
- ୨୦୦ ପରୀକ୍ଷାର୍ଥୀ କୃତକାର୍ଯ୍ୟ , ବୁବୁନ ସାହୁ ଟପ୍ପର
ଭୁବନେଶ୍ୱର, ୨୬ ମଇ (ହି.ସ.)- ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ଦ୍ୱାରା ପରିଚାଳିତ ଓଡ଼ିଶା ସିଭିଲ ସେବା (ଓସିଏସ୍) ପରୀକ୍ଷା- ୨୦୨୪ ର ଫଳାଫଳ ମଙ୍ଗଳବାର ପ୍ରକାଶ ପାଇଛି। ଏହି ପରୀକ୍ଷାରେ ମୋଟ୍ ୨୦୦ ଜଣ ପରୀକ୍ଷାର୍ଥୀ (୭୮ ମହିଳା)କୃତକାର୍ଯ୍ୟ ହୋଇଛନ୍ତି। ଚଳିତ ବର୍ଷ ବୁବୁନ ସାହୁ ପରୀକ୍ଷାରେ ଶୀର୍ଷ ସ୍ଥାନ ହାସଲ କରି ଟପ୍ପର ହୋଇଥିବା ବେଳେ ଶୋଭନା ମହାନ୍ତି ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ସେହିପରି ଜୀତମିତ୍ର ସାହୁ ତୃତୀୟ, କନକ ଜୈନ ଚତୁର୍ଥ ଏବଂ ସଂଗ୍ରାମ ପ୍ରଧାନ ପଂଚମ ସ୍ଥାନରେ ରହିଛନ୍ତି। ଅମନ ଗୋୟଲ ଷଷ୍ଠ, ଶାନ୍ତନୁ କୁମାର ଶତପଥୀ ସପ୍ତମ , ନିତେଶ କୁମାର ବାରିକ ଅଷ୍ଟମ, ଶୀତଲ ପାତ୍ର ନବମ ଏବଂ ଈତିଶ୍ରୀ ଜେନା ଦଶମ ସ୍ଥାନରେ ରହିଛନ୍ତି। ମେଧା ତାଲିକା ଓଡିଶା ଲୋକସେବା ଆୟୋଗର ୱେବସାଇଟ୍ ଡବ୍ଲୁଡବ୍ଲୁଡବ୍ଲୁ.ଓପିଏସସି .ଜିଓଭି.ଇନ୍ ରେ ଉପଲବ୍ଧ ରହିଛି।
ଏହି ଚୟନ ତାଲିକାରେ ଅଣସଂରକ୍ଷିତ ବର୍ଗରେ ୭୦ (୩୦ -ମହିଳା), ସାମାଜିକ ଓ ଶିକ୍ଷାଗତ ପଛୁଆ ବର୍ଗରେ ୩୫ (୧୧ - ମହିଳା), ଅନୁସୂଚିତ ଜାତି ବର୍ଗରେ ୪୫ ( ୧୬ - ମହିଳା), ଅନୁସୂଚିତ ଜନଜାତି ବର୍ଗରେ ୫୦ ( ୨୧ - ମହିଳା)ଙ୍କୁ (ପୂର୍ବତନ ସାମରିକ ସେବା କର୍ମଚାରୀ ବର୍ଗରେ - ୦୪ ଏବଂ ଶାରୀରିକ ଅକ୍ଷମ ବର୍ଗରେ - ୦୩ ପ୍ରାର୍ଥୀ) ସୁପାରିଶ୍ କରାଯାଇଅଛି ।
ସୂଚନା ଅନୁଯାୟୀ ଓଡ଼ିଶା ସିଭିଲ୍ ସର୍ଭିସ୍, ୨୦୨୪ ପରୀକ୍ଷାର ବିଜ୍ଞାପନ ତା ୩୧.୧୨.୨୦୨୪ ରିଖ ଦିନ ସମୁଦାୟ ୨୦୦ (୬୫ - ମହିଳା) ପଦବୀ ପାଇଁ ପ୍ରକାଶିତ ହୋଇଥିଲା । ଓଡିଶା ସିଭିଲ୍ ସର୍ଭିସ୍ ପରୀକ୍ଷା ପାଇଁ ସମୁଦାୟ ୮୫୨୨୩ (୩୩୬୩୦-ମହିଳା) ପ୍ରାର୍ଥୀ ଆବେଦନ କରିଥଲେ ଏବଂ ଏହା ମଧ୍ୟରୁ ୩୫୧୬୫ (୧୩୯୮୫ - ମହିଳା) ପ୍ରାର୍ଥୀ ତା ୧୨.୧୦.୨୦୨୫ ରିଖରେ ଅନୁଷ୍ଠିତ ହୋଇଥିବା ପ୍ରାରମ୍ଭିକ ପରୀକ୍ଷା ଦେଇଥିଲେ । ୨୪୦୫ (୭୮୧ - ମହିଳା) ଜଣ ପରୀକ୍ଷାର୍ଥୀ ଏହି ପ୍ରାରମ୍ଭିକ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ । ଓଡିଶା ସିଭିଲ ସର୍ଭିସ୍ (ମୁଖ୍ୟ) ପରୀକ୍ଷା, ୨୦୨୪ ର ଲିଖିତ ପରୀକ୍ଷା ତା ୩୧.୦୧.୨୦୨୬ ରିଖରୁ ତା ୧୦,୦୨,୨୦୨୬ ରିଖ ରେ ଅନୁଷ୍ଠିତ ହୋଇଥିଲା । ଏହି ପରୀକ୍ଷାରେ ୨୦୫୮ (୭୦୭ - ମହିଳା) ପରୀକ୍ଷାର୍ଥୀ ଉପସ୍ଥିତ ଥିଲେ । ଏହା ମଧ୍ୟରୁ ୩୮୫ (୧୫୫ -ମହିଳା) ପ୍ରାର୍ଥୀଙ୍କୁ ଦସ୍ତାବିଜ ଯାଂଚ ଏବଂ ସାକ୍ଷାତକାର ପରୀକ୍ଷା ପାଇଁ କଟକ ସ୍ଥିତ ଓଡିଶା ଲୋକସେବା ଆୟୋଗର କାର୍ଯ୍ୟାଳୟରେ ତା ୧୪.୦୫.୨୦୨୬ ରିଖରୁ ତା ୨୦.୦୫.୨୦୨୬ ରିଖ ଅବଧି ମଧ୍ୟରେ ଡକାଯାଇଥିଲା ।
ଗତ କିଛି ବର୍ଷ ହେଲା ଓଡିଶା ସିଭିଲ୍ ସର୍ଭିସେସ୍ ପରୀକ୍ଷାର ଦରଖାସ୍ତ ଆହ୍ୱାନରୁ ଫଳାଫଳ ପ୍ରକାଶ ପର୍ଯ୍ୟନ୍ତ ସମୁଦାୟ ପ୍ରକ୍ରିୟା ୨୧/୨୨ ମାସ ସମୟ ଲାଗୁଥିଲା । କିନ୍ତୁ ଏଥର ୧୭ ମାସରେ ଏହି ପରୀକ୍ଷାର ରେଜଲ୍ଟ ପ୍ରକାଶ କରାଯାଇ ପାରିଛି। ଏହାଦ୍ୱାରା ୟୁପିଏସସି ଦ୍ୱାରା ପରିଚାଳିତ ସିଭିଲ୍ ସର୍ଭିସ୍ ପରୀକ୍ଷାର ବିଭିନ୍ନ ସୋପାନ ସହିତ ଓପିଏସସିର ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷାର ତାଳମେଳ ରହିବ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା