

ବୌଦ୍ଧ, ୨୦ ମଇ (ହି.ସ.)- ବୌଦ୍ଧ ଜିଲ୍ଲାରେ ଧାନ ସଂଗ୍ରହ ପାଇଁ ଜୁନ ୨ ତାରିଖରୁ ମଣ୍ଡି ସବୁ ଖୋଲିବ l ତେବେ ବୌଦ୍ଧ ଜିଲା ପ୍ରଶାସନ ଏନେଇ କେତେ ଦୂର ପ୍ରସ୍ତୁତ ରହିଛି ସେ ନେଇ ଚାଷୀମାନଙ୍କ ମନରେ ଅନେକ ଆଶଙ୍କା ରହିଛି l ଜିଲାରେ ଭିତିଭୂମି ଅଭାବରେ ଅନେକ ମଣ୍ଡି ରହିଛି l କୋଉ ମଣ୍ଡି ଗାଁ ଖେଳ ପଡିଆରେ ତ ଆଉ କେଉଁ ମଣ୍ଡି ସ୍କୁଲ ପଡିଆରେ ଖୋଲାଯାଉଛି l ଏହାର ପ୍ରକୃଷ୍ଟ ଉଦାହରଣ ଜିଲାର ସଦର ମହକୁମାରେ ଗତ ଧାନ କ୍ରୟ ସମୟରେ ଦେଖିବାକୁ ମିଳିଥିଲା l ଜିଲ୍ଲାପ୍ରଶାସନ , ଜିଲାପାଳ ଓ ଜିଲାର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ନାକତଳେ ଭୈରବୀ ପଡିଆରେ ଧାନ କ୍ରୟ କରାଯାଇଥିଲା l ଏପରି ସ୍ଥଳେ ଭିତିଭୂମି, ଚାଷୀଙ୍କ ପାଇଁ ମୌଳିକ ସୁବିଧା ଖୋଜିଲେ କୋଉଠୁ ମିଳିବ l ଅନ୍ୟପକ୍ଷରେ ମଣ୍ଡି ଗୁଡିକର ଭିତି ଭୂମି ନିର୍ମାଣ କରିବା ଓ ଚାଷୀଙ୍କ ପାଇଁ ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରିବା ବାବଦରେ ଲକ୍ଷ ଲକ୍ଷ ଟଙ୍କା ପ୍ରତିବର୍ଷ ଚଳୁ କରାଯାଉଛି l ସବୁବର୍ଷ ପରି ଧର୍ମକୁ ଆଖିଠାର ମାରିବା ନ୍ୟାୟରେ ବୌଦ୍ଧ ଜିଲ୍ଲାରେ ଧାନ ସଂଗ୍ରହ ପ୍ରସ୍ତୁତି ସମ୍ପର୍କିତ ଜିଲ୍ଲା ସ୍ତରୀୟ ବୈଠକ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଅନୁଷ୍ଠିତ ହୋଇଛି । ଏହି ବୈଠକରେ କଣ୍ଟାମାଳ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ କହ୍ନାଇ ଚରଣ ଡାଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚାଷୀମାନଙ୍କ ସୁବିଧା, ସ୍ୱଚ୍ଛ ଓ ସୁବ୍ୟବସ୍ଥିତ ଧାନ ସଂଗ୍ରହ ଉପରେ ଗୁରୁତ୍ୱାରୋପ କରିଥିଲେ । ଜିଲ୍ଲାପାଳ ବିଭୁତି ଭୂଷଣ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ଆସନ୍ତା ଜୁନ୍ ୨ ତାରିଖରୁ ଜିଲ୍ଲାରେ ଧାନ ମଣ୍ଡି ଖୋଲିବା ନେଇ ସୂଚନା ଦିଆଯାଇଥିଲା l ଚଳିତ ରବି ଋତୁ ପାଇଁ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ୧,୮୮,୯୫୦ କ୍ୱିଣ୍ଟାଲ ଧାନ ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏଥିପାଇଁ ୮,୨୯୦ ଜଣ ଚାଷୀ ପଞ୍ଜିକୃତ ହୋଇଥିବାବେଳେ ୨୪ଟି ପ୍ୟାକ୍ସ ଅଂଶଗ୍ରହଣ କରିବେ ଓ ୧୩ ଟି ମିଲ ଧାନ ସଂଗ୍ରହ ପ୍ରକ୍ରିୟାରେ ସାମିଲ ହେବେ । ବୈଠକରେ ପ୍ରତ୍ୟେକ ପ୍ୟାକ୍ସ ଓ ପିପିସିରେ ପାନୀୟ ଜଳ, ବିଶ୍ରାମ ସ୍ଥଳ, ଶୌଚାଳୟ ଆଦି ମୌଳିକ ସୁବିଧା ଯୋଗାଇଦେବା, ମିନି ଗ୍ରେଡର, ମଏସ୍ଚର ମିଟର, କମ୍ପ୍ୟୁଟରାଇଜ୍ଡ ଓଜନ ଯନ୍ତ୍ର, ତରପୋଲିନ ଓ ପଲିଥିନ ସିଟ୍ ଇତ୍ୟାଦି ବ୍ୟବସ୍ଥା କରାଯିବା ଉପରେ ଜିଲ୍ଲାପାଳ ଗୁରୁତ୍ବ ଦେଇଥିଲେ । ପ୍ରତ୍ୟେକ ପିପିସିରେ ସିସିଟିଭି ସ୍ଥାପନ କରାଯାଇ ଜିଲ୍ଲା ଓ ରାଜ୍ୟ କଣ୍ଟ୍ରୋଲ ରୁମ ସହ ଲାଇଭ୍ ଫିଡ୍ ସଂଯୋଗ କରାଯିବ। ଚାଷୀମାନଙ୍କ ଅଭିଯୋଗର ତୁରନ୍ତ ସମାଧାନ ପାଇଁ ଜିଲ୍ଲା ସ୍ତରରେ କଣ୍ଟ୍ରୋଲ ରୁମ ଖୋଲାଯିବା ସହ ମଣ୍ଡିଗୁଡିକରେ ନୋଡାଲ ଅଫିସର ଓ ସୁପରଭାଇଜିଂ ଅଫିସର ନିଯୁକ୍ତ କରାଯିବ । ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ କୃଷକ ମାନଙ୍କ ଅଭିଯୋଗ ଶୁଣାଣୀ ସେଲ ଗଠନ ହେବ । ଜିଲ୍ଲା ସ୍ତରୀୟ ଏନଫୋର୍ସମେଣ୍ଟ ସ୍କ୍ୱାଡ୍ ଗଠନ କରାଯାଇ ଧାନ ସଂଗ୍ରହ ପ୍ରକ୍ରିୟାର ତଦାରଖ କରାଯିବା ସହ ପଡୋଶୀ ଜିଲ୍ଲାରୁ ଅନଧିକୃତ ଧାନ ପ୍ରବେଶ ରୋକିବା ପାଇଁ ସୀମା ସିଲିଂ କରାଯିବ ବୋଲି ସୂଚନା ଦିଆଯାଇଥିଲା । କୃଷକ ଓ ମିଲର ପ୍ରତିନିଧି ମାନେ ଧାନ କ୍ରୟ ଓ ସଂଗ୍ରହ ସମ୍ବନ୍ଧିତ ବିଭିନ୍ନ ସମସ୍ୟା ଉପସ୍ଥାପନ କରିଥିଲେ l
ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ଉପ-ଜିଲ୍ଲାପାଳ ବିନୟ କୁମାର ଭୋଇଙ୍କ ସମେତ ଯୋଗାଣ ବିଭାଗ, ସମବାୟ ବିଭାଗ ଏବଂ ସମ୍ପୃକ୍ତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ, କୃଷକ ପ୍ରତିନିଧି, ମିଲର ପ୍ରତିନିଧି, ଗଣ ମାଧ୍ୟମ ପ୍ରତିନିଧି ଯୋଗ ଦେଇଥିଲେ। ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀନାଥ ହଂସଦା ସମସ୍ତଙ୍କୁ ସ୍ଵାଗତ କରି ବୈଠକ ର ଆଭିମୁଖ୍ୟ ଉପସ୍ଥାପନା କରିଥିଲେ । ବିଧାୟକ ସମସ୍ତ ବିଭାଗ, ମିଲର, ସମବାୟ ସମିତି ଓ ସମ୍ପୃକ୍ତ ଅଧିକାରୀମାନଙ୍କୁ ପରସ୍ପର ସହଯୋଗରେ ଧାନ ସଂଗ୍ରହ କାର୍ଯ୍ୟ ସଫଳ କରିବାକୁ ଅନୁରୋଧ କରିଥିଲେ । ଚାଷୀମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହେବେ ଏବଂ ସଠିକ୍ ଭାବେ ଧାନ କ୍ରୟ କାର୍ଯ୍ୟ ସମ୍ପନ୍ନ ହେବ ସେଥିପାଇଁ ଜିଲ୍ଲାପାଳ ସମସ୍ତ ଅଧିକାରୀ ଓ ମିଲର ମାନଙ୍କୁ ସଚେତନ ଓ ଦାୟିତ୍ୱବାନ ହୋଇ କାମ କରିବା ସହିତ ଶତ ପ୍ରତିଶତ ସଫଳତା ହାସଲ କରିବା ପାଇଁ ଆହ୍ୱାନ ଦେଇଥିଲେ l
ହିନ୍ଦୁସ୍ଥାନ ସମାଚାର / ସମ୍ପତ