

କନ୍ଧମାଳ, ୨୦ ମଇ (ହି.ସ.)- ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ଓ କୃଷୀ ବିଭାଗ, କନ୍ଧମାଳଙ୍କ ମିଳିତ ସହଯୋଗରେ କତିଙ୍ଗିଆ ପଂଚାୟତର କିଲାପାଙ୍ଗା ଠାରେ ଧାନ ପରବର୍ତୀ ପଡିଆ ଜମିର ବିସ୍ତୃତ ପରିଚାଳନା ପ୍ରକଳ୍ପରେ କ୍ଷେତ୍ର ଦିବସ ସହିତ ଏକ ଦିନିକିଆ ତାଲିମ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି ପରିପ୍ରେକ୍ଷିରେ ଚାଷ କରାଯାଇଥିବା ଧଳା ମଟରର ମଧ୍ୟ ଶସ୍ୟ କାଟ ଦିବସ ପାଳିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ସ୍ୱାତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ମାନଗୋବିନ୍ଦ ପ୍ରଧାନ ଯୋଗଦେଇ ଚାଷି ମାନଙ୍କୁ ଉତ୍ସାହିତ କରିବା ସହିତ ଜମିର ଉର୍ବରତାକୁ ବଢାଇବା ପାଇଁ ଅଧିକାରିମାନେ ଦେଉଥିବା ଉପଦେଶ ଗୁଡିକୁ ମାନିବାକୁ ଅନୁରୋଧ କରିଥିଲେ । କାର୍ଯ୍ୟକ୍ରମରେ ଚକାପାଦ ଗୋଷ୍ଠି କୃଷି ଅଧିକାରୀ ନିରୁ ନିକୁଞ ବିହାରି ନାୟକ, ସହ କୃଷି ଅଧିକାରି ପ୍ରିୟଦର୍ଶନି ମଲ୍ଲିକ ଓ କୃଷି ପରିଦର୍ଶକ କାଳିଚରଣ ସାହୁ ଯୋଗଦେଇ ଧାନ କାଟିବା ପୂର୍ବରୁ ବା ଧାନ କାଟିବା ପରେ କିପରି ମଟର ଓ ବିରି ଚାଷ କରାଯାଇ ପାରିବ ତାହା ପ୍ରଶିକ୍ଷଣ ଦେଇଥିଲେ ଯାହାକି କମ୍ ପାଣିରେ କିପରି ଫସଲ ସଠିକ୍ ଭାବରେ ଉଠାଯାଇ ପାରିବ । ଏହି ଫସଲକୁ ଅଧିକଦିନ ଘରେ ସାଇତି ରଖାଯାଇ ପାରିବ ଓ ପରବର୍ତୀ ସମୟରେ ଚାଷୀ ଚାହିଁଲେ ଅଧିକ ଦରରେ ମଧ୍ୟ ବିକ୍ରି କରି ଅଧିକ ରୋଜଗାର କରିପାରିବେ । ଏଥି ସହିତ ରୋଗ ପୋକ ପରିଚାଳନା କଥା ଦେଖିଲେ ଏହି ଚାଷ ଅଧିକ ଭଲ କାରଣ ଖରିଫ୍ ଚାଷ ଅପେକ୍ଷା ରବି ଚାଷରେ ଫସଲ ଗୁଡିକ ପାଇଁ କମ୍ ଭୟ ଥାଏ । ତତ୍ ସଙ୍ଗେ ସଙ୍ଗେ ଗୋଟିଏ ଜମିରୁ ଦୁଇଟି ଫସଲ ମିଳିପାରିବ ବୋଲି ମତବ୍ୟକ୍ତ କରିଥିଲେ । ସ୍ୱାସ୍ଥ୍ୟ ଦୃଷ୍ଟିରୁ ଦେଖିଲେ ଡାଲି ଜାତୀୟ ଖାଦ୍ୟ ଅଧିକ ଖାଇବା ଦ୍ୱାରା ଦେହକୁ ଅଧିକ ଭିଟାମିନ୍ ଓ ପୋଷଣ ମିଳିଥାଏ ବିଲି ଆଲୋଚନାରେ କୁହାଯାଇଥିଲା । ଅପରପକ୍ଷେ ଯଦି ଦେଖିବା ମଟର ପରିବାର ପାଇଁ ଖାଦ୍ୟ ସୁରକ୍ଷା ହିସାବରେ ମଧ୍ୟ ସହଯୋଗ କରିଥାଏ । ଏହା ପରେ ପୂର୍ବତନ ସରପଂଚ ଆଭେନେସ୍ୱର ପ୍ରଧାନ ଉପସ୍ଥିତ ରହି ଆଗାମି ଦିନରେ କିପରି ଅଧିକ ଚାଷୀ ଏହି ମଟର ଓ ବିରି ଚାଷ କରିବେ ସେ ବିଷୟରେ ଏକ ଯୋଜନା ପ୍ରସ୍ତୁତ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ୧୦୦ ରୁ ଅଧୀକ ଚାଷୀ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମକୁ ପ୍ରକଳ୍ପ ବ୍ଲକ୍ ସଂଯୋଜକ ଗିରିଶ ଚନ୍ଦ୍ର ସାମଲ ପରିଚାଳନା କରିଥିବା ବେଳେ ହୃଷିକେଶ ଅମାୟତ ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ