
ନୂଆଦିଲ୍ଲୀ, ୨୯ ଜୁନ୍ (ହିସ)- ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଂଚଳଗୁଡ଼ିକରେ ଗ୍ରାମସଭାରେ କମ୍ ଅଂଶଗ୍ରହଣ ଉପରେ ଏକ ଜାତୀୟ ଅଧ୍ୟୟନ ରିପୋର୍ଟ ଜୁନ୍ ୩୦ରେ ନୂଆଦିଲ୍ଲୀରେ ପ୍ରକାଶିତ ହେବ।
ପଂଚାୟତି ରାଜ ମନ୍ତ୍ରଣାଳୟ ଅନୁଯାୟୀ, ନୀତି ଆୟୋଗ ସଦସ୍ୟ ଡକ୍ଟର ଆର. ବାଲାସୁବ୍ରମଣ୍ୟମ୍ ଏହି ରିପୋର୍ଟ ପ୍ରକାଶ କରିବେ। ପଂଚାୟତି ରାଜ ମନ୍ତ୍ରଣାଳୟର ସଚିବ, ବିବେକ ଭରଦ୍ୱାଜ, ଜାତୀୟ ଗ୍ରାମୀଣ ବିକାଶ ଏବଂ ପଂଚାୟତି ରାଜ ପ୍ରତିଷ୍ଠନର ବରିଷ୍ଠ ଅଧିକାରୀ, ଶିକ୍ଷାବିତ୍, ଗବେଷକ ଏବଂ ପଂଚାୟତି ରାଜ ପ୍ରତିଷ୍ଠାନ ସହିତ ଜଡିତ ବିଭିନ୍ନ ଅଂଶୀଦାର ଏହି ଅବସରରେ ଉପସ୍ଥିତ ରହିବେ।
ପଂଚାୟତି ରାଜ ମନ୍ତ୍ରଣାଳୟ ପାଇଁ ଜାତୀୟ ଗ୍ରାମୀଣ ବିକାଶ ଏବଂ ପଂଚାୟତି ରାଜ ପ୍ରତିଷ୍ଠାନ ଦ୍ୱାରା ପ୍ରସ୍ତୁତ ଏହି ରିପୋର୍ଟ ୨୬ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଂଚଳଗୁଡ଼ିକର ପ୍ରାୟ ୪୦୦ ଗ୍ରାମ ପଂଚାୟତରେ କରାଯାଇଥିବା ଏକ ବ୍ୟାପକ କ୍ଷେତ୍ର ଅଧ୍ୟୟନ ଉପରେ ଆଧାରିତ। ଏହି ଅଧ୍ୟୟନରେ ପିଇଏସଏ କ୍ଷେତ୍ର ଏବଂ ମହିଳା ନେତୃତ୍ୱାଧୀନ ଗ୍ରାମ ପଂଚାୟତ ସମେତ ପ୍ରାୟ ୭,୭୯୦ ଜଣ ଲୋକ ସାମିଲ ଥିଲେ।
ରିପୋର୍ଟରେ ଗ୍ରାମସଭାରେ ନାଗରିକଙ୍କ ଅଂଶଗ୍ରହଣକୁ ପ୍ରଭାବିତ କରୁଥିବା ପ୍ରମୁଖ କାରଣଗୁଡ଼ିକର ବିଶ୍ଳେଷଣ କରାଯାଇଛି। ଏଥିରେ ସଚେତନତା ସ୍ତର, ସୂଚନା ଏବଂ ଯୋଗାଯୋଗ ବ୍ୟବସ୍ଥା, ଅନ୍ତର୍ଭୁକ୍ତିକରଣ, ସାଂସ୍ଥାଗତିକ ଦାୟିତ୍ୱ, ସ୍ଥାନୀୟ ଶାସନ ବ୍ୟବସ୍ଥା, ଭିତିଭୂମିର ଉପଲବ୍ଧତା ଏବଂ ନାଗରିକ ଧାରଣା ଅନ୍ତର୍ଭୁକ୍ତ।
ଏହି ରିପୋର୍ଟର ଲକ୍ଷ୍ୟ ହେଉଛି ଅଂଶଗ୍ରହଣକାରୀ ଗଣତନ୍ତ୍ର ଏବଂ ତୃଣମୂଳ ସ୍ତରର ଶାସନକୁ ସୁଦୃଢ଼ କରିବା ପାଇଁ ବ୍ୟବହାରିକ ପଦକ୍ଷେପଗୁଡ଼ିକୁ ଚିହ୍ନଟ କରିବା ଏବଂ ନୀତି ନିର୍ଦ୍ଧାରଣ, ସାଂସ୍ଥାଗତ ସୁଦୃଢ଼ୀକରଣ ଏବଂ ଗ୍ରାମସଭାରେ ନାଗରିକ ଅଂଶଗ୍ରହଣ ବୃଦ୍ଧି ପାଇଁ ପ୍ରମାଣ-ଭିତିକ ସୁପାରିଶ ପ୍ରଦାନ କରିବା।
ପଂଚାୟତିରାଜ ମନ୍ତ୍ରଣାଳୟ ଅନୁଯାୟୀ, ସମ୍ବିଧାନର ଧାରା ୨୪୩ଇ ଅନୁଯାୟୀ, ଗ୍ରାମସଭା ହେଉଛି ସ୍ଥାନୀୟ ସ୍ୱ-ଶାସନ ଏବଂ ଅଂଶଗ୍ରହଣକାରୀ ଗଣତନ୍ତ୍ରର ମୂଳଦୁଆ। ଏହି ଅଧ୍ୟୟନ ଗ୍ରାମସଭାଗୁଡ଼ିକୁ ଅଧିକ ସକ୍ରିୟ, ଅନ୍ତର୍ଭୁକ୍ତିମୂଳକ ଏବଂ ଉତରଦାୟୀ କରିବା ପାଇଁ ଆବଶ୍ୟକୀୟ ସଂସ୍କାର ଏବଂ ପଦକ୍ଷେପଗୁଡ଼ିକୁ ସୁପାରିଶ କରେ, ଯାହା ଦ୍ୱାରା ଗ୍ରାମୀଣ ଭାରତରେ ପଂଚାୟତିରାଜ ସଂସ୍ଥାଗୁଡ଼ିକୁ ଆହୁରି ସଶକ୍ତ କରାଯିବ।
------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ