ସମ୍ଭାବ୍ୟ ବନ୍ୟାର ମୁକାବିଲା ପାଇଁ ଜଳ ସମ୍ପଦ ବିଭାଗର ପ୍ରସ୍ତୁତି ବୈଠକ ଅନୁଷ୍ଠିତ
- ଜୁନ୍ ୧ ରୁ ଅକ୍ଟୋବର ୩୧ ପର୍ଯ୍ୟନ୍ତ ଦିନରାତି ଚାଲିବ ବନ୍ୟା ନିୟନ୍ତ୍ରଣ କକ୍ଷ ଭୁବନେଶ୍ୱର, ୨୬ ମଇ (ହି.ସ.)- ଆଗାମୀ ମୌସୁମୀ ଋତୁ ତଥା ବନ୍ୟା ସମୟରେ ପ୍ରଭାବଶାଳୀ ପରିଚାଳନା ଏବଂ ଜନସାଧାରଣଙ୍କ ସୁରକ୍ଷା ନିଶ୍ଚିତ କରିବା ପାଇଁ ମଙ୍ଗଳବାର ଏକ ଉଚ୍ଚସ୍ତରୀୟ ପ୍ରାକ୍-ବନ୍ୟା ପ୍ରସ୍ତୁତି ସମୀକ୍ଷା ବ
shtd


- ଜୁନ୍ ୧ ରୁ ଅକ୍ଟୋବର ୩୧ ପର୍ଯ୍ୟନ୍ତ ଦିନରାତି ଚାଲିବ ବନ୍ୟା ନିୟନ୍ତ୍ରଣ କକ୍ଷ

ଭୁବନେଶ୍ୱର, ୨୬ ମଇ (ହି.ସ.)- ଆଗାମୀ ମୌସୁମୀ ଋତୁ ତଥା ବନ୍ୟା ସମୟରେ ପ୍ରଭାବଶାଳୀ ପରିଚାଳନା ଏବଂ ଜନସାଧାରଣଙ୍କ ସୁରକ୍ଷା ନିଶ୍ଚିତ କରିବା ପାଇଁ ମଙ୍ଗଳବାର ଏକ ଉଚ୍ଚସ୍ତରୀୟ ପ୍ରାକ୍-ବନ୍ୟା ପ୍ରସ୍ତୁତି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଭାଗର ପ୍ରମୁଖ ସଚିବ ଶ୍ରୀମତୀ ଶୁଭା ଶର୍ମାଙ୍କ ସହିତ ସର୍ବୋଚ୍ଚ ଯନ୍ତ୍ରୀ ଇଂ ବିଭୁତି ଭୂଷଣ ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ରାଜ୍ୟର ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ବିଭାଗ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପର ବିସ୍ତୃତ ସମୀକ୍ଷା କରାଯାଇଛି।

ବୈଠକରେ ନିଆଯାଇଥିବା ନିଷ୍ପତି ଅନୁଯାୟୀ ଆସନ୍ତା ଜୁନ୍ ୧ ତାରିଖରୁ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ସମସ୍ତ ଡିଭିଜନ, ସର୍କଲ ଏବଂ ମୁଖ୍ୟ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସ୍ତରରେ ବନ୍ୟା ନିୟନ୍ତ୍ରଣ କକ୍ଷଗୁଡ଼ିକ ୨୪ ଘଣ୍ଟିଆ କାର୍ଯ୍ୟକ୍ଷମ ରହିବ। ସେଚ ସଦନସ୍ଥିତ ସର୍ବୋଚ୍ଚ ଯନ୍ତ୍ରୀଙ୍କ ବନ୍ୟା ପ୍ରକୋଷ୍ଠ ଏବଂ ରାଜୀବ ଭବନସ୍ଥିତ ରାଜ୍ୟ ହାଇଡ୍ରୋଲୋଜିକାଲ୍ ଡାଟା ସେଂଟର ରେ ଥିବା ଜଳସମ୍ପଦ ବିଭାଗର ବନ୍ୟା ପ୍ରକୋଷ୍ଠ ଜୁନ୍ ୧ ରୁ ଅକ୍ଟୋବର ୩୧ ପର୍ଯ୍ୟନ୍ତ (୨୪ଙ୍ଘଟା) କାର୍ଯ୍ୟ କରିବ। ଚଳିତ ବର୍ଷ ମଧ୍ୟ ସର୍ବୋଚ୍ଚ ଯନ୍ତ୍ରୀଙ୍କ ନିର୍ଦ୍ଦେଶରେ ଏହି ଫ୍ଲଡ୍ ସେଲ୍ ଅଧୀନରେ ଥିବା 'ଏସଆଇ ଟିମ୍' ଦୈନିକ ଦୁଇଥର ନିୟମିତ ଭାବେ ବନ୍ୟା ବୁଲେଟିନ୍ ପ୍ରକାଶ କରିବେ।ପଡ଼ୋଶୀ ସହ-ଅବବାହିକା ରାଜ୍ୟ ଗୁଡ଼ିକ ସହ ଜଳ ପ୍ରବାହ ସମ୍ପର୍କିତ ସୂଚନା ଆଦାନ ପ୍ରଦାନ ଓ ସମନ୍ୱୟ ରକ୍ଷା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି।

ଚଳିତ ବର୍ଷ ବନ୍ୟାଜନିତ କ୍ଷୟକ୍ଷତିକୁ ରୋକିବା ସହ ‘ଶୂନ୍ୟ ମୃତାହତ’ ଲକ୍ଷ୍ୟ ହାସଲ କରିବା ପାଇଁ ସମସ୍ତ କ୍ଷେତ୍ରସ୍ତରୀୟ ଅଧିକାରୀ ଓ ବିଭିନ୍ନ ସବ୍-ୱିଙ୍ଗକୁ ପରସ୍ପର ମଧ୍ୟରେ ସମନ୍ୱୟ ରକ୍ଷା କରି ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଚଳିତ ବର୍ଷ ପାଇଁ ରାଜ୍ୟର ବିଭିନ୍ନ ନଦୀବନ୍ଧଗୁଡ଼ିକର ସ୍ଥିତି ଏବଂ ଗତ ବର୍ଷ ବନ୍ୟା ସମୟରେ ହୋଇଥିବା କ୍ଷୟକ୍ଷତିର ପୁନରୁଦ୍ଧାର ତଥା ମରାମତି କାର୍ଯ୍ୟର ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ମୌସୁମୀ ବର୍ଷା ଆରମ୍ଭ ହେବା ପୂର୍ବରୁ ସମସ୍ତ ଅସମ୍ପୂର୍ଣ୍ଣ ମରାମତି କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତିରେ ଶେଷ କରିବାକୁ କ୍ଷେତ୍ରାଧିକାରୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଏହା ସହିତ ନଦୀ ପଠାରେ ଥିବା ସ୍ଲୁଇସ୍ ଗେଟ୍ ଗୁଡ଼ିକର କାର୍ଯ୍ୟକ୍ଷମତା ଏବଂ ସହରାଂଚଳ ଓ ଗ୍ରାମାଂଚଳରେ ଜଳ ନିଷ୍କାସନ ସମସ୍ୟାର ସମାଧାନ ପାଇଁ ଡ୍ରେନେଜ୍ ବ୍ୟବସ୍ଥାର ସଫେଇ ଉପରେ ଗୁରୁତ୍ୱାରୋପ କରାଯାଇଛି।

ବନ୍ୟା ଜଳ ନିଷ୍କାସନର ପ୍ରଭାବଶାଳୀ ପରିଚାଳନା ଓ ପ୍ରଶମନ ଉପରେ ବୈଠକରେ ବିସ୍ତୃତ ଆଲୋଚନା କରାଯାଇ ଜଳ ପ୍ରବାହକୁ ବାଧାପ୍ରାପ୍ତ କରୁଥିବା ସମସ୍ତ ପ୍ରକାର ଜଳବନ୍ଦୀ ସମସ୍ୟାର ସମାଧାନ ତଥା ନଦୀପଥ ସଫେଇ ଓ ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବନ୍ୟାର ସଫଳ ମୁକାବିଲା ପାଇଁ ଆବଶ୍ୟକୀୟ ବନ୍ୟା ପ୍ରତିରୋଧକ ସାମଗ୍ରୀ ଯଥା ବାଲିବସ୍ତା, ବାଉଁଶ ଏବଂ ଜାଲି ଆଦିର ଆବଶ୍ୟକତା ଓ ମହଜୁଦ ସ୍ଥିତି ସମ୍ପର୍କରେ ପ୍ରମୁଖ ସଚିବ ଯାଂଚ କରିଥିଲେ। ଯେକୌଣସି ଜରୁରୀ ପରିସ୍ଥିତିରେ ବ୍ୟବହାର କରାଯିବାକୁ ଥିବା ଆଧୁନିକ ଯନ୍ତ୍ରପାତିଗୁଡ଼ିକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରଖିବା ସହ ଚଳିତ ମୌସୁମୀ ପାଇଁ ଚିହ୍ନଟ ହୋଇଥିବା ଅତି ସଂବେଦନଶୀଳ ଓ ଦୁର୍ବଳ ସ୍ଥାନଗୁଡ଼ିକ ଉପରେ ୨୪ ଘଂଟିଆ ତୀକ୍ଷ୍ଣ ନଜର ରଖିବାକୁ କୁହାଯାଇଛି।

ଏହି ବୈଠକରେ ବିଭାଗୀୟ ବରିଷ୍ଠ ଅଧିକାରୀ ବୃନ୍ଦ ଓ ସମସ୍ତ ପ୍ରକଳ୍ପର ମୁଖ୍ୟ ଯନ୍ତ୍ରୀ ଆଭାସୀ ମାଧ୍ୟମରେ ଯୋଗଦେଇ ପ୍ରକଳ୍ପର ସ୍ଥିତି ବିଷୟରେ ଅବଗତ କରିଥିଲେ ।

..............

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande