ରବି ଧାନ ସଂଗ୍ରହ ନିମନ୍ତେ ପ୍ରସ୍ତୁତି ବୈଠକ
ଝାରସୁଗୁଡ଼ା, ୨୬ ମଇ (ହି.ସ.)- ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ସ୍ଥାନୀୟ ଡିଏମଏଫ୍ ଅଡିଟୋରିୟମଠାରେ ୨୦୨୫-୨୬ ଧାନ ସଂଗ୍ରହ ବର୍ଷର ରବି ଋତୁ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଚଳିତ ରବି ଋତୁରେ ଜିଲ୍ଲାର ୨୮ ଗୋଟି ସମବାୟ ସୋସାଇଟି ଜରିଆରେ ଚାଷୀଙ
ରବି ଧାନ ସଂଗ୍ରହ ନିମନ୍ତେ ପ୍ରସ୍ତୁତି ବୈଠକ


ଝାରସୁଗୁଡ଼ା, ୨୬ ମଇ (ହି.ସ.)- ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ସ୍ଥାନୀୟ ଡିଏମଏଫ୍ ଅଡିଟୋରିୟମଠାରେ ୨୦୨୫-୨୬ ଧାନ ସଂଗ୍ରହ ବର୍ଷର ରବି ଋତୁ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଚଳିତ ରବି ଋତୁରେ ଜିଲ୍ଲାର ୨୮ ଗୋଟି ସମବାୟ ସୋସାଇଟି ଜରିଆରେ ଚାଷୀଙ୍କଠାରୁ ସୁଚାରୁରୂପେ ଧାନ ସଂଗ୍ରହ କରାଯିବ। ଏହି ପ୍ରକ୍ରିୟାକୁ ସ୍ୱଚ୍ଛ ଓ ଶୃଙ୍ଖଳିତ କରିବା ପାଇଁ ଆଜି ମଣ୍ଡି ନୋଡାଲ ଅଫିସର ଏବଂ ମଣ୍ଡି ସୁପରଭାଇଜର ମାନଙ୍କୁ ଆନୁଷ୍ଠାନିକ ଭାବେ ନିଯୁକ୍ତି ଦିଆଯିବା ସହ ସେମାନଙ୍କ ଦାୟିତ୍ୱ ବିଷୟରେ ଅବଗତ କରାଯାଇଛି।

ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣଙ୍କ ନିର୍ଦ୍ଦେଶକ୍ରମେ ନିଯୁକ୍ତ ହୋଇଥିବା ସମସ୍ତ ମଣ୍ଡି ନୋଡାଲ ଅଫିସର ଏବଂ ମଣ୍ଡି ସୁପରଭାଇଜର ମାନେ ନିଜ ନିଜ ମଣ୍ଡିରେ ନିୟମିତ ଉପସ୍ଥିତ ରହିବେ। ଚାଷୀମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହେବେ, ସେଥିପାଇଁ ପ୍ରତ୍ୟେକ ମଣ୍ଡିରେ ପିଇବା ପାଣି, ବସିବା ପାଇଁ ଆବଶ୍ୟକ ଗୃହ ବା ବିଶ୍ରାମାଗାର, ସିସିଟିଭି ଏବଂ ଶୌଚାଳୟ ଭଳି ସମସ୍ତ ଆନୁଷଙ୍ଗିକ ଭିତ୍ତିଭୂମିର ସୁବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହିତ ସମ୍ପୃକ୍ତ ମିଲରମାନେ ଯେପରି ଠିକ୍ ସମୟରେ ମଣ୍ଡିକୁ ଗାଡ଼ି ପଠାଇ ଧାନ ଉଠାଣ କରିବେ, ତାହା ଉପରେ ତୀକ୍ଷ୍ନ ନଜର ରଖିବାକୁ କୁହାଯାଇଛି। ଏହି ସମଗ୍ର ଧାନ କ୍ରୟ ପ୍ରକ୍ରିୟାକୁ ଅଧିକ ପ୍ରଭାବଶାଳୀ କରିବା ପାଇଁ ଜିଲ୍ଲାପାଳ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଜିଲ୍ଲାର ସମସ୍ତ ଦାୟିତ୍ୱପ୍ରାପ୍ତ ଅଫିସରମାନେ ପ୍ରତ୍ୟେକ ଦିନ ନିଜ ଅଞ୍ଚଳର ମଣ୍ଡିଗୁଡ଼ିକୁ ପରିଦର୍ଶନ କରି ସ୍ଥିତି ତଦାରଖ କରିବେ। ଧାନ ସଂଗ୍ରହ କାର୍ଯ୍ୟରେ କୌଣସି ପ୍ରକାରର ଶିଥିଳତା, ଅନିୟମିତତା କିମ୍ବା କର୍ତ୍ତବ୍ୟରେ ଅବହେଳାକୁ ବରଦାସ୍ତ କରାଯିବ ନାହିଁ ଏବଂ ଖିଲାପକାରୀଙ୍କ ବିରୁଦ୍ଧରେ ଦୃଢ଼ ବିଭାଗୀୟ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି।

ଆଜି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଅତିରିକ୍ତ ଯୋଗାଣ ଅଧିକାରୀ, ସହକାରୀ ଯୋଗାଣ ଅଧିକାରୀ, ସମବାୟ ସମିତି ସମୂହର ସହକାରୀ ନିବନ୍ଧକ ଏବଂ ଜିଲ୍ଲାର ୫ ଗୋଟି ବ୍ଲକରୁ ଆସିଥିବା ସମସ୍ତ ନବନିଯୁକ୍ତ ମଣ୍ଡି ନୋଡାଲ ଅଫିସର ଓ ମଣ୍ଡି ସୁପରଭାଇଜର ପ୍ରମୁଖ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande