
ନୂଆଦିଲ୍ଲୀ, ୨୩ ଜୁନ୍(ହି.ସ.) – ବହୁରାଷ୍ଟ୍ରୀୟ ଟେକ୍ନୋଲୋଜି କମ୍ପାନୀ ଗୁଗୁଲ୍ ମଙ୍ଗଳବାର ସକାଳେ ଏହାର ପ୍ଲେ ଷ୍ଟୋର୍ରେ ମେସେଜିଂ ଆପ୍ ‘ଟେଲିଗ୍ରାମ'କୁ ପୁନଃସ୍ଥାପିତ କରିଛି। ଜୁନ୍ ୨୨ରେ ମଧ୍ୟରାତ୍ରିରେ କେନ୍ଦ୍ର ସରକାରଙ୍କ ଅସ୍ଥାୟୀ ପ୍ରତିବନ୍ଧକ ସମାପ୍ତ ହେବା ପରେ ଗୁଗୁଲର ପଦକ୍ଷେପ ଆସିଛି।
ମେସେଜିଂ ଆପ୍ ‘ଟେଲିଗ୍ରାମ' ଗୁଗୁଲ୍ ପ୍ଲେ ଷ୍ଟୋରରେ ପୁନରୁଦ୍ଧାର ହେବା ପୂର୍ବରୁ କିଛି ବିଦ୍ୟମାନ ବ୍ୟବହାରକାରୀଙ୍କ ପାଇଁ ପୂର୍ବରୁ ଚାଲୁଥିଲା। ତେବେ ଆଜି ସକାଳ ୧୦ଟା ପର୍ଯ୍ୟନ୍ତ ଏହା ଆପଲ୍ ପ୍ଲେ ଷ୍ଟୋର୍ରେ ଡାଉନଲୋଡ୍ ପାଇଁ ଉପଲବ୍ଧ ନଥିଲା। ଏହି ପ୍ରସଙ୍ଗରେ ପଠାଯାଇଥିବା ଇମେଲ୍ ଉପରେ ଆପଲ୍ ତରଫରୁ ତୁରନ୍ତ କୌଣସି ପ୍ରତିକ୍ରିୟା ଆସିନାହିଁ।
ଉଲ୍ଲେଖନୀୟ କଥା ହେଉଛି, କେନ୍ଦ୍ର ସରକାର ଗୁଗୁଲ୍ ଏବଂ ଆପଲ୍କୁ ନିର୍ଦ୍ଦେଶ ଦେଇଥିଲେ ଯେ ଜାତୀୟ ଯୋଗ୍ୟତା ତଥା ପ୍ରବେଶିକା ପରୀକ୍ଷା(ଏନ୍.ଇ.ଇ.ଟି.-ୟୁ.ଜି.) ପୁନଃ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ରୋକିବା ପାଇଁ ଜୁନ୍ ୨୨ ଦ୍ୱାରା ସେମାନଙ୍କ ପ୍ଲାଟଫର୍ମରୁ ‘ଟେଲିଗ୍ରାମ୍' ଅପସାରଣ କରନ୍ତୁ। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(ଏନ୍.ଟି.ଏ.) ଜରିଆରେ ସାରା ଦେଶର ମେଡ଼ିକାଲ ପ୍ରତିଷ୍ଠାନରେ ନାମଲେଖା ପାଇଁ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥାଏ। ପୂର୍ବରୁ ମେ’ ୩ରେ ଅନୁଷ୍ଠିତ ହୋଇଥିବା ଏହି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ପରେ ବାତିଲ କରାଯାଇଥିଲା। ଏହାପରେ ଜୁନ୍ ୨୧ରେ ଏକ ପୁନଃ ପରୀକ୍ଷା ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଏପର୍ଯ୍ୟନ୍ତ କୌଣସି ଜାଲିଆତି ରିପୋର୍ଟ କରାଯାଇ ନାହିଁ।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି