
ଉତର ୨୪ ପ୍ରଗଣା, ୨୦ ମଇ(ହି.ସ.) – ପଶ୍ଚିମବଙ୍ଗର ଉତର ୨୪ ପ୍ରଗଣା ଜିଲ୍ଲାର ସନ୍ଦେଶଖାଲି ଠାରେ ୨୦୨୪ ମସିହାରେ ପ୍ରବର୍ତନ ନିର୍ଦ୍ଦେଶାଳୟ(ଇଡି) ଦଳ ଉପରେ ଆକ୍ରମଣ ଘଟଣାରେ ପୋଲିସ ତୃଣମୂଳ କଂଗ୍ରେସର ଦୁଇ ଜଣ ମହିଳା ନେତାଙ୍କୁ ଗିରଫ କରିଛି। ଉଭୟ ନେତା ଗିରଫ ହୋଇଥିବା ତୃଣମୂଳ ନେତା ଶେଖ ଶାହାଜାହାନଙ୍କ ନିକଟତର ବୋଲି ବିବେଚନା କରାଯାଏ।
ଗିରଫ ହୋଇଥିବା ନେତାଙ୍କ ମଧ୍ୟରେ ସନ୍ଦେଶଖାଲି-୧ ପଂଚାୟତ କମିଟିର ସଭାପତି ତଥା ବସିରହାଟ ସାଂଗଠନିକ ଜିଲ୍ଲା ଟିଏମସି ସଭାପତି ସବିତା ରୟ ଏବଂ ଜଣେ ପ୍ରଭାବଶାଳୀ ଟିଏମସି ନେତା ମିଥୁ ସର୍ଦ୍ଦାର ଅଛନ୍ତି। ପୋଲିସର କହିବା ଅନୁଯାୟୀ, ସନ୍ଦେଶଖାଲିର ସରବେରିଆ ଅଂଚଳରେ ଶେଖ ଶାହାଜାହାନଙ୍କ ଘର ସମ୍ମୁଖରେ ଇଡି ଅଧିକାରୀ ଏବଂ କେନ୍ଦ୍ରୀୟ ବାହିନୀ ଉପରେ ଆକ୍ରମଣ ପଛରେ ଏହି ଦୁଇ ନେତାଙ୍କ ଭୂମିକା ଥିଲା।
ତଦନ୍ତକାରୀମାନେ ବିଶ୍ୱାସ କରନ୍ତି ଯେ ଇଡି ଅଧିକାରୀ ଏବଂ କେନ୍ଦ୍ରୀୟ ବାହିନୀ କର୍ମଚାରୀଙ୍କ ଉପରେ ଲାଠି ଏବଂ ଧାରୁଆ ଅସ୍ତ୍ରରେ ଆକ୍ରମଣ ଏକ ସୁଚିନ୍ତିତ ଷଡଯନ୍ତ୍ରର ଅଂଶ ଥିଲା। ପୋଲିସ୍ ସୂତ୍ର ଅନୁଯାୟୀ, ଗିରଫ ହୋଇଥିବା ନେତାମାନଙ୍କ ବିରୋଧରେ ଅଭିଯୋଗ କେବଳ ଇଡି ଦଳ ଉପରେ ଆକ୍ରମଣ ମଧ୍ୟରେ ସୀମିତ ନୁହେଁ।
ପୋଲିସ କହିଛି ଯେ ମିଥୁ ସର୍ଦ୍ଦାର ମଧ୍ୟ ୨୦୨୧ ନିର୍ବାଚନ ପରବର୍ତୀ ହିଂସା ସମ୍ବନ୍ଧୀୟ ଅନେକ ଗୁରୁତର ଅଭିଯୋଗର ସମ୍ମୁଖୀନ ହୋଇଛନ୍ତି। ଅତୀତରେ ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ବିରୋଧୀ କାର୍ଯ୍ୟକର୍ତାଙ୍କୁ ନିର୍ଯ୍ୟାତନା ଦେବା, ଘର ଭଙ୍ଗାରୁଜା କରିବା ଏବଂ ଅଂଚଳରେ ଆତଙ୍କ ସୃଷ୍ଟି କରିଥିବା ତାଙ୍କ ବିରୋଧରେ ଅଭିଯୋଗ ହୋଇଛି।
ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ଯେ ଦୁଇ ନେତା ଦୀର୍ଘ ସମୟ ଧରି ଶେଖ ଶାହାଜାହାନଙ୍କ ପୃଷ୍ଠପୋଷକତାରେ ଏହି ଅଂଚଳରେ ଏକ ସମାନ୍ତରାଳ ଶକ୍ତି ଚଳାଉଥିଲେ। ଉଭୟ ଅଭିଯୁକ୍ତଙ୍କୁ ବସିରହାଟ କୋର୍ଟରେ ହାଜର କରାଯିବ ଏବଂ ପଚରାଉଚରା ପାଇଁ ପୋଲିସ ହେପାଜତକୁ ନିଆଯିବ ବୋଲି ପୋଲିସ କହିଛି।
ପୋଲିସ ସୂତ୍ର ଅନୁଯାୟୀ, ୨୦୨୧ ନିର୍ବାଚନ ପରବର୍ତୀ ହିଂସା ଠାରୁ ଆରମ୍ଭ କରି ୨୦୨୪ ରେ କେନ୍ଦ୍ରୀୟ ଏଜେନ୍ସି ଉପରେ ଆକ୍ରମଣ ପର୍ଯ୍ୟନ୍ତ ପ୍ରତ୍ୟେକ ମାମଲାରେ ଉଭୟ ସକ୍ରିୟ ଭୂମିକା ଗ୍ରହଣ କରିଛନ୍ତି।
ଉଲ୍ଲେଖନୀୟ କଥା ହେଉଛି, ୫ ଜାନୁଆରୀ ୨୦୨୪ରେ, ଇଡି ଦଳ ରାସନ ସ୍କାମ ତଦନ୍ତ ସମ୍ବନ୍ଧରେ ସନ୍ଦେଶଖାଲି ବ୍ଲକ-୧ର ଅଗରହାଟୀ ଅଂଚଳରେ ପହଂଚିଥିଲା। ଉତର ୨୪ ପ୍ରଗଣା ଜିଲ୍ଲା ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଜଣେ ପ୍ରଭାବଶାଳୀ ତୃଣମୂଳ ନେତା ଭାବେ ବିବେଚିତ ଶେଖ ଶାହାଜାହାନ ଏହି ଅନୁସନ୍ଧାନର କେନ୍ଦ୍ରବିନ୍ଦୁ ଥିଲେ।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି