
ଝାରସୁଗୁଡ଼ା, ୨୦ ମଇ (ହି.ସ.)- ଝାରସୁଗୁଡ଼ା ଅଞ୍ଚଳରେ ପୁଣିଥରେ ବେଆଇନ ପାଉଁଶ କାରବାର ସକ୍ରିୟ ହୋଇଥିବା ଅଭିଯୋଗ ଉଠିଛି । ଏନେଇ ଗତକାଲି ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତକରି ଏକ ବିସ୍ତୃତ ଦାବିପତ୍ର ପ୍ରଦାନ କରିଛନ୍ତି । ପତ୍ରରେ ଝାରସୁଗୁଡ଼ାର ପରିବେଶ ଓ ସ୍ଥାନୀୟ ଲୋକଙ୍କ ଜୀବନଜୀବିକା ଉପରେ ଏହାର ଗୁରୁତର ପ୍ରଭାବ ପଡ଼ୁଥିବା କଥା ଉଲ୍ଲେଖ କରିଛନ୍ତି ।
ଦାବିପତ୍ରରେ କୁହାଯାଇଛି ଯେ, ସାଧାରଣ ନିର୍ବାଚନ ପରେ କିଛି ସମୟ ପାଇଁ ବନ୍ଦ ଥିବା ବେଆଇନ ପାଉଁଶ ପକା କାର୍ଯ୍ୟ ପୁଣି ଥରେ ଝାରସୁଗୁଡ଼ା ଅଞ୍ଚଳରେ ଜୋରଦାର ଭାବେ ଚାଲିଛି । ବିଶେଷ କରି ଭେଡ଼େନ ଓ ଇବ୍ ନଦୀ କୂଳ ସହ ଚାଷଜମିରେ ବହୁ ପରିମାଣରେ ପାଉଁଶ ପକାଯାଉଥିବା ଅଭିଯୋଗ କରିଛନ୍ତି । କିଛି ଅସାଧୁ ଲୋକ ସାଧାରଣ ଲୋକଙ୍କ ଜମି ଓ ନଦୀକୂଳରେ ଜବରଦସ୍ତି ପାଉଁଶ ପକାଉଥିବାରୁ ସ୍ଥାନୀୟ ଲୋକ ଅତିଷ୍ଠ ହୋଇପଡ଼ିଛନ୍ତି ।
ବିଗତ ୧୦ ବର୍ଷ ଧରି ଚାଲିଥିବା ଏହି ବେଆଇନ କାରବାର ଯୋଗୁଁ ଅଞ୍ଚଳର ପରିବେଶ ଭାରି କ୍ଷତିଗ୍ରସ୍ତ ହୋଇଛି । ନିକଟତମ ସମୟରେ ପରିବେଶରେ କିଛି ସୁଧାର ଆସୁଥିବା ବେଳେ ପୁଣିଥରେ ପାଉଁଶ ମାଫିଆଙ୍କ ଦୌରାତ୍ମ୍ୟ ଯୋଗୁଁ ପରିସ୍ଥିତି ଜଟିଳ ହୋଇପଡ଼ିଛି । ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ପରିବେଶ ବିଶେଷଜ୍ଞ ଓ ବରିଷ୍ଠ ପ୍ରଶାସନିକ ଅଧିକାରୀମାନଙ୍କୁ ନେଇ ଏକ ସ୍ୱତନ୍ତ୍ର ତଦନ୍ତ ଦଳ ଗଠନ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ବିଗତ ୧୦ ବର୍ଷର ସମସ୍ତ ବେଆଇନ ପାଉଁଶ କାରବାରର ତଦନ୍ତ ସହ ଭେଡ଼େନ ଓ ଇବ୍ ନଦୀର ସୁରକ୍ଷା ପାଇଁ ସ୍ଥାୟୀ ରୋଡମ୍ୟାପ୍ ପ୍ରସ୍ତୁତ କରିବାକୁ ମଧ୍ୟ ଅନୁରୋଧ କରାଯାଇଛି । ସେହିପରି ପରିବେଶ ନିୟମ ଉଲ୍ଲଂଘନ କରୁଥିବା ଟ୍ରାନ୍ସପୋର୍ଟରମାନଙ୍କୁ କଳାତାଲିକାଭୁକ୍ତ କରିବା ସହ ଏହି କାରବାରରେ ସଂପୃକ୍ତ କମ୍ପାନୀ ଓ ସରକାରୀ-ବେସରକାରୀ ସ୍ତରର ଦୋଷୀ ଅଧିକାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ବିଧାୟକ ଶ୍ରୀ ତ୍ରିପାଠୀ କହିଛନ୍ତି। ଝାରସୁଗୁଡ଼ାର ପରିବେଶ ସୁରକ୍ଷା ଓ ସ୍ଥାନୀୟ ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ରାଜ୍ୟ ସରକାର ଏହି ସମ୍ବେଦନଶୀଳ ପ୍ରସଙ୍ଗକୁ ଗୁରୁତ୍ୱର ସହ ନେଇ ଶୀଘ୍ର ପଦକ୍ଷେପ ନେବେ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ