
କୋଲକାତା, ୨୬ ଜୁନ୍ (ହି.ସ.)- କୋଲକାତାର ତାରାତଲା ସ୍ଥିତ ବି-୨ ଟ୍ରାନ୍ସପୋର୍ଟ ଡିପୋ ରୋଡରେ ଏକ ନିର୍ମାଣାଧୀନ ଗୋଦାମର ଛାତ ଭୁଶୁଡ଼ିବା ଘଟଣାର ଦୁଇ ଦିନ ପରେ ମଧ୍ୟ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ନିରବଚ୍ଛିନ୍ନ ଭାବରେ ଜାରି ରହିଛି । ଭଗ୍ନାବଶେଷ ତଳେ ଫସି ରହିଥିବା ଲୋକଙ୍କୁ ଖୋଜିବା ପାଇଁ ଭାରୀ ଲୁହା ବିମ୍ କାଟି ଦିଆଯାଉଛି ଏବଂ କଂକ୍ରିଟର ବିଶାଳ ସ୍ଲାବ୍ ଅପସାରଣ କରାଯାଉଛି । ଶୁକ୍ରବାର ସକାଳ ସୁଦ୍ଧା ଏହି ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୫କୁ ବୃଦ୍ଧି ପାଇଛି ।
ଉଦ୍ଧାରକାରୀମାନେ ବୁଧବାର ଅପରାହ୍ନ ଠାରୁ ମୋଟ୍ ୩୩ ଜଣଙ୍କୁ ଭଗ୍ନାବଶେଷରୁ ଉଦ୍ଧାର କରିଛନ୍ତି । ଏବେ ବି ଅନେକ ଶ୍ରମିକ ଭଗ୍ନାବଶେଷ ତଳେ ଚାପି ହୋଇ ରହିଥାଇପାରନ୍ତି ବୋଲି ଆଶଙ୍କା କରାଯାଉଛି । ଗୁରୁବାର ବିଳମ୍ବିତ ରାତିରେ ଭଗ୍ନାବଶେଷରୁ ଆଉ ଦୁଇଟି ମୃତଦେହ ଉଦ୍ଧାର କରାଯାଇଥିଲା, ଯାହା ଏପର୍ଯ୍ୟନ୍ତ ଚିହ୍ନଟ ହୋଇନାହିଁ । ଆଜି ସକାଳେ ମନ୍ନୁ କୁମାର (୧୯) ଏବଂ ସାହିଲ ସର୍ଦ୍ଦାର (୧୯)ଙ୍କ ଏସ୍. ଏସ୍. କେ. ଏମ୍. ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି ।
ଏବେ ବି ୧୮ ଜଣ ଆହତ ଏସ୍. ଏସ୍. କେ. ଏମ୍. ଡାକ୍ତରଖାନାରେ ଚିକିତ୍ସାଧିନ ରହିଛନ୍ତି । ପରିବାର ସଦସ୍ୟମାନେ ଦାବି କରିଛନ୍ତି ଯେ, ସେମାନଙ୍କ ସମ୍ପର୍କୀୟମାନେ ଏବେ ବି ଭଗ୍ନାବଶେଷ ତଳେ ଫସି ରହିଥାଇପାରନ୍ତି । ଉଦ୍ଧାର କାର୍ଯ୍ୟର ଅଂଶବିଶେଷ ସ୍ୱରୂପ ଆଜି ସକାଳେ ରେଳବାଇର ଗ୍ୟାସ୍ କଟର୍ ମେସିନ୍ ସହାୟତାରେ ଲୁହା ବିମ୍ କାଟି ଦିଆଯାଉଛି । ଆହୁରି ମଧ୍ୟ, ଥର୍ମାଲ୍ ରାଡାର ବ୍ୟବହାର କରି ଭଗ୍ନାବଶେଷ ତଳେ ଚାପି ହୋଇ ରହିଥିବା ଲୋକଙ୍କୁ ଖୋଜିବା ପାଇଁ ପ୍ରୟାସ କରାଯାଉଛି । ପ୍ରଶାସନ କହିଛି ଯେ, ସମସ୍ତ ସମ୍ଭାବ୍ୟ ସ୍ଥାନଗୁଡିକର ସମ୍ପୂର୍ଣ୍ଣ ଅନୁସନ୍ଧାନ ନହେବା ପର୍ଯ୍ୟନ୍ତ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିବ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ