
ଭୁବନେଶ୍ୱର, 20 ମେ (ହି.ସ.)- ଭୁବନେଶ୍ୱରଠାରେ
ଆୟୋଜିତ ଜୋନାଲ କନ୍ଫରେନ୍ସରେ ଆମ ରାଜ୍ୟର ବିଭିନ୍ନ ପ୍ରକାରର ଉନ୍ନତ ଓ ଶଙ୍କର କିସମର ଆମ୍ବ
ପ୍ରଦର୍ଶିତ ହେବା ସହ ଜାତୀୟ ସ୍ତରରେ ଉଚ୍ଚ ପ୍ରଶଂସିତ ହେବା ଆମ ସମସ୍ତଙ୍କ ପାଇଁ ଏକ ଗର୍ବର
ବିଷୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଏହି ସଫଳତା ପାଇଁ ସେ ଓଡ଼ିଶାର
ସମସ୍ତ ପରିଶ୍ରମୀ ଚାଷୀ ଭାଇଭଉଣୀ ଓ କୃଷି ଉଦ୍ୟୋଗୀମାନଙ୍କୁ ଆନ୍ତରିକ ଅଭିନନ୍ଦନ ଓ ସାଧୁବାଦ
ଜଣାଇଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ,
ମୟୂରଭଞ୍ଜର ଆକର୍ଷଣୀୟ ‘ସିମିଲଟନ୍ ସୁନ୍ଦରୀ’, କେଉଁଝରର ‘ବଳଦେବ’,
ବଲାଙ୍ଗିରର ‘ଜାହାଙ୍ଗିର’ ଓ ଢେଙ୍କାନାଳର ‘ବେଲଗଜା’ ସମେତ ବିଶ୍ୱପ୍ରସିଦ୍ଧ ‘ମିଆଜାକି’ ଏବଂ ଅନ୍ୟାନ୍ୟ ଉତ୍କୃଷ୍ଟ ଆମ୍ବ କିସମ ଆମ ଚାଷୀଙ୍କ ଦକ୍ଷତା ଓ
ନିଷ୍ଠାର ପ୍ରମାଣ ଦେଇଛି। ସବୁଠାରୁ ଆନନ୍ଦର ବିଷୟ ଯେ, ନିକଟରେ ଢେଙ୍କାନାଳର 'ଆମ୍ରପଲ୍ଲୀ' ଆମ୍ବ ଲଣ୍ଡନ ବଜାରକୁ ରପ୍ତାନି ହୋଇ ଆମ ପାଇଁ ଗୌରବ ଆଣିଦେଇଛି। ଆମ
ଚାଷୀଙ୍କ ଅକ୍ଲାନ୍ତ ପରିଶ୍ରମ, ଉପଯୁକ୍ତ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଏବଂ କୃଷି ଉତ୍ପାଦକ ସଂଗଠନଗୁଡ଼ିକର ସଠିକ୍ ସମନ୍ୱୟ ଯୋଗୁଁ ଓଡ଼ିଶାର ଆମ୍ବ ଆଜି ଦେଶ ଓ ବିଦେଶ
ବଜାରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି।
ମୁଖ୍ୟମନ୍ତ୍ରୀ କହିଛନ୍ତି
ଯେ, ଆମ ରାଜ୍ୟର କୃଷକମାନେ ହିଁ ଆମ ଅର୍ଥନୀତିର ପ୍ରକୃତ ଶକ୍ତି। ଚାଷୀଙ୍କ ବିକାଶ, ସେମାନଙ୍କୁ ଆଧୁନିକ ଜ୍ଞାନକୌଶଳ ଯୋଗାଇଦେବା ଏବଂ ଉତ୍ପାଦିତ
ସାମଗ୍ରୀର ସଠିକ୍ ମୂଲ୍ୟ ପ୍ରଦାନ କରିବା ସହ ଉଦ୍ୟାନ କୃଷିର ସାମଗ୍ରୀକ ଅଭିବୃଦ୍ଧି ପାଇଁ ଆମ
ସରକାର ସଦାସର୍ବଦା ସଂକଳ୍ପବଦ୍ଧ। ଆମ କୃଷି କ୍ଷେତ୍ରର ଏହି ସଫଳତା ଆଗାମୀ ଦିନରେ ଏକ ସମୃଦ୍ଧ
ଓଡ଼ିଶା ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ମୋର ଦୃଢ଼ ବିଶ୍ୱାସ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା