
ନୂଆଦିଲ୍ଲୀ, ୨୫ ଜୁନ୍ (ହି.ସ.)- ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାୟ ଗୁରୁବାର ଦିନ କେନ୍ଦ୍ର ସ୍ୱାସ୍ଥ୍ୟ, ପରିବାର କଲ୍ୟାଣ, ରସାୟନ ଓ ସାର ମନ୍ତ୍ରୀ ଜେ. ପି. ନଡ୍ଡାଙ୍କୁ ଭେଟିଛନ୍ତି ଏବଂ ରାଜ୍ୟରେ ଜନସ୍ୱାସ୍ଥ୍ୟ, ଚିକିତ୍ସା ଭିତିଭୂମି, ଫାର୍ମାସ୍ୟୁଟିକାଲ୍ସ ଏବଂ ସାର କ୍ଷେତ୍ର ସମେତ ବିଭିନ୍ନ ପ୍ରସଙ୍ଗରେ ବିକାଶ ଯୋଜନା ବିଷୟରେ ବିସ୍ତୃତ ଆଲୋଚନା କରିଛନ୍ତି ।
ସରକାରୀ ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀ ସାୟ କେନ୍ଦ୍ର ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ଯେ ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବାର ସମ୍ପ୍ରସାରଣ ଏବଂ ସୁଦୃଢ଼ୀକରଣ ପାଇଁ ନିରନ୍ତର କାର୍ଯ୍ୟ କରୁଛନ୍ତି । ବିଶେଷ କରି ଦୁର୍ଗମ, ଗ୍ରାମାଚଂଳ ଏବଂ ଆଦିବାସୀ ଅଂଚଳରେ ଗୁଣାତ୍ମକ ସ୍ୱାସ୍ଥ୍ୟ ସୁବିଧା ପହଂଚାଇବା ପାଇଁ ଡାକ୍ତରଖାନା, ମେଡ଼ିକାଲ କଲେଜ ଏବଂ ଅନ୍ୟାନ୍ୟ ମେଡ଼ିକାଲ ଅନୁଷ୍ଠାନଗୁଡ଼ିକୁ ସୁଦୃଢ଼ କରାଯାଉଛି । ସେ କହିଥିଲେ ଯେ, ଏହା ରାଜ୍ୟ ସରକାରଙ୍କ ପ୍ରୟାସ ଯେ ରାଜ୍ୟର ନାଗରିକମାନେ ନିଜ ରାଜ୍ୟରେ ଉନ୍ନତ ଚିକିତ୍ସା ଏବଂ ଆଧୁନିକ ସ୍ୱାସ୍ଥ୍ୟ ସୁବିଧା ପାଇବେ ।
ଏହି ବୈଠକରେ ମୁଖ୍ୟମନ୍ତ୍ରୀ କୃଷି ଏବଂ ସାର କ୍ଷେତ୍ର ସହ ଜଡ଼ିତ ପ୍ରସଙ୍ଗ ଉପରେ ଆଲୋଚନା କରି କେନ୍ଦ୍ର ମନ୍ତ୍ରୀଙ୍କୁ ସୂଚନା ଦେଇଥିଲେ ଯେ, ରାଜ୍ୟରେ କୃଷକମାନଙ୍କୁ ପର୍ଯ୍ୟାପ୍ତ ଏବଂ ସମୟୋଚିତ ସାର ଏବଂ ମଞ୍ଜି ଉପଲବ୍ଧ କରାଇବା ପାଇଁ ସ୍ପଷ୍ଟ ନିର୍ଦ୍ଦେଶନାମା ଜାରି କରାଯାଇଛି । ଖରିଫ ଋତୁରେ କୃଷକମାନେ ଯେପରି କୌଣସି ପ୍ରକାରର ସମସ୍ୟାର ସମ୍ମୁଖୀନ ନହୁଅନ୍ତି ଏବଂ ଅତ୍ୟାବଶ୍ୟକ କୃଷି ଉପକରଣର ଯୋଗାଣ ଯେପରି ସୁରୁଖୁରୁରେ ବଜାୟ ରହେ, ତାହା ସରକାର ସୁନିଶ୍ଚିତ କରୁଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ