗଦେଇ କହିଛନ୍ତି, ଯେଉଁ ସବୁ ଶିଳ୍ପ ସଂସ୍ଥା ଧାର୍ଯ୍ୟ ବୃକ୍ଷରୋପଣ ଲକ୍ଷ୍ୟ ପୂରଣ କରିବାରେ ବିଫଳ ହୋଇଛନ୍ତି ଏବଂ ପରିବେଶ ନିୟମର ଉଲ୍ଲଂଘନ କରୁଛନ୍ତି, ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ମୋଟା ଅଙ୍କର ଜରିମାନା ଆଦାୟ କରିବାକୁ ସେ ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦେଇଛନ୍ତି। ବିଧାୟକ ଶ୍ରୀ ତ୍ରିପାଠୀ ପ୍ରକାଶ କରିଛନ୍ତି ଯେ, କେବଳ କାଗଜପତ୍ର କିମ୍ବା ପ୍ରତିଶ୍ରୁତି ମଧ୍ୟରେ ସୀମିତ ନରହି ବାସ୍ତବରେ ଜଙ୍ଗଲ ସୃଷ୍ଟି କରିବା ପାଇଁ ଏକ ବ୍ୟାପକ ଜନ ଆନ୍ଦୋଳନ ସୃଷ୍ଟି ହେବା ଜରୁରୀ। ଏହି ଅଭିଯାନକୁ ସଫଳ କରିବା ପାଇଁ ଜିଲ୍ଲାର ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ, ସ୍ୱେଚ୍ଛାସେବୀ ଅନୁଷ୍ଠାନ, ସାମାଜିକ ଓ ଆଧ୍ୟାତ୍ମିକ ସଂଗଠନ ଏବଂ ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନଙ୍କୁ ସାମିଲ କରାଯାଇ ଗ୍ରାମ୍ୟ ଜଙ୍ଗଲ ସୃଷ୍ଟି ଓ ତାର ସଠିକ୍ ରକ୍ଷଣାବେକ୍ଷଣ ଦାୟିତ୍ୱ ଦେବାକୁ ସେ ପରାମର୍ଶ ଦେଇଛନ୍ତି।
ଏହାବ୍ୟତୀତ ଆଗାମୀ ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ଆସନ୍ତା ୭ ଦିନ ମଧ୍ୟରେ ଚଳିତ ବର୍ଷର ଲକ୍ଷ୍ୟଧାର୍ଯ୍ୟ, ବୃକ୍ଷରୋପଣ ପାଇଁ ଚିହ୍ନଟ ହୋଇଥିବା ଜମିର ପରିମାଣ ଏବଂ ସ୍ଥାନର ଏକ ସମ୍ପୂର୍ଣ୍ଣ ସୂଚୀ ପ୍ରସ୍ତୁତ କରିବାକୁ ସେ ବନଖଣ୍ଡ ଅଧିକାରୀଙ୍କୁ କହିଛନ୍ତି। ଜିଲ୍ଲାରେ ରୋପଣ କରାଯାଉଥିବା ଚାରାର ଗୁଣବତ୍ତା ବଜାୟ ରଖିବା ପାଇଁ ବିଧାୟକ ଜିଲ୍ଲା ବନ ବିଭାଗକୁ ଏକ ସ୍ୱତନ୍ତ୍ର ସର୍କୁଲାର୍ ଜାରି କରିବାକୁ କହିଛନ୍ତି। ଏହି ସର୍କୁଲାର୍ ଅନୁଯାୟୀ, ସମସ୍ତ ସଂସ୍ଥା କେବଳ ବନ ବିଭାଗରୁ ହିଁ ଚାରା କିଣିବା ବାଧ୍ୟତାମୂଳକ ହେବ ଏବଂ ରୋପଣ କରାଯାଉଥିବା ଚାରାଗୁଡ଼ିକର ବୟସ ଅତିକମରେ ୧୮ ମାସରୁ ଅଧିକ ହେବା ଆବଶ୍ୟକ, ଯାହାଦ୍ୱାରା ଚାରାଗୁଡ଼ିକ ନଷ୍ଟ ନହୋଇ ସହଜରେ ବଢ଼ିପାରିବ। ଏହି ବୈଠକରେ ବର୍ଷ ୨୦୨୬-୨୭ ପାଇଁ ବିଭିନ୍ନ କର୍ପୋରେଟ୍ ଏବଂ ଖଣି ସେକ୍ଟରକୁ ବୃକ୍ଷରୋପଣର ଲକ୍ଷ୍ୟ ଧାର୍ଯ୍ୟ କରାଯାଇ ୨୫ ସେପ୍ଟେମ୍ବର ସୁଦ୍ଧା ଏହି କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଅଗ୍ରଗତିର ସମୀକ୍ଷା ପାଇଁ ପରବର୍ତ୍ତୀ ସମୟରେ ପ୍ଲାଣ୍ଟେସନ ମନିଟରିଂ କମିଟିକୁ ମଧ୍ୟ ସ୍ଥିତି ଅନୁଧ୍ୟାନ କରି ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି।
ଜିଲ୍ଲା ପରିବେଶ ସମିତି ବୈଠକର ପ୍ରାରମ୍ଭରେ ବନଖଣ୍ଡ ଅଧିକାରୀ ଶ୍ରୀ ମନୁ ଅଶୋକ ଭଟ୍ଟ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଓ କାର୍ଯ୍ୟସୂଚୀ ଉପସ୍ଥାପନ କରିଥିଲେ। ଏହି ପ୍ରସ୍ତାବଗୁଡ଼ିକ ମଧ୍ୟରେ ସରକାରୀ ପତିତ ଜମିରେ ବ୍ୟାପକ ବନୀକରଣ, 'ଝାରସୁଗୁଡ଼ା ନଗର ବନ'ର ସୃଷ୍ଟି, ହୀରାକୁଦ ଜଳଭଣ୍ଡାରର ପରିବେଶ ସଂରକ୍ଷଣ ଏବଂ ସହରର ବିଭିନ୍ନ ସରକାରୀ ବିଦ୍ୟାଳୟର ଚତୁଃପାର୍ଶ୍ୱ ପ୍ରାଚୀର କଡ଼ରେ ଅଧିକ ଦୃଶ୍ୟମାନ ହେବା ଭଳି 'ମିୟାୱାକି' ପଦ୍ଧତିରେ ବୃକ୍ଷରୋପଣ କରିବା ଭଳି ଜନହିତକର ପ୍ରସଙ୍ଗ ସାମିଲ ରହିଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ବେଦାନ୍ତ, ଏନଆଲସି ତଳାବିରା, ଏମସିଏଲ୍, ଓରିଏଣ୍ଟ, ଏସଏମସି - ୨, ଜେଏସଡବ୍ଲ୍ୟୁ ଏବଂ ଆପାର୍ ଇଣ୍ଡଷ୍ଟ୍ରିଜ୍ ଭଳି ପ୍ରମୁଖ ସଂସ୍ଥାଗୁଡ଼ିକ ପରିବେଶ ନିୟମାବଳୀର ଉଲ୍ଲଂଘନ କରିଥିବା ଓ ବୃକ୍ଷରୋପଣ ଲକ୍ଷ୍ୟ ପୂରଣରେ ବିଫଳ ହୋଇଥିବା ଜଣାପଡ଼ିଛି। ଏହି ଖଣିଜ ଓ ଶିଳ୍ପ ସଂସ୍ଥାଗୁଡ଼ିକର ମନୋମୁଖୀ କାର୍ଯ୍ୟକଳାପକୁ ଗମ୍ଭୀରତାର ସହ ନେଇ ଜିଲ୍ଲାପାଳ, ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରିନଥିବା ପ୍ରତି ଖିଲାପକାରୀ ସଂସ୍ଥାଠାରୁ ପ୍ରତି ଗଛ ପିଛା ୧୦୦ ଟଙ୍କା ହିସାବରେ ଜରିମାନା ଆଦାୟ କରିବାକୁ ବନଖଣ୍ଡ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅପରପକ୍ଷରେ, ଜିଲ୍ଲାର ପ୍ରାୟ ୬୦୦ ରୁ ଉର୍ଦ୍ଧ୍ୱ ବିଦ୍ୟାଳୟ ପରିସର ମଧ୍ୟରେ ମିୟାୱାକି ପଦ୍ଧତି ଅବଲମ୍ବନ କରି ଫଳପ୍ରଦ ଓ ପରିବେଶ ଉପଯୋଗୀ ବୃକ୍ଷରୋପଣ କରାଯିବ ଏବଂ ଏଥିପାଇଁ ଖୁବ୍ ଶୀଘ୍ର ଜିଲ୍ଲା ବନ ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କରାଯିବ ବୋଲି ସୂଚନା ମିଳିଛି।
ଜିଲ୍ଲାରେ ଭିତ୍ତିଭୂମି ବିକାଶ ସମୟରେ ପରିବେଶର ସୁରକ୍ଷା କିପରି କରାଯାଇପାରିବ ଏବଂ ସହରାଞ୍ଚଳରେ ସବୁଜିମା ବୃଦ୍ଧି ସହ ଏବଂ ଗ୍ରାମାଞ୍ଚଳର ପରିବେଶ ସୁରକ୍ଷା ପାଇଁ ଯେଉଁ ସବୁ ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ ତାହା କହିଛନ୍ତି।
ଏହି ବୈଠକରେ ଜିଲ୍ଲାର ପରିବେଶ ସୁରକ୍ଷା ଓ ସନ୍ତୁଳନ ରକ୍ଷା ପାଇଁ ଆଗାମୀ ବର୍ଷା ଦିନରେ ଜିଲ୍ଲାର ବିଭିନ୍ନ ଖାଲି ସ୍ଥାନ, ଶିଳ୍ପାଞ୍ଚଳ ଏବଂ ରାସ୍ତାକଡ଼ରେ ଉଦ୍ୟାନ କୃଷି ଓ ବନ ବିଭାଗର ମିଳିତ ସହଯୋଗରେ ବ୍ୟାପକ ବୃକ୍ଷରୋପଣ କରି ଏକ ସବୁଜ ବଳୟ ସୃଷ୍ଟି କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଝାରସୁଗୁଡ଼ା ଏକ ଶିଳ୍ପପ୍ରଧାନ ଜିଲ୍ଲା ହୋଇଥିବାରୁ ବାୟୁ ଏବଂ ଜଳ ପ୍ରଦୂଷଣକୁ ରୋକିବା ପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ କଡ଼ା ନଜର ରଖିବା ସହ ଶିଳ୍ପ ସଂସ୍ଥାଗୁଡ଼ିକର ନିୟମିତ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅପରପକ୍ଷରେ କଟକଣାକୁ କଡ଼ାକଡ଼ି କରିବାକୁ ସମ୍ପୃକ୍ତ ଅଧିକାରୀମାନଙ୍କୁ କୁହାଯାଇଛି।
ଆଜିର ଏହି ବୈଠକରେ ସମ୍ମାନିତ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ତଥା ପ୍ଲାଣ୍ଟେସନ ମନିଟରିଂ କମିଟିର ଅଧ୍ୟକ୍ଷ ପ୍ରହଲ୍ଲାଦ ନାଏକ, ତହସିଲଦାର, ଝାରସୁଗୁଡ଼ା ସଦାକର କୁମ୍ଭାର ଏଥିସହ ଜିଲ୍ଲା ପରିବେଶ ସମିତିର ଅନ୍ୟାନ୍ୟ ସଦସ୍ୟ ଯଥା- ତାପସ ରାୟ ଚୌଧୁରୀ, ନରେଶ କୁମାର ନାଏକ, ବେଣୁଧର ଚୌଧୁରୀ, ବିଜୟ କୁମାର ବେହେରା, ତ୍ରିନାଥ ଗୁଆଲ ପ୍ରମୁଖ ସାମିଲ ଥିଲେ। ଏହି କମିଟିର ସଦସ୍ୟମାନେ ବିଭିନ୍ନ ଶିଳ୍ପାଞ୍ଚଳ ଓ ଖଣି ପରିସର ପରିଦର୍ଶନ କରି ବୃକ୍ଷରୋପଣର ପ୍ରକୃତ ସ୍ଥିତି ଯାଞ୍ଚ କରିବା ସହ ସେମାନଙ୍କର ତଥ୍ୟଭିତ୍ତିକ ଅନୁସନ୍ଧାନ ରିପୋର୍ଟ ପ୍ରଦାନ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ