
ଖୋର୍ଦ୍ଧା, ୨୦ ମଇ (ହି.ସ.)- ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ହଜ ପଂଚାୟତ ଜଙ୍କିଆ ଥାନା ଅନ୍ତର୍ଗତ ନିଧିପୁର ଗ୍ରାମ ପୋଖରୀରୁ ବୁଧବାର ସକାଳେ ଏକ ହାତୀ ଛୁଆର ମୃତଦେହ ଉଦ୍ଧାର କରାଯାଇଛି ।
ସୂଚନା ଅନୁଯାୟୀ, ବେଗୁନିଆ ବ୍ଲକର ହଜ ଓ ସିକୋ ପଂଚାୟତ ଅଂଚଳରେ କିଛି ମାସ ହେବ ହାତୀପଲ ବୁଲାବୁଲି କରୁଛନ୍ତି । ତେବେ ଆଜି ନିଧିପୁର ଗ୍ରାମ ପୋଖରୀରେ ଏହି ଛୁଆ ହାତୀର ମୃତଦେହ ଭାସୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ସେମାନେ ଘଟଣା ସମ୍ପର୍କରେ ବନ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ବନବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଂଚି ଛୁଆ ହାତୀର ମୃତଦେହକୁ ଜବତ କରିଛନ୍ତି । ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଖାଦ୍ୟ ଅନ୍ୱେଷଣରେ ହାତୀଛୁଆଟି ଜନବସତି ଆଡକୁ ଆସିଥିବା ବେଳେ ରାତିର ଅନ୍ଧାରରେ ବାଟବଣା ହୋଇ ପୋଖରୀର ଗଭୀର ପାଣିରେ ବୁଡ଼ି ପ୍ରାଣ ହରାଇଥିବା ଅନୁମାନ କରାଯାଉଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ