
କେନ୍ଦ୍ରାପଡା, ୨୬ ମଇ (ହି.ସ.)- ବେଆଇନ ଭାବେ ନଦୀ ପଠାରୁ ଉଠୁଛି ମାଟି । କୁମ୍ଭ କର୍ଣ ନିଦ୍ରାରେ ସ୍ଥାନୀୟ ପ୍ରଶାସନ ଓ ଖଣି ଅଧିକାରୀ । ଅଭିଯୋଗ ପରେ ମଧ୍ୟ ଶୁଣୁନି ପ୍ରଶାସନ। ବଢୁଛି ମାଟି ମାଫିଆଙ୍କ ଉତ୍ପାତ। ଗଣମାଧ୍ୟମ କ୍ୟାମେରା ଦେଖି ଗାଡି ସହ ଡ୍ରାଇଭର ମାରିଲେ ଚମ୍ପଟ। କେନ୍ଦ୍ରାପଡ଼ା ଜିଲ୍ଲା ଆଳି ତହସିଲ ଅଧିନ ଅଟାଳ ପଞ୍ଚାୟତ ମହୁ ସର୍କଲ ଅଧିନରେ ମାଟି ମାଫିଆଙ୍କ ଉତ୍ପାତ। ଦିନ ତମାମ ପ୍ରଶାସନ ଆଖିରେ ଆଙ୍ଗୁଳି ଗେଞ୍ଜି ଉଠାଉଛନ୍ତି ମାଟି। ନଦୀ ପଠାରୁ ମାଟି ତାଡି ମାଳ ମାଳ ବେଆଇନ୍ ଏଟାଭାଟି। କୁମ୍ଭକର୍ଣ ନିଦ୍ରାରେ ଜିଲ୍ଲା ଖଣି ଅଧିକାରି ଓ ଆଳି ପୋଲିସ୍ ଏବଂ ତହସିଲ୍ ପ୍ରଶାସନ ମୋଟା ଅଙ୍କର ଅର୍ଥ ନେଇ ଚୁପ୍ ବସିଛି କି ?.. ବାଲି ମାଫିଆ ମାଟି ମାଫିଆଙ୍କୁ ଦମନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ କଡା ନିର୍ଦ୍ଧେଶକୁ ଖାତିର କରୁନାହାନ୍ତି ପ୍ରଶାସନିକ ଅଧିକାରୀ। ଅଞ୍ଚରେ ମାଳ ମାଳ ଇଟା ଭାଟି ହେଲେ ରାଜସ୍ୱ ବିଭାଗ ଜାଣିନି। ମାଫିଆଙ୍କୁ ଭୟ କରୁଛନ୍ତି କି ପ୍ରଶାସନିକ ଅଧିକାରୀ ? ଖୁଲମଖୁଲା ଚାଲିଛି ନାଲି ଇଟାର ବେପାର । ଧୂଆଁ ଧୂଳି ଓ ପରିବେଶକୁ ନଷ୍ଟ କରି ଜନବସତି ପାଖରେ, ନଦୀପଠାର ମାଟିକୁ ଆଣି, ଧାମରା ବନ୍ଦରର ଚୋରା କୋଇଲାକୁ ବେଆଇନ ଭାବରେ ଏହି ସବୁ ଭାଟିରେ ଦେଇ ଦିନରାତି ଧୂଆଁରେ ସାରା ଅଞ୍ଚଳ ବୁଡି ରହି ଅଣନିଶ୍ୱାସୀ ହେଇଥିବା ବେଳେ ଆଳି ତହସିଲ ଅଫିସ ଦେଖି ଜଳକା ପାଲଟିଯିବା ଆମ ସରକାରୀ ପରିବାପଣିଆକୁ ନେଇ ପ୍ରଶ୍ନ ଉଠାଇଛି । ଦିନକୁ ଦିନ ଆଳି ବାଳକାଟି ଅଞ୍ଚଳର ମୁଖ୍ୟରାସ୍ତା କଡ଼ର ଇଟା ବେପାର ଦେଖୁ ଦେଖୁ ସଚେତନ ଲୋକେ ପ୍ରତିବାଦ କଲେ ବି ଫଳ କିଛି ନାହି । ରୟାଲିଟି କାଟିବା ଆଳରେ ରାଜସ୍ଵ କର୍ମଚାରୀ ବ୍ୟକ୍ତିଗତ ଚାନ୍ଦା ନେଇ ନାମକୁ ମାତ୍ର ରସିଦ କରୁଥିବାରୁ ଇଟା ମାଫିଆ ମାନେ ଆମେ ରସିଦ କାଟୁଛୁ କହି ପୀଢ଼ି ପରେ ପୀଢ଼ି ଏହି ବ୍ୟବସାୟ ଜାରି ରଖୁଛନ୍ତି । ଦିନକୁ ଦିନ ବିଶ୍ବ ତାପମାନ ବଢୁଥିବା ବେଳେ ଏଥିପ୍ରତି କୌଣସି ଉତ୍ତର ଦାୟିତ୍ଵ ନରଖି ରାଜସ୍ଵ କର୍ମଚାରୀ ଇଟା ମାଫିଆଙ୍କୁ ବର୍ଷ ବର୍ଷ ଧରି ସୁଯୋଗ ଦେଉଥିବାରୁ ଆଳି ଅଞ୍ଚଳର ଜନଜୀବନ ତ୍ରାହି ତ୍ରାହି ଡାକିଲେଣି । ଇଟା ମାଫିଆଙ୍କ ଯୋଗୁ ପରିବେଶ ନଷ୍ଟ ହେଇଥିବା ବେଳେ ଜିଲ୍ଲା ପ୍ରଶାସନ ସବୁ ତହସିଲ ଅଞ୍ଚଳରୁ ଚାନ୍ଦା ନେଇ ନିଜକୁ ସତୀ ତୁଳସୀ କହିବା ଦ୍ଵାରା ଆଳି ଅଞ୍ଚଳରେ ପ୍ରତିବର୍ଷ ଲାଭଜନକ ଇଟା ପୋଡା ବେପାର ବଢ଼ିଛି। ତହସିଲ୍ ଓ ଜିଲ୍ଲା ପ୍ରଶାସନ ଇଟା ମାଲିକ ମାନଙ୍କ ବିରୋଧରେ କେଉଁ ପଦକ୍ଷେପ ନେଉଛନ୍ତି ଦେଖିବାକୁ ଅପେକ୍ଷା । ଜିଲ୍ଲା ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବାକୁ ଦାବୀ ହେଉଛି।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ