
ନୂଆପଡ଼ା, ୨୦ ମଇ (ହି.ସ.)- ରାଜ୍ୟରେ ବରଗଡ଼ ପରେ ନୂଆପଡା ଜିଲ୍ଲାରେ ଆରମ୍ଭ ହେଲା ରବି ଧାନ ମଣ୍ଡି। ଖରିଆର ରୋଡ ନିୟନ୍ତ୍ରିତ ବଜାର କମିଟି ତରଫରୁ ଆଜି ଠାରୁ ନୂଆପଡ଼ା ଜିଲ୍ଲାରେ ରବି ଧାନ କ୍ରୟର ଶୁଭାରମ୍ଭ କରାଯାଇଛି। ଖଡ଼ିଆଳ ଉପ ବଜାର ପ୍ରାଙ୍ଗଣରେ ଏନେଇ ଅନୁଷ୍ଠିତ ଉଦଘାଟନୀ ସମାରୋହରେ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ, ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସ, ଖଡ଼ିଆଳ ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ନନ୍ଦ ପ୍ରମୁଖ ଯୋଗଦେଇ ରବି ଧାନ କ୍ରୟ ପାଇଁ ରହିଥିବା ବ୍ୟବସ୍ଥା ଉପରେ ଆଲୋଚନା କରିଥିଲେ।
ଚଳିତ ବର୍ଷ ରବି ଧାନ ବିକ୍ରୟ ପାଇଁ ୧୯,୩୪୭ ଜଣ ଚାଷୀ ପଞ୍ଜୀକୃତ ହୋଇଥିବା ବେଳେ, ଏହା ଗତ ବର୍ଷ ତୁଳନାରେ ୬,୦୫୦ ଜଣ ଅଧିକ ଓ ପ୍ରାୟ ୪୫ ପ୍ରତିଶତ ବୃଦ୍ଧି ହୋଇଛି। ଏହି ବର୍ଷ ଜିଲାରେ ୨୬ ଟି ପେକ୍ସ ମାଧ୍ୟମରେ ୫୧ ଟି ମଣ୍ଡିରେ ଧାନ କ୍ରୟ କରାଯିବ ବୋଲି ସୂଚନା ଦିଆଯାଇଛି l ୨୫ ତାରିଖରୁ ଜିଲ୍ଲାର ପ୍ରାୟ ମଣ୍ଡିରୁ ଧାନ କିଣା ଆରମ୍ଭ ହେବା ନେଇ ସୂଚନା ମିଳିଛି। ଆସନ୍ତା ୨୫ ତାରିଖରୁ ଅନ୍ୟାନ୍ୟ ମଣ୍ଡି ଆରମ୍ଭ ହେବାକୁ ଥିବାବେଳେ ପ୍ରତ୍ୟେକ ମଣ୍ଡିରେ ସିସି କ୍ୟାମେରା ସହ ପାନୀୟ ଜଳ ବ୍ୟବସ୍ଥା ଓ ଆନୁଷଙ୍ଗିକ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ଏବର୍ଷ ସାଢେ଼ ସାତ ଲକ୍ଷ କ୍ଵିଣ୍ଟାଲ ଧାନ କ୍ରୟ କରାଯିବାକୁ ଲକ୍ଷ୍ୟ ରହିଥିବା ବେଳେ ସାଢେ଼ ଚାରିଲକ୍ଷ କ୍ଵିଣ୍ଟାଲ ପାଇଁ ଟୋକନ୍ ଆସି ସାରିଛି ବୋଲି ବିଧାୟକ କହିଥିଲେ। ପଡୋଶୀ ଛତିଶଗଡ଼ ରାଜ୍ୟରୁ ଧାନ ନ ଆସିବା ପାଇଁ ଛଅଟି ସ୍ଥାନରେ ସି ସି କ୍ୟାମେରା ସହ ଲୋକ ମୁତୟନ ହେବେ ବୋଲି ଜିଲ୍ଲାପାଳ କହିଛନ୍ତି।
ଆଜିର ଉଦଘାଟନୀ ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ସାଂସଦ ପ୍ରତିନିଧି ଜ୍ଞାନ ରଞ୍ଜନ ମେଘ, ଜିଲ୍ଲା ପରିଷଦ ସଦସ୍ୟ ଚିତ୍ତ ରଞ୍ଜନ ବେହେରା, ସରପଞ୍ଚ ସୁବାସିନୀ ପାନ, ପେକ୍ସ ସଭାପତି ଗୋପୀନାଥ ରାଉତ ପ୍ରମୁଖ ମଞ୍ଚାସୀନ ଥିବାବେଳେ ଏସିଏସଓ ଖଣ୍ଡୁରାମ ନାଏକ ସଭା ପରିଚାଳନା କରିଥିଲେ। ଏହି ଅବସରରେ ୩ ଗୋଟି ସଚେତନତା ରଥ ଶୁଭାରମ୍ଭ କରାଯାଇଥିବା ବେଳେ ଏହି ରଥଗୁଡିକ ଜିଲ୍ଲା ସାରା ବୁଲି ଲୋକଙ୍କୁ ସଚେତନତା ସୃଷ୍ଟି କରିବା। ଆଜିର ଏହି କାର୍ଯ୍ୟକ୍ରମରେ ଖଡ଼ିଆଳ ପେକ୍ସର ସମସ୍ତ କର୍ମଚାରୀ ନେତୃତ୍ବ ନେଇଥିଲେ।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ