
ଝାରସୁଗୁଡା, ୨୦ ମଇ (ହି.ସ.)- ଅନଲାଇନ୍ ମାଧ୍ୟମରେ ଔଷଧ ବିକ୍ରିକୁ ବିରୋଧ କରି ବୁଧବାର ଦେଶବ୍ୟାପୀ ଔଷଧ ଦୋକାନ ବନ୍ଦ ପାଳନ କରାଯାଇଛି। ଏହାର ପ୍ରଭାବ ଝାରସୁଗୁଡା ଜିଲ୍ଲାରେ ମଧ୍ୟ ପଡ଼ିଥିବାବେଳେ ଝାରସୁଗୁଡା ଡ୍ରଗ୍ ଆଣ୍ଡ କେମିଷ୍ଟ ଆସୋସିଏସନ୍ (ଜେଡିସିଏ) ପକ୍ଷରୁ ସମସ୍ତ ଔଷଧ ଦୋକାନ ବନ୍ଦ ରଖାଯାଇଥିଲା।
ଏହି ଅବସରରେ ସଂଘ ପକ୍ଷରୁ ବିଭିନ୍ନ ଦାବି ଉଠାଇ ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଜେଡିସିଏର ଦାବି ଅନୁଯାୟୀ, କୋଭିଡ୍ ସମୟରେ କେତେକ ସ୍ୱତନ୍ତ୍ର ଔଷଧ ବିକ୍ରି ପାଇଁ ଦିଆଯାଇଥିବା ଅନୁମତିକୁ ପ୍ରତ୍ୟାହାର କରିବା, ଇ-ଫାର୍ମାସୀ ସମ୍ପର୍କିତ ନିର୍ଦ୍ଦେଶନାମାକୁ ବାତିଲ କରିବା ସହ ବିଭିନ୍ନ କର୍ପୋରେଟ୍ ସଂସ୍ଥାଙ୍କ ଦ୍ୱାରା ଦିଆଯାଉଥିବା ଅତ୍ୟଧିକ ରିଆୟତି ବ୍ୟବସ୍ଥାକୁ ତୁରନ୍ତ ବନ୍ଦ କରିବା ଆବଶ୍ୟକ ବୋଲି ଦାବି କରାଯାଇଛି।
ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ ସମୟରେ ଜେଡିସିଏର ସଭାପତି ଜୟନ୍ତ ଦୀକ୍ଷିତ, ସମ୍ପାଦକ ଅମିତ ସାରାୱାଗି, କୋଷାଧକ୍ଷ ସୁଜିତ ପଣ୍ଡା, ରାଜେଶ ଦାସ, ଭାଗୀରଥ ପାତ୍ର, ସଞ୍ଜୟ ପ୍ରଧାନଙ୍କ ସହ ବହୁ ସଂଖ୍ୟକ ସଂଘ ସଦସ୍ୟ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ