

ବଲାଙ୍ଗିର, ୨୦ ମଇ (ହି.ସ.)- ବଲାଙ୍ଗିର ସହର ସମେତ ସମଗ୍ର ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଅସହ୍ୟ ଖରା ଓ ଝାଞ୍ଜି ପବନ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ସାଧାରଣ ପଥିକ ଓ ଶ୍ରମଜୀବୀମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଭଳି ସ୍ଥିତିରେ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ଭିନ୍ନ ଭିନ୍ନ ସ୍ଥାନରେ ସାଧାରଣ ଲୋକଙ୍କ ପାଇଁ ନିୟମିତ ଦହିପାଣି ବଣ୍ଟନ କାର୍ଯ୍ୟକ୍ରମ ଜାରି ରହିଛି।
ଆଜି ବଲାଙ୍ଗିର ସହରର ବ୍ୟସ୍ତବହୁଳ ଗାନ୍ଧୀ ଛକଠାରେ ସଂଗଠନ ପକ୍ଷରୁ ଏହି ମହତ୍ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ଅବସରରେ ବଲାଙ୍ଗିର ପୌର ପରିଷଦର ଅଧ୍ୟକ୍ଷା ଲିକା ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ଵହସ୍ତରେ ପଥିକ ଓ ସାଧାରଣ ଜନତାଙ୍କୁ ଦହିପାଣି ବଣ୍ଟନ କରିଥିଲେ। ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନର ଏଭଳି ମାନବୀୟ ସେବାକୁ ସେ ଉଚ୍ଚ ପ୍ରଶଂସା କରିବା ସହ ଏହା ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ ବୋଲି ପ୍ରକାଶ କରିଥିଲେ। ଗ୍ରୀଷ୍ମଋତୁ ସାରା ଆଗାମୀ ଦିନ ମାନଙ୍କରେ ମଧ୍ୟ ସଂଗଠନ ତରଫରୁ ଏହି ସେବା କାର୍ଯ୍ୟକ୍ରମ ନିରନ୍ତର ଭାବେ ଜାରି ରହିବ ବୋଲି ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି। ଆଜିର ଏହି ଜଳସେବା କାର୍ଯ୍ୟକ୍ରମକୁ ସଫଳ କରିବାରେ ସଂଗଠନର ପ୍ରମୁଖ ସଦସ୍ୟ ଗୋବିନ୍ଦ ଚନ୍ଦ୍ର ଶତପଥି, ଉତ୍ତମ ନନ୍ଦ, ରବୀନ୍ଦ୍ର ପ୍ରଧାନ, ସରୋଜ ଜାଲ, ପ୍ରଦୀପ ଯୁଏଡ, ଶୁଭ୍ରାଂଶୁ ମିଶ୍ର, ଦେବରାଜ ନାଗ, ସୁଭାଷିନୀ ବିଶି, ଚିନ୍ମୟୀ ଚିଣ୍ଡା, ସଙ୍ଗୀତା ଦାଶ, ରୁବି ବାଗଙ୍କ ସମେତ ବିଧୁଭୂଷଣ ତ୍ରିପାଠୀ, ଶିବ ବେହେରା, ପ୍ରଦୀପ ସାହୁ, ସଂଗ୍ରାମ ବହିଦାର, ସୁବ୍ରତ ରଣା, ଉମେଶ ଗଡତ୍ୟା, ଶ୍ରୀମନ୍ତ ଗଡତ୍ୟା ପ୍ରମୁଖ ସକ୍ରିୟ ଭାବେ ସାମିଲ ହୋଇ ଶୃଙ୍ଖଳିତ ଭାବେ ଦହିପାଣି ବଣ୍ଟନ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ