
ନୂଆଦିଲ୍ଲୀ, ୨୦ ମଇ(ହି.ସ.) – କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ. ପି. ନଡ୍ଡା ୭୯ତମ ବିଶ୍ୱ ସ୍ୱାସ୍ଥ୍ୟ ସଭା ଅବସରରେ ଜେନେଭାରେ ବିଶ୍ୱର ସର୍ବବୃହତ ମହିଳା, ଶିଶୁ ଏବଂ କିଶୋର ସ୍ୱାସ୍ଥ୍ୟ ମେଂଟ(ପିଏମ୍ଏନ୍ସିଏଚ୍)ର ଅଧ୍ୟକ୍ଷ ହେଲେନ କ୍ଲାର୍କଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଛନ୍ତି। ଏହି ବୈଠକରେ ଭାରତ ମହିଳା, ଶିଶୁ ଏବଂ କିଶୋରମାନଙ୍କ ସ୍ୱାସ୍ଥ୍ୟ ପ୍ରତି ନିଜର ପ୍ରତିବଦ୍ଧତାକୁ ଦୋହରାଇଥିଲା। ଜେ.ପି. ନଡ୍ଡା ତାଙ୍କ ଅଭିଭାଷଣରେ କହିଥିଲେ ଯେ ଭାରତ ୨୦୦୫ ମସିହାରୁ ପି.ଏମ୍.ଏନ୍.ସି.ଏଚ୍. ସହିତ ଯୋଡ଼ି ହୋଇ ରହିଛି ଏବଂ ବିଶ୍ୱ ସ୍ୱାସ୍ଥ୍ୟ ଏଜେଣ୍ଡାରେ ସକ୍ରିୟ ଭୂମିକା ନିର୍ବାହ କରିଆସୁଛି।
ସେ ସୂଚନା ଦେଇଥିଲେ ଯେ ଭାରତ ପି.ଏମ୍.ଏନ୍.ସି.ଏଚ୍.ରେ ସ୍ଥାୟୀ କମିଟିର ଉପାଧ୍ୟକ୍ଷ ଏବଂ ଅଧ୍ୟକ୍ଷ ଭାବେ ସକ୍ରିୟ ନେତୃତ୍ୱର ଭୂମିକା ନିର୍ବାହ କରୁଛି। ସେ ଏହା ମଧ୍ୟ କହିଥିଲେ ଯେ ଭାରତର ବାର୍ଷିକ ୨ ନିୟୁତ ଆମେରିକୀୟ ଡଲାର ସହାୟତା ଜାରି ରଖିବା ପ୍ରକ୍ରିୟା ଜାରି ରହିଛି।
ସ୍ୱାସ୍ଥ୍ୟମନ୍ତ୍ରୀ କହିଥିଲେ, ନବସୃଜନ ଏବଂ ବ୍ୟାପକ ସ୍ୱାସ୍ଥ୍ୟସେବା ପ୍ରଦାନ କ୍ଷେତ୍ରରେ ଭାରତ ଅଗ୍ରଣୀ ରହିଆସିଛି। ଆମେ ସବୁବେଳେ ମହିଳା, ଶିଶୁ ଏବଂ କିଶୋରମାନଙ୍କ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେଇଛୁ।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି