ମୁଖ୍ୟ ରାସ୍ତାକଡ଼ ସର୍ବସାଧାରଣ ସମ୍ମୁଖରେ ଜୀବହତ୍ୟା, ପ୍ରଶାସନ ଚୁପ୍
ଜୟପୁର, ୨୦ ମଇ (ହି.ସ.)- କୋରାପୁଟ ଜିଲାରେ ସହରକୁ ଲାଗି ରହିଥିବା ବିଭିନ୍ନ ସ୍ଥାନରେ ସର୍ବସାଧାରଣ ସମ୍ମୁଖରେ ଜୀବହତ୍ୟା କରାଯାଉଛି । କୋରାପୁଟ ଜିଲାର ଜୟପୁର, କୋରାପୁଟ, ସେମିଳିଗୁଡା, ବୈପାରିଗୁଡା, ବୋରିଗୁମ୍ମା, ରଗ୍ଧ ଲକ୍ଷ୍ମୀପୁର, ଲମତାପୁଟ ରେ ରାସ୍ତା କଡରେ ମାଂସ ବିକ୍ରି କରାଯାଉଛି । ମ
ମୁଖ୍ୟ ରାସ୍ତାକଡ଼ ସର୍ବସାଧାରଣ ସମ୍ମୁଖରେ ଜୀବହତ୍ୟା : ପ୍ରଶାସନ ଚୁପ୍


ଜୟପୁର, ୨୦ ମଇ (ହି.ସ.)- କୋରାପୁଟ ଜିଲାରେ ସହରକୁ ଲାଗି ରହିଥିବା ବିଭିନ୍ନ ସ୍ଥାନରେ ସର୍ବସାଧାରଣ ସମ୍ମୁଖରେ ଜୀବହତ୍ୟା କରାଯାଉଛି । କୋରାପୁଟ ଜିଲାର ଜୟପୁର, କୋରାପୁଟ, ସେମିଳିଗୁଡା, ବୈପାରିଗୁଡା, ବୋରିଗୁମ୍ମା, ରଗ୍ଧ ଲକ୍ଷ୍ମୀପୁର, ଲମତାପୁଟ ରେ ରାସ୍ତା କଡରେ ମାଂସ ବିକ୍ରି କରାଯାଉଛି । ମାଂସ ବିକ୍ରି କରିବା ଠିକ୍, କିନ୍ତୁ ରାସ୍ତାକଡରେ ଜୀବହତ୍ୟା କରି ମାଂସ ବିକ୍ରି ହେବାକୁ ସାଧାରଣରେ ନାପସନ୍ଦ କରାଯାଉଛି । ସରକାରୀ ନିୟମାନୁସାରେ ସାର୍ବଜନୀନ ସ୍ଥାନରେ ଜୀବହତ୍ୟା କରିବା ଉଚିତ୍ ନୁହେଁ, କିନ୍ତୁ

ଏଠାରେ ନିୟମ ଉଲ୍ଲଙ୍ଘନ କରାଯାଉଛି । ତଥାପି ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ ବୋଲି ବୁଦ୍ଧିଜ଼ୀବି ମହଲରେ ଅଭିଯୋଗ ହେଉଛି । ଏହି ମାଂସ ଦୋକାନ ମାନଙ୍କରେ ପ୍ରତିଦିନ ସର୍ବସାଧାରଣ ସମ୍ମୁଖରେ ଜୀବହତ୍ୟା କରାଯାଉଛି । ପୁଣି ମୁଖ୍ୟ ରାଜରାସ୍ତା କଡରେ ହତ୍ୟା କରାଯିବା ସହ ପ୍ରବଳ ଦୁର୍ଗନ୍ଧ ହେଉଛି ଏବଂ ପଶୁଙ୍କ ପ୍ରତି ନିଷ୍ଠୁରତାର ସୀମା ଲଙ୍ଘନ କରିଥିବା ଅଭିଯୋଗ ହେଉଛି । ରାସ୍ତାରେ ଥିବା କଂସେଇଖାନା ଗୁଡ଼ିକ ଯୋଗୁଁ ରାସ୍ତାରେ ଯିବାଆସିବା କଷ୍ଟକର ହୋଇପଡୁଛି । ମାଂସବିକ୍ରି ଉପରେ ପ୍ରତିବନ୍ଧକ ନାହିଁ, କିନ୍ତୁ ସାର୍ବଜନୀନ ସ୍ଥଳରେ ଜୀବହତ୍ୟା ଠିକ୍ ନୁହେଁ । ରାସ୍ତାରେ ଯିବାଆସିବା କରୁଥିବା ଛାତ୍ରଛାତ୍ରୀ ଓ ଦୁର୍ବଳ ହୃଦୟ ଲୋକଙ୍କୁ କେମିତି କଷ୍ଟ ହେଉଥିବ ତାହା ସହଜେ ଅନୁମେୟ । ଛାତ୍ରଛାତ୍ରୀଙ୍କ ଉପରେ ମଧ୍ୟ ଏହାର କୁପ୍ରଭାବ ପଡୁଥିବା ଲକ୍ଷ୍ୟ କରାଯାଇଛି । ଦେଶରେ କଂସେଇଖାନା ଏବଂ ମାଂସଦୋକାନ ନିୟନ୍ତ୍ରଣ ପାଇଁ ଆଇନ ରହିଛି । ପଶୁଙ୍କ ପ୍ରତି ନିଷ୍ଠୁରତା ନିବାରଣ ଆଇନ-୧୯୬୦ ଅନୁସାରେ ହତ୍ୟା ସମୟରେ ପଶୁମାନଙ୍କୁ ଅନାବଶ୍ୟକ ଯନ୍ତ୍ରଣା ଏବଂ କଷ୍ଟ ନିଷେଧ କରେ । କଂସେଇଖାନା ନିୟମ-୨୦୦୧ ଅନୁସାରେ କଂସେଇଖାନା କରିବା ପାଇଁ ପ୍ରାଣୀ ଚିକିତ୍ସା ବିଭାଗର ପ୍ରମାଣପତ୍ର ଲୋଡ଼ା । ଉନ୍ନତ ଜୀବହତ୍ୟା ପଦ୍ଧତି ଆପଣାଇବା ଏବଂ ଉପଯୁକ୍ତ ପରିମଳ ବ୍ୟବସ୍ଥା ବଜାୟ ରଖିବା ବାଧ୍ୟତାମୂଳକ କରାଯାଇଛି । ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ ଅନୁସାରେ ସମସ୍ତ ମାଂସଦୋକାନ ଏବଂ କଂସେଇଖାନା ଗୁଡ଼ିକୁ ଲାଇସେନ୍ସ ପାଇବା ଏବଂ ସ୍ୱଚ୍ଛତା ମାନଦଣ୍ଡ ବଜାୟ ରଖିବା ଆବଶ୍ୟକ ବୋଲି ଦର୍ଶାଯାଇଛି । ସରକାରଙ୍କ ନିୟମାବଳୀ ଅନୁସାରେ ଅବୈଧ କିମ୍ବା ଅସ୍ୱଚ୍ଛ କଂସେଇଖାନା ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପ୍ରାବଧାନ ରହିଛି । ମାଂସ ବଜାର ପାଇଁ ସ୍ୱତନ୍ତ୍ର ଜୋନ୍ କରି ଆବଶ୍ୟକ ସୁବିଧା ଯୋଗାଇ ଦେବାକୁ

କୁହାଯାଇଛି । ସାର୍ବଜନୀନ ସ୍ଥାନରେ ହତ୍ୟା କରିବାକୁ ମଧ୍ୟ ବାରଣ କରାଯାଇଛି । ଏହି ଆଇନ ସତ୍ତ୍ୱେ କୋରାପୁଟ ଜିଲାରେ ତାହା ପାଳନ କରାଯାଉ ନାହିଁ । ଅନେକ କଂସେଇଖାନା ଲାଇସେନ୍ସ କିମ୍ବା ପ୍ରାଣୀ ବିଭାଗର ତଦାରଖ ବିନା ଚାଲିଛି । ତଥାପି ମୁଖ୍ୟ ରାଜରାସ୍ତା କଡରେ ଥିବା କଂସେଇଖାନା ଗୁଡ଼ିକ ବେଶ୍ ଅସ୍ୱଚ୍ଛ ପରିବେଶରେ ଚାଲିଛି, ପ୍ରାଣୀଙ୍କୁ ସର୍ବସମ୍ମୁଖରେ ହତ୍ୟା କରାଯାଉଥିବା ବେଳେ ରକ୍ତ, ଦେହାବଶେଷ ଠିକ୍ ଭାବେ ପ୍ରକ୍ରିୟାକରଣ କରାଯାଉ ନାହିଁ ଓ ନାଳାରେ ଦେହାବଶେଷ ଭସାଇ ଦିଆଯାଉ ଥିବାରୁ ଅଞ୍ଚଳରେ ସବୁବେଳେ କୁକୁରମାନେ ଉକ୍ତ ଚମଡାକୁ ଧରି ଏଣେତେଣେ ବୁଲୁଥିବା ଲକ୍ଷ୍ୟ କରାଯାଇଛି । ରାସ୍ତାରେ ସବୁବେଳେ ଦୁର୍ଗନ୍ଧ ହେଉଥିବାରୁ ଯିବାଆସିବା କଷ୍ଟକର ହୋଇପଡୁଛି । ଏନେଇ ରାସ୍ତାରେ ଥିବା ମାଂସ ଦୋକାନର ଲାଇସେନ୍ସ ଅଛି କି ନାହଁ ତାହା ତଦନ୍ତ ସାପେକ୍ଷ । କେଉଁ ଦୋକାନର ସ୍ଥିତି କ'ଣ ତାହା ଯାଞ୍ଚ କରି ପ୍ରଶାସନ ଆବଶ୍ୟକ କାଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ମତ ପ୍ରକାଶ ପାଇଛି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande