
ଜୟପୁର, ୨୦ ମଇ (ହି.ସ.)- ବାଲ୍ୟ ବିବାହ ସମାପ୍ତି ନିମନ୍ତେ “ଜିଲ୍ଲା କାର୍ଯ୍ୟଯୋଜନା (ଡ଼ିଏପି ) 2024–2029” ସ୍ଥାନୀୟ ଦକ୍ଷତା ବିକାଶ କେନ୍ଦ୍ର ଠାରେ ,ଉନ୍ମୋଚିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ କହିଥିଲେ, “2030 ସୁଦ୍ଧା କୋରାପୁଟକୁ ବାଲ୍ୟ ବିବାହ ମୁକ୍ତ କରିବା ପାଇଁ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ, ଠିକ୍ ସମୟରେ ହସ୍ତକ୍ଷେପ ଓ ଅଦ୍ୱିକା, ସ୍କିମ୍ ହାଟ, 1098 ମାଧ୍ୟମରେ ସମୁଦାୟ ସହଭାଗିତା ଜରୁରୀ।” ସେ ପ୍ରତ୍ୟେକ ଝିଅ ପାଖରେ ସରକାରୀ ଯୋଜନା ପହଞ୍ଚାଇବା ଉପରେ ଗୁରୁତ୍ୱ ଦେବାକୁ ଆହ୍ୱାନ କରିଥିଲେ। କାର୍ଯ୍ୟକ୍ରମରେ ଆରକ୍ଷୀ ଅଧୀକ୍ଷକ ଶ୍ରୀ ଅମ୍ବିତ ମହାନ୍ତି, ଉପ-ଜିଲ୍ଲାପାଳ ପ୍ରେମଲାଲ ହିଆଲ ଯୋଗଦେଇ ଆଇନ ଶୃଙ୍ଖଳା ଓ ପ୍ରଶାସନିକ ସହଯୋଗ ବିଷୟରେ ମତ ରଖିଥିଲେ। ୟୁନିସେଫ , ଭୁବନେଶ୍ୱରର ଶିଶୁ ସୁରକ୍ଷା ପରାମର୍ଶଦାତା ଶ୍ରୀ ଘାସିରାମ ପଣ୍ଡା ଜିଲ୍ଲା କାର୍ଯ୍ୟଯୋଜନାର ଲକ୍ଷ୍ୟ, ବିଭାଗୀୟ ଦାୟିତ୍ୱ, ନିରୀକ୍ଷଣ-ରିପୋର୍ଟିଂ ପ୍ରଣାଳୀ ଏବଂ କନଭର୍ଜେନ୍ସ ମେକାନିଜିମ୍ ଉପରେ ବିସ୍ତୃତ ଉପସ୍ଥାପନା କରିଥିଲେ। ସେ ଡିଏପି 2024–2029ର କୌଶଳ ଓ ବର୍ତମାନର ଜିଲ୍ଲା ସ୍ଥିତି ବିଷୟରେ ସୂଚନା ଦେଇଥିଲେ।
ମହିଳା ଓ ଶିଶୁ ବିକାଶ ବିଭାଗରୁ ପ୍ରସନ୍ନ ମିଶ୍ର, DC-ଅଦ୍ୱିକା ସେଣ୍ଟର ଅଫ୍ ଏକ୍ସିଲେନ୍ସ, କିଶୋରୀ ସଶକ୍ତିକରଣରେ ଅଦ୍ୱିକାର ଭୂମିକା ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରକଳ୍ପ ସଂଯୋଜକ, ମମତା ଶ୍ରୀମତୀ ସମଦୁଆର ସ୍ୱାଗତ ଭାଷଣ ଦେଇଥିଲେ I ସୁରକ୍ଷା-ସହ-କାର୍ଯ୍ୟକ୍ରମ ଅଧିକାରୀ ସୁଶ୍ରୀ ସୀମା ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ସମସ୍ତ ସିଡିପିଓ ଅଂଶଗ୍ରହଣ କରିଥିଲେ। ଆଲୋଚନାରେ ସମସ୍ତ ଅଧିକାରୀ ଗ୍ରାମ ପଞ୍ଚାୟତ ସ୍ତରରେ DAP କାର୍ଯ୍ୟାନ୍ୱୟନ, ଡାଟା ସେୟାରିଂ ଏବଂ ମାସିକ ସମୀକ୍ଷା ପାଇଁ ସଂକଳ୍ପ ନେଇଥିଲେ।
ହିନ୍ଦୁସ୍ଥାନ ସମାଚାର / ପିକେପି