ରୁର୍ବାନ ଯୋଜନାରେ ସୋଲାର ଲାଇଟ କାମରେ କୋଟି କୋଟି ଟଙ୍କା ହେରଫେର ଅଭିଯୋଗ
Misappropriation of money
ରୁର୍ବାନ ଯୋଜନାରେ ସୋଲାର ଲାଇଟ କାମରେ କୋଟି କୋଟି ଟଙ୍କା ହେରଫେର ଅଭିଯୋଗ


ଝାରସୁଗୁଡ଼ା, ୨୬ ମେ (ହି.ସ.) - ଝାରସୁଗୁଡା ଜିଲ୍ଲା କୋଲାବିରା ବ୍ଲକ ଅଧୀନ କେନ୍ଦ୍ର ସରକାରଙ୍କ ରୁର୍ବାନ ଯୋଜନାରେ ସମାସିଂହା କ୍ଲଷ୍ଟରରେ ଲଗାଯାଇଥିବା ସୋଲାର ଷ୍ଟ୍ରିଟ୍ ଲାଇଟ କାର୍ଯ୍ୟରେ ବ୍ୟାପକ ଅନିୟମିତତା ଓ କୋଟି କୋଟି ଟଙ୍କା ହେରଫେର ହୋଇଥିବା ନେଇ ଗୁରୁତର ଅଭିଯୋଗ ଉଠିଛି। ଏନେଇ ଅମନାପାଲି ଗ୍ରାମର ବାସିନ୍ଦା ତଥା ସୋଡାମାଳ ପଂଚାୟତ ର ପୂର୍ବତନ ସରପଂଚ ବଲରାମ ପାଣ୍ଡେ ୩ୟ ଥର ପାଇଁ ଲିଖିତ ଅଭିଯୋଗ କରି ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି। ଅଭିଯୋଗ ଅନୁଯାୟୀ, କୋଲାବିରା ବ୍ଲକର ସୋଡାମାଲ, ସମାସିଂହା, କୁଲିହାମାଲ, ପୋଖରାସାହ୍ଲେ, ଝିର୍ଲାପାଲି ଓ କୋଲାବିରା ପଂଚାୟତରେ ପ୍ରାୟ ୧ କୋଟି ୯୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ୨୦୨୨ ମସିହାରେ ସୋଲାର ଲାଇଟ ସ୍ଥାପନ କରାଯାଇଥିଲା। କିନ୍ତୁ କାମରେ ନିମ୍ନମାନର ସାମଗ୍ରୀ ବ୍ୟବହାର ସହ ଟେଣ୍ଡର ପ୍ରକ୍ରିୟାରେ ଗୁରୁତର ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଶ୍ରୀ ପାଣ୍ଡେଙ୍କ କହିବା ଅନୁଯାୟୀ, ସେତେବେଳର ବିଡିଓ ବିଜୟ ସଏ ନିଜେ କାର୍ଯ୍ୟ ପରିଚାଳନା ନକରି ଭୁବନେଶ୍ୱରସ୍ଥ ଓରେଡା ସଂସ୍ଥାକୁ କାର୍ଯ୍ୟ ଦାୟିତ୍ୱ ଦେଇଥିଲେ। ଏଥିପାଇଁ ଟେଣ୍ଡର ପ୍ରକ୍ରିୟାରେ ଭିତିରି ବୁଝାମଣା ହୋଇଥିବା ସନ୍ଦେହ କରାଯାଇଛି। ଝାରସୁଗୁଡା ଜିଲ୍ଲାରେ ପ୍ରସାରଣ ନଥିବା ଏକ ଖବରକାଗଜରେ ଟେଣ୍ଡର ବିଜ୍ଞାପନ ପ୍ରକାଶ କରାଯାଇଥିବାରୁ ଟେଣ୍ଡର ଫିକ୍ସିଂ ହୋଇଥିବା ଅଭିଯୋଗ ଉଠିଛି।

ଅଭିଯୋଗରେ ଆହୁରି କୁହାଯାଇଛି ଯେ, ଟେଣ୍ଡରରେ ହେଭେଲ୍ସ ଓ ସୁର୍ଯ୍ୟ କମ୍ପାନୀର ଲାଇଟ ଲଗାଯିବାକୁ ଉଲ୍ଲେଖ ଥିବାବେଳେ ପ୍ରତି ଖୁମ୍ବ ପାଇଁ ୩୨ ହଜାର ଟଙ୍କା ମଞ୍ଜୁର ହୋଇଥିଲା। କିନ୍ତୁ ବଜାରରେ ଏହି ଲାଇଟର ମୂଲ୍ୟ ପ୍ରାୟ ୧୪ ହଜାର ଟଙ୍କା ଥିବା ଦାବି କରାଯାଇଛି। ତଦୁପରି ଲଗାଯାଇଥିବା ଅଧାରୁ ଅଧିକ ଲାଇଟ ମାତ୍ର ୩ ମାସ ମଧ୍ୟରେ ଅଚଳ ହୋଇଯାଇଥିବା ବେଳେ ଅନେକ ସ୍ଥାନରେ ଖୁମ୍ବ ଭାଙ୍ଗି ପଡୁଥିବା ମଧ୍ୟ ଅଭିଯୋଗରେ ଦର୍ଶାଯାଇଛି। ଅଭିଯୋଗକାରୀଙ୍କ ଦାବି ଅନୁଯାୟୀ, କାମ ସମ୍ପୂର୍ଣ୍ଣ ହୋଇନଥିଲେ ମଧ୍ୟ ଠିକା ସଂସ୍ଥାକୁ ସମ୍ପୂର୍ଣ୍ଣ ବିଲ ପ୍ରଦାନ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ୧ କୋଟି ୨ ଲକ୍ଷ ୫୩ ହଜାର ୮ଶହ ଟଙ୍କା ଓ ଦ୍ୱିତୀୟ ପର୍ଯ୍ୟାୟରେ ୮୯ ଲକ୍ଷ ୬ ହଜାର ୮୪୧ ଟଙ୍କା ଠିକା ସଂସ୍ଥାକୁ ପ୍ରଦାନ କରାଯାଇଥିବା ସେ କହିଛନ୍ତି। ଏନେଇ ଗତ ବର୍ଷ ଜିଲ୍ଲାପାଳଙ୍କ ଅଭିଯୋଗ ଶିବିରରେ ଅଭିଯୋଗ ହୋଇଥିବା ବେଳେ ଗତ ମେ ୨୯ ତାରିଖରେ ପୁଣି ଥରେ ଅଭିଯୋଗ ହୋଇଥିଲେ ମଧ୍ୟ କୌଣସି ତଦନ୍ତ ହୋଇନଥିବାରୁ ଶ୍ରୀ ପାଣ୍ଡେ ପୁନର୍ବାର ଉଚ୍ଚସ୍ତରୀୟ ତଦନ୍ତ ଓ ଭିଜିଲାନ୍ସ ତଦନ୍ତ ଦାବି କରିଛନ୍ତି। ସେ ଦୋଷୀ ଅଧିକାରୀ ଓ ଠିକା ସଂସ୍ଥା ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି। ଏନେଇ ଜିଲ୍ଲାପରିଷଦ ମୂଖ୍ୟ ଉନ୍ନୟନ ଅଧିକାରୀ ବିଶ୍ୱରଂଜନ ନାୟକ ଙ୍କୁ ଯୋଗାଯୋଗ କରାଯିବାରୁ ଅଭିଯୋଗ ଆମ୍ଭର ହସ୍ତଗତ ହୋଇଛି ଓ ଏହାର ସମ୍ପୂର୍ଣ୍ଣ ରିପୋର୍ଟ ବିଭାଗ କୁ ମଗାଯାଇଛି ବୋଲି କହିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande