
ନୂଆଦିଲ୍ଲୀ, ୨୩ ଜୁନ୍(ହି.ସ.) – ଆମେରିକା ଏବଂ ଇରାନ ମଧ୍ୟରେ ହୋଇଥିବା ବୁଝାମଣାକୁ ଭାରତ ସ୍ୱାଗତ କରୁଛି ବୋଲି ଜାତୀୟ ସୁରକ୍ଷା ପରାମର୍ଶଦାତା(ଏନ୍.ଏସ୍.ଏ.) ଅଜିତ ଡୋଭାଲ ମଙ୍ଗଳବାର ଏଠାରେ ବ୍ରିକ୍ସ ରାଷ୍ଟ୍ରଗୁଡ଼ିକର ଏକ ବୈଠକରେ କହିଛନ୍ତି। ସେ କହିଥିଲେ ଯେ ହରମୁଜ ଜଳପ୍ରବାହ ଖୋଲିବା ଦ୍ୱାରା ଶକ୍ତି ସୁରକ୍ଷା ସୁଦୃଢ଼ ହେବ, ଯୋଗାଣ ଶୃଙ୍ଖଳାର ପ୍ରତିବନ୍ଧକ ହ୍ରାସ ପାଇବ ଏବଂ ସାର, ରାସାୟନିକ ପଦାର୍ଥ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ଉପଲବ୍ଧତା ବୃଦ୍ଧି ପାଇବ। ଏହା ଆଂଚଳିକ ଏବଂ ବୈଶ୍ୱିକ ଆର୍ôଥକ ସମୃଦ୍ଧିକୁ ମଧ୍ୟ ପ୍ରୋତ୍ସାହନ ଦେବ।
୧୬ତମ ବ୍ରିକ୍ସ ଜାତୀୟ ସୁରକ୍ଷା ପରାମର୍ଶଦାତା ବୈଠକରେ ଡୋଭାଲ ବୈଶ୍ୱିକ ଆହ୍ୱାନର ମୁକାବିଲା କରିବାରେ ବ୍ରିକ୍ସର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ। ଡୋଭାଲ କହିଛନ୍ତି ଯେ ବିଶ୍ୱ ବର୍ତମାନ ସାମରିକ ସଂଘର୍ଷ, ଭୂ-ରାଜନୈତିକ ଅନିଶ୍ଚିତତା, ଅର୍ଥନୈତିକ ଚାପ ଏବଂ ବିଘଟନକାରୀ ପ୍ରଯୁକ୍ତିବିଦ୍ୟା ଭଳି ଜଟିଳ ଆହ୍ୱାନର ସମ୍ମୁଖୀନ ହେଉଛି। ସେ କହିଥିଲେ ଯେ ବିବାଦ ସମାଧାନର ପାରମ୍ପରିକ ବ୍ୟବସ୍ଥା ଦୁର୍ବଳ ହେଉଥିବା ସମୟରେ ବ୍ରିକ୍ସର ଭୂମିକା ଆହୁରି ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି।
ଏନ୍.ଏସ୍.ଏ. କହିଛି ଯେ ବହୁପକ୍ଷବାଦ ଦୁର୍ବଳ ହେଉଛି। ଏକ ଅଧିକ ବହୁମୁଖୀ ବିଶ୍ୱ ଶୃଙ୍ଖଳାକୁ ପ୍ରୋତ୍ସାହିତ କରିବା ପାଇଁ ଉଦୀୟମାନ ଅର୍ଥବ୍ୟବସ୍ଥାର ଏକ ଅନୌପଚାରିକ ଗୋଷ୍ଠୀ ଭାବେ ବ୍ରିକ୍ସର ପରିକଳ୍ପନା କରାଯାଇଥିଲା। ସେ କହିଛନ୍ତି, ଏହି ଅଶାନ୍ତ ଏବଂ ଦ୍ରୁତ ପରିବର୍ତନଶୀଳ ଯୁଗରେ ଆମର ଏକ ସ୍ୱତନ୍ତ୍ର ଭୂମିକା ରହିଛି, ଯେଉଁଠାରେ ବିବାଦ ସମାଧାନର ପୁରୁଣା ପଦ୍ଧତି ପ୍ରଭାବହୀନ ହେବାରେ ଲାଗିଛି। ଏକ ଗୋଷ୍ଠୀ ଭାବେ ଆମେ କେଉଁ ଭୂମିକା ନିର୍ବାହ କରିପାରିବା, ତାହା ବିଚାର କରିବା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ। ଡୋଭାଲ କହିଛନ୍ତି ଯେ ସାଇବର ବିପଦ, ଆତଙ୍କବାଦର ନୂତନ ରୂପ ଏବଂ ବିଘଟନକାରୀ ପ୍ରଯୁକ୍ତିବିଦ୍ୟା ଭଳି ଅଣ-ପାରମ୍ପାରିକ ସୁରକ୍ଷା ବିପଦ ଜାତୀୟ ସୀମା ବାହାରେ ବ୍ୟାପିଛି। ସେ କହିଥିଲେ ଯେ ଏହି ଆହ୍ୱାନର ମୁକାବିଲା ପାଇଁ ସାମୂହିକ ପ୍ରୟାସ ଏବଂ ନୂତନ ଆଭିମୁଖ୍ୟର ଆବଶ୍ୟକତା ରହିଛି।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି