
କେନ୍ଦ୍ରାପଡା, ୨୬ ମଇ (ହି.ସ.)- ମାର୍ଶାଘାଇର ଲୁଣାନଦୀ କୁଳିଆ ଅଂଚଳରେ କିଛି ଦିନ ହେବ ଜଙ୍ଗଲୀ ଘୁଷୁରୀଙ୍କ ଆତଙ୍କ ଦେଖିବାକୁ ମିଳୁଛି। ବଡ଼ପାଳଡିଆ, ଦୁମୁକା, କୁସୁନପୁର, ତୁଳସୀପୁର, ମାର୍ଶାଘାଇ ଯଜ୍ଞମଠ ନିକଟ ଜମି, କଷୋଟିବାଲି ଆଦି ଅଂଚଳରେ ଘୁଷୁରୀମାନେ ରାତି ହେଲେ ମକା, ଆଖୁ ଏବଂ ପନିପରିବା ଖାଇ ନଷ୍ଟ କରିଦେଉଛନ୍ତି। ଆଖୁ ଗଛର ମୂଳରୁ ଭାଙ୍ଗି, ଦାନ୍ତରେ କାଟି ଖାଇବା ସହିତ କ୍ଷେତ ମଝିରେ ଗଦା କରି ତା ଉପରେ ଶୋଇପଡୁଛନ୍ତି। ମିଠାମକା ଗଛରୁ ଫଳ ଗୁଡିକୁ ଖାଇ ଦେଉଛନ୍ତି। ସାରୁ ଗଛର ମୂଳରୁ ତାଡ଼ିଦେଇ ଖାଇଦେଉଛନ୍ତି।
ଏହି ଅଂଚଳରେ ପ୍ରାୟ ଦେଢ଼ ଶହ ଏକର ଜମିରେ ଆଖୁଚାଷ କରାଯାଉଥିବା ବେଳେ କୃଷି ବିଭାଗରୁ ସରକାରଙ୍କ ମିଠାମକା ବିହନ ଆଣି ପ୍ରାୟ ୨ ଏକର ଜମିରେ ମକା ଚାଷ କରିଛନ୍ତି। ଚାଷୀମାନେ କ୍ଷେତରେ ମଞ୍ଚା କରି ରାତିରେ ଟର୍ଚ୍ଚ ଜଳାଇ ଘଉଡ଼ାଇବାକୁ ଚେଷ୍ଟା କରୁଛନ୍ତି ବୋଲି ଚାଷୀ ନିର୍ମଳ କୁମାର ଦଳାଇ କହିଛନ୍ତି। ବନବିଭାଗ, କୃଷି ବିଭାଗ, ଉଦ୍ୟାନ କୃଷି ବିଭାଗ ଏଥି ପ୍ରତି ଦୃଷ୍ଟି ଦେଇ ଘୁଷୁରୀମାନଙ୍କ ଦାଉରୁ ଫସଲକୁ ରକ୍ଷା କରିବା ପାଇଁ ପଦକ୍ଷେପ ନେବାକୁ ଚାଷୀ କପିଳ ଚରଣ ବେହେରା, କିରଣ କୁମାର ବେଉରା, ସୁରେନ୍ଦ୍ର ଦାସ, ରାଜେନ୍ଦ୍ର ବସନ୍ତିଆ, ପିତାମ୍ବର ବେହେରା, ନିର୍ମଳ କୁମାର ଦଳାଇ,ଅକ୍ଷକୁଳି ବେହେରା, ରାଜେନ୍ଦ୍ର ବେହେରା, ସୁବାସ ବସନ୍ତିଆ, ଖଗେଶ୍ୱର ବେହେରା, ଅଶୋକ କୁମାର ବେଉରା, ପନିପରିବା ଚିତ୍ତ ରଞ୍ଜନ ବେଉରା, ଅମର ଦାସ, ଶକ୍ତି ବସନ୍ତିଆ, ବାପି ବେହେରା, ହେମନ୍ତ ବେହେରା, ଦିଲୀପ ବେହେରା ପ୍ରମୁଖ ଦାବୀ କରିଛନ୍ତି।ଘୁଷୁରୀ ପାଳକଙ୍କ ପାଖରୁ କୌଣସି ପ୍ରକାରେ ଗୋଷ୍ଠଛଡ଼ା ହୋଇ ଘୁଷୁରୀ ବଡ଼ପାଳ ଡିଆ ନିକଟ ବଣ ବୁଦା ନିକଟରେ ରହିଯାଇଛି, ପରେ ସେମାନଙ୍କ ସଂଖ୍ୟା ବୃଦ୍ଧି ହୋଇ ଏପରି ଫସଲ ନଷ୍ଟ କରୁଥିବା ନେଇ ସୂଚନା ମିଳିଛି। ଉପରିସ୍ଥ ଅଧିକାରୀଙ୍କ ଦୃଷ୍ଟିକୁ ଆଣିଛି, ନିୟମ ଅନୁସାରେ ପଦକ୍ଷେପ ନେବାକୁ ଚେଷ୍ଟା କରୁଛି ବୋଲି ମାର୍ଶାଘାଇ ଫରେଷ୍ଟ ଅଫିସର ନୀଳିମା ପ୍ରିୟଦର୍ଶିନୀ ନାୟକ କହିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ରବି