
ନୂଆଦିଲ୍ଲୀ, ୨୯ ଜୁନ (ହିସ)- କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ସୋମବାର 'ସୁମନ ରୋଡମ୍ୟାପ୍ ୨୦୩୦' ଆରମ୍ଭ କରିଛନ୍ତି। ଏହି ରଣନୈତିକ ରୋଡମ୍ୟାପ୍ ସାରା ଦେଶରେ ମାତୃତ୍ୱ ଏବଂ ନବଜାତ ସ୍ୱାସ୍ଥ୍ୟ ସେବାକୁ ସୁଦୃଢ଼ କରିବା ଏବଂ ୨୦୩୦ ସୁଦ୍ଧା ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ବିବେଚନା କରାଯାଉଛି।
୧୬ତମ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ପରିଷଦ ସମ୍ମିଳନୀ ସମୟରେ ଆରମ୍ଭ ହୋଇଥିବା ଏହି ରୋଡମ୍ୟାପ୍ ପୂର୍ବ ଗର୍ଭଧାରଣ, ଗର୍ଭଧାରଣ, ପ୍ରସବ ଏବଂ ପ୍ରସବ ପରବର୍ତୀ ଯତ୍ନ ସମୟରେ ମହିଳା ଏବଂ ନବଜାତ ଶିଶୁମାନଙ୍କୁ ଉନ୍ନତ ଏବଂ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବା ଲକ୍ଷ୍ୟ ରଖିଛି।
ବିଜ୍ଞାନ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ, ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ.ପି. ନଡ୍ଡା କହିଛନ୍ତି ଯେ ଏହି ଅଭିଯାନ ବିଶେଷ ଭାବରେ ଉଚ୍ଚ ମାତୃତ୍ୱ ଏବଂ ନବଜାତ ମୃତ୍ୟୁହାର ଥିବା ୧୩ ରାଜ୍ୟର ୧୩୦ ଜିଲ୍ଲା ଉପରେ ଧ୍ୟାନ ଦେବ। ଏଥିରେ ଉତର ପ୍ରଦେଶ, ବିହାର, ମଧ୍ୟପ୍ରଦେଶ, ରାଜସ୍ଥାନ, ଝାଡ଼ଖଣ୍ଡ, ଆସାମ, ଓଡ଼ିଶା, ପଶ୍ଚିମବଙ୍ଗ, ହରିୟାଣା, କର୍ଣ୍ଣାଟକ, ଛତିଶଗଡ଼, ପଞ୍ଜାବ ଏବଂ ଉତରାଖଣ୍ଡ ଅନ୍ତର୍ଭୁକ୍ତ।
ଏହି ରୋଡମ୍ୟାପ୍ ଅଧୀନରେ, ଗର୍ଭବତୀ ମହିଳାଙ୍କ ସମୟାନୁସାରେ ପଞ୍ଜୀକରଣ, ନିୟମିତ ପ୍ରସବ ପୂର୍ବ ଯାଂଚ, ଉଚ୍ଚ ବିପଦପୂର୍ଣ୍ଣ ଗର୍ଭଧାରଣ ଚିହ୍ନଟ, ଆଶା କର୍ମୀଙ୍କ ଦ୍ୱାରା ଘର ଘର ତଦାରଖ, ଜରୁରୀକାଳୀନ ରେଫରାଲ୍ ପରିବହନ, ପ୍ରସବ ଅପେକ୍ଷା ଗୃହ, ମାତୃତ୍ୱ ଏବଂ ଶିଶୁ ସ୍ୱାସ୍ଥ୍ୟ ୟୁନିଟ୍ ଏବଂ ଆଧୁନିକ ସ୍ୱାସ୍ଥ୍ୟ ସୁବିଧାକୁ ସୁଦୃଢ଼ କରାଯିବ।
ଏହା ସହିତ, ଜନନୀ ପୋର୍ଟାଲ୍ ମାଧ୍ୟମରେ ଡିଜିଟାଲ୍ ମନିଟରିଂ, ଏଆଇ-ଭିତିକ ଲେବର ରୁମ୍, ମାତୃ ମୃତ୍ୟୁହାର ସମୀକ୍ଷା, ପୁଷ୍ଟିସାର କାର୍ଯ୍ୟକ୍ରମର ବିସ୍ତାର ଏବଂ ସାମୁଦାୟିକ ଅଂଶଗ୍ରହଣ ବୃଦ୍ଧି ଭଳି ପଦକ୍ଷେପ ମଧ୍ୟ ନିଆଯିବ।
ସରକାର ୨୦୩୦ ସୁଦ୍ଧା ମାତୃ ମୃତ୍ୟୁହାରକୁ ପ୍ରତି ୧୦୦,୦୦୦ ଜୀବନ୍ତ ଜନ୍ମରେ ୭୦ ରୁ କମ କରିବାକୁ, ନବଜାତ ଏବଂ ଶିଶୁ ମୃତ୍ୟୁହାରକୁ ଆହୁରି ହ୍ରାସ କରିବାକୁ ଏବଂ ସାରା ଦେଶରେ ଗୁଣାତ୍ମକ ମାତୃ ଏବଂ ନବଜାତ ସ୍ୱାସ୍ଥ୍ୟ ସେବାର ସାର୍ବଜନୀନ ପ୍ରବେଶ ସୁନିଶ୍ଚିତ କରିବାକୁ ଲକ୍ଷ୍ୟ ରଖିଛନ୍ତି।
--------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ