
କେନ୍ଦ୍ରାପଡା, ୨୬ ମଇ (ହି.ସ.)- କେନ୍ଦ୍ରାପଡା ସହର ଓ ଆଖପାଖ ଅଂଚଳରେ ବସବାସ କରୁଥିବା ସଂଖ୍ୟାଲଘୁ ସଂପ୍ରଦାୟ (ଇସଲାମ ଧର୍ମାଲମ୍ବୀ)ଙ୍କ ପର୍ବ ଇଦ-ଉଲ-ଜୁହା ପାଳନ ପାଇଁ ଶାନ୍ତି କମିଟି ବୈଠକ ଟାଉନ ଥାନା ପରିସରରେ ଏସଡିପିଓ ଜ୍ୟୋତିରଂଜନ ଗୈାଡଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଶାନ୍ତି ଶୃଙ୍ଖଳାର ସହ ପର୍ବ ପାଳନ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସହଯୋଗ କାମନା କରାଯାଇଛି । ଗୁରୁବାର ସକାଳେ ମସଜିଦ ଓ ଇଦଘା ପଡିଆରେ ସମୂହ ପ୍ରାର୍ଥନା ପରେ ପର୍ବକୁ ନିଜ ନିଜ ଅଂଚଳରେ ଶାନ୍ତି ଶୃଙ୍ଖଳାର ସହ ପାଳନ କରିବା ପାଇଁ ପୋଲିସ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି । ଏନେଇ ପୋଲିସ ପ୍ରଶାସନ ପକ୍ଷରୁ ସହରର ଗୁରୁତ୍ୱପୂର୍ଣ୍ଣ ଅଂଚଳ ମାନଙ୍କରେ ପୋଲିସ ମୁତୟନ ରହିବା ସହ ସହରରେ ପାଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି ଭାବେ ନିର୍ବାହ କରାଯିବ । କୈାଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେଲେ ସ୍ଥାନୀୟ ଅଂଚଳର କାଉନସିଲର ଏବଂ ମୁରବୀ ତୁରନ୍ତ ପୋଲିସ ପ୍ରଶାସନକୁ ଖବର ଦେବାପାଇଁ ନିବେଦନ କରାଯାଇଛି । ଏହି ଶାନ୍ତି କମିଟି ବୈଠକରେ ଟାଉନ ଥାନା ଅଧିକାରୀ ଶୁଭେନ୍ଦୁ କୁମାର ସାହୁ, ସହକାରୀ ଥାନା ଅଧିାରୀ ନିଳିମା ସୋରେଙ୍ଗ, ସମାଜସେବୀ ରଂଜିତ କୁମାର ସାହୁ, ବିଜେପି ନେତା ମହମ୍ମଦ ସଲିମ ଖାନ, ପୂର୍ବତନ କାଉନସିଲର ହିରଣ୍ୟ ପଣ୍ଡା, ମୁକ୍ତାର ଖାନ, ସୟଦ ଅକମଲ ଅଲ୍ଲୀ, ସେକ ଅସଲମ ପ୍ରମୁଖ ଉପସ୍ଥିତ ଥିଲେ । ଏହାସହ ପୋଲିସ ପ୍ରଶାସନ ପକ୍ଷରୁ ସଶସ୍ତ୍ର ବାହିନୀର ଏକ ଫ୍ଲାଗ ମାର୍ଚ୍ଚ ପୁରୁଣା ବସଷ୍ଟାଣ୍ଡ ରୁ ବାହାରୁ ସହର ପରିକ୍ରମା କରି ଗଣାମାହଲ ଦେଇ ଗୋବରୀ ନଦୀ କୂଳ ବାଇପାସ ରାସ୍ତାରେ ଅଦାଲତ ପର୍ଯ୍ୟନ୍ତ ପରିକ୍ରମା କରିଥିଲା । ପର୍ବକୁ ଶାନ୍ତି ଶୃଙ୍ଖଳାର ସହ ପାଳନ କରିବା ପାଇଁ ଜନ ସାଧାରଣଙ୍କୁ ସଚେତନ କରିବାପାଇଁ ପୋଲିସ ପକ୍ଷରୁ ଏହି ଫ୍ଲାଗ ମାର୍ଚ୍ଚ କରାଯାଇଥିବା ଜଣାପଡିଛି ।
ଏହି ଫ୍ଲାଗ ମାର୍ଚ୍ଚରେ ଆର.ଆଇ ପ୍ରଶାନ୍ତ କୁମାର ରଣସିଂହ, କେନ୍ଦ୍ରାପଡା ଏସଡିପିଓ ଜ୍ୟୋତିରଂଜନ ଗୈାଡ, ଟାଉନ ଥାନା ଅଧିକାରୀ ଶୁଭେନ୍ଦୁ ସାହୁ, ସହକାରୀ ଅଧିକାରୀ ନିଳୀମା ସୋରେଙ୍ଗ ପ୍ରମୁଖଙ୍କ ସହ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ରବି