
ଭୁବନେଶ୍ୱର, ୨୦ ମଇ (ହି.ସ) - ରାଜ୍ୟରେ ହାଇସ୍ପିଡ ଡିଜେଲର ବିକ୍ରୟ ଓ ବିତରଣକୁ ନିୟନ୍ତ୍ରଣ କରିବା ନିମନ୍ତେ ଅତ୍ୟାବଶ୍ୟକ ସାମଗ୍ରୀ ଅଧିନିୟମ ୧୯୫୫ ଅନୁଯାୟୀ, ରାଜ୍ୟ ସରକାର ପୂର୍ବରୁ, “ଓଡିଶା ହାଇସ୍ପିଡ ଡିଜେଲ ଡିଲର୍ସ ଲାଇସେନ୍ସ ଆଦେଶ, ୧୯୭୯” ଲାଗୁ କରିଥିଲେ ।
ଇତିମଧ୍ୟରେ ବ୍ୟବସାୟିକ କାରବାରକୁ ସହଜ କରିବା ଓ ଏହାର କାର୍ଯ୍ୟ ପ୍ରଣାଳୀର ବିଳମ୍ୱତାକୁ ହ୍ରାସ କରିବା ଉଦ୍ଦେଶ୍ୟରେ, କେନ୍ଦ୍ର ସରକାରଙ୍କ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ, ଖୁଚୁରା ବିକ୍ରୟ ପାଇଁ ଥିବା ଲାଇସେନ୍ସ ବ୍ୟବସ୍ଥାକୁ ରଦ୍ଦ କରିବାକୁ ସମସ୍ତ ରାଜ୍ୟକୁ ପରାମର୍ଶ ଦେଇଛନ୍ତି । ଏହି ପରାମର୍ଶକୁ ଅନୁସରଣ କରି ରାଜ୍ୟ କ୍ୟାବିନେଟ୍ “ଓଡିଶା ହାଇସ୍ପିଡ ଡିଜେଲ ଡିଲର୍ସ ଲାଇସେନ୍ସ ଆଦେଶ, ୧୯୭୯” କୁ ରଦ୍ଦ କରିବା ପାଇଁ “ଓଡିଶା ହାଇସ୍ପିଡ ଡିଜେଲ ଡିଲର୍ସ ଲାଇସେନ୍ସ ରିପିଲ୍, ୨୦୨୬” ନାମକ ଏକ ନୂତନ ଅଧିସୂଚନା କୁ ଅନୁମୋଦନ ପ୍ରଦାନ କରିଛନ୍ତି ।
ଏହା ଦ୍ୱାରା, ବ୍ୟବସାୟିକ କାରବାରକୁ ପ୍ରୋତ୍ସାହନ ମିଳିବା ସହିତ ଏହାର କାର୍ଯ୍ୟ ପ୍ରଣାଳୀରେ ସହଜତା ଓ ସରଳୀକରଣ ଉପଲବ୍ଧି ହେବ ।
ଏଠାରେ ଉଲ୍ଲେଖ କରାଯାଇପାରେ ଯେ, ରିଟେଲ ଆଉଟଲେଟ୍ ସ୍ଥାପନ କରିବା ନିମନ୍ତେ ଜିଲ୍ଲାପାଳ ତଥାଜିଲ୍ଲା ମ୍ୟାଜିଷ୍ଟ୍ରେଟଙ୍କ ଠାରୁ ଆବଶ୍ୟକୀୟ ଅପତି ବିହୀନ ପ୍ରମାଣପତ୍ର ଗ୍ରହଣ କରିଥାନ୍ତି। ଜିଲ୍ଲାପାଳମାନେ ଅଗ୍ନିଶମ, ପୂର୍ତ, ରାଜସ୍ୱବିଭାଗ ଓ ପେଟ୍ରୋଲିୟମ ଏବଂ ବିସ୍ଫୋରକ ସୁରକ୍ଷା ସଂଗଠନ ରଅନୁମୋଦନ ଆଧାରରେ ଏହି ଏନଓସି ପ୍ରଦାନ କରିଥାନ୍ତି। ଉପରୋକ୍ତ ସିଦ୍ଧାନ୍ତ ଅନୁଯାୟୀ, ରିଟେଲ ଆଉଟଲେଟ୍ ଗୁଡ଼ିକୁ ପୁନର୍ବାର ଏହି ସମସ୍ତ ଅନୁମୋଦନ ଗ୍ରହଣ କରିବାର ଆବଶ୍ୟକତା ରହିବ ନାହିଁ। ଅତଏବ,ହାଇସ୍ପିଡ ଡିଜେଲର ବିକ୍ରୟ,ଅତ୍ୟାବଶ୍ୟକୀୟ ସାମଗ୍ରୀ ଅଧିନିୟମର ନିୟମାବଳୀ ଦ୍ୱାରା ପୂର୍ବଭଳି ପରିଚାଳିତ ହେବ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା