
କେନ୍ଦ୍ରାପଡା, ୨୬ ମଇ (ହି.ସ.) ତିନିମୁହାଣୀଠାରୁ ଇଚ୍ଛାପୁର ପର୍ଯ୍ୟନ୍ତ ସରକାରୀ ରାସ୍ତା ସରକାରୀ ଜାଗାକୁ ମାଡି ବଡ ବଡ ଅଟ୍ଟାଳିକା ତିଆରି କରିଛନ୍ତି । ପୈାରସଂସ୍ଥାଠାରୁ ଅନୁମତି ନ ନେଇ କୋଟି କୋଟି ଟଙ୍କାର ଅଟ୍ଟାଳିକା ତିଆରି କରି ଆରାମରେ ଜବର ଦଖଲ କରି ବସିଛନ୍ତି । ପୈାରସଂସ୍ଥା ଏମାନଙ୍କ ବିରୁଦ୍ଧରେ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ଛିଣ୍ଡା ଜରି, ପାଲ ତଳେ ବସି ଅସହାୟ ଅବସ୍ଥାରେ ବିକ୍ରି କରୁଥିବା ଗରିବଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ଦେଖିବାକୁ ମିଳୁଛି ।
କେନ୍ଦ୍ରାପଡା ନୂଆ ବସଷ୍ଟାଣ୍ଡଠାରୁ ପୁରୁଣା ବସଷ୍ଟାଣ୍ଡ ବାଇପାସ୍ ରାସ୍ତାରେ ଜବରଦଖଲ କରି ବସିଥିବା ବ୍ୟବସାୟୀମାନଙ୍କୁ ଉଚ୍ଛେଦ କରିବା ପାଇଁ ପୋଲିସ୍ ନେଇ ପୈାର କର୍ମଚାରୀ ତାଙ୍କୁ ଉଚ୍ଛେଦ କରୁଥିବା ବେଳେ ଏମାନେ ଏହି ଜବରଦଖଲକାରୀମାନେ ଫଟାଫଟ୍ ଉଠାଇ ନେଉଛନ୍ତି । କର୍ମଚାରୀ ଗଲାପରେ ପୁଣି ସେହି ସ୍ଥାନରେ ବ୍ୟବସାୟ କରୁଛନ୍ତି । ସେହିଭଳି କେନ୍ଦ୍ରାପଡା ନୂଆ ବସଷ୍ଟାଣ୍ଡ ଠାରୁ ସହର ଦେଇ ଆସିବା ବେଳେ କାକଟ ଛକ, ବଡହାଟ ଏବଂ ମୁଖ୍ୟ ରାସ୍ତାର ଅନେକ ବ୍ୟବସାୟୀମାନେ ରାସ୍ତାକୁ ମାଡି ଘର ଓ ଦୋକାନ ଗୃହ କରି ୩ ଫୁଟ, ୪ ଫୁଟର ବ୍ୟବସାୟ ପ୍ରତିଷ୍ଠାନର ବୋର୍ଡ ଓ ଦୋକାନରେ କାମ କରୁଥିବା କର୍ମଚାରୀମାନଙ୍କର ମୋଟର ସାଇକେଲ୍ ରାସ୍ତା ଉପରେ ରଖି ଦୈନିକ ଲକ୍ଷ ଲକ୍ଷ ଟଙ୍କା ବ୍ୟବସାୟ କରୁଛନ୍ତି । ଏମାନଙ୍କ ବିରୁଦ୍ଧରେ କୈାଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ କିମ୍ବା ଜବରଦଖଲ ଟିକସ ମଧ୍ୟ ଆଦାୟ କରାଯାଉନାହିଁ । ମୁଖ୍ୟ ରାସ୍ତା ଉପରେ ଗାଡି ରଖି ବ୍ୟବସାୟ କରୁଥିବାରୁ ଜରୁରୀକାଳୀନ ଗାଡି, ଆମ୍ବୁଲାନ୍ସ, ସ୍କୁଲ ଗାଡି, ଅଗ୍ନିଶମ ଗାଡି ଯାତାୟତ କରିପାରୁନାହିଁ । ଏପରିକି ମୋଟର ସାଇକେଲ୍ ଆରୋହୀ ମଧ୍ୟ ଯାତାୟତ କରିପାରୁନାହାଁନ୍ତି । ଏହି ବ୍ୟବସାୟୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଇ ରାସ୍ତା ଉପରେ ରଖୁଥିବା ଗାଡି ଓ ବୋର୍ଡକୁ ଜବତ କରିବା ପାଇଁ ସାଧାରଣରେ ଦାବି ହେଉଛି ।
ହିନ୍ଦୁସ୍ଥାନ ସମାଚାର / ରବି