
ନୂଆଦିଲ୍ଲୀ, ୪ ଜୁନ୍ (ହି.ସ.) ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଗୁରୁବାର ଦିନ ସାକେତ ହସ୍ପିଟାଲ ଗସ୍ତ କରି ମାଲବ୍ୟ ନଗର ଅଗ୍ନିକାଣ୍ଡରେ ଆହତଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ। ସେ ଆହତମାନଙ୍କୁ ଭେଟିଥିଲେ, ସେମାନଙ୍କ ପରିବାର ସହିତ କଥା ହୋଇଥିଲେ ଏବଂ ଡାକ୍ତରଙ୍କଠାରୁ ସେମାନଙ୍କ ଚିକିତ୍ସା ବିଷୟରେ ପଚାରି ବୁଝିଥିଲେ। ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ଯେ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଦିଆଯିବ। ଗୁରୁତର ଆହତଙ୍କୁ ୫ ଲକ୍ଷ ଟଙ୍କା ଆର୍ôଥକ ସହାୟତା ମିଳିବ।
ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ଯେଉଁମାନଙ୍କର ସମ୍ପର୍କୀୟ ଅନ୍ୟ ରାଜ୍ୟ କିମ୍ବା ବିଦେଶରେ ରୁହନ୍ତି ସେମାନଙ୍କ ମୃତଦେହକୁ ସମ୍ମାନଜନକ ଭାବରେ ଫେରାଇବା ପାଇଁ ତୁରନ୍ତ ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା କରିବାକୁ। ହସ୍ପିଟାଲରେ ଭର୍ତି ଆହତଙ୍କ ସହ କଥା ହେବା ସମୟରେ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ସାନ୍ତ୍ୱନା ଦେଇ କହିଛନ୍ତି ଯେ ଦିଲ୍ଲୀ ସରକାର ସେମାନଙ୍କ ସହିତ ଠିଆ ହୋଇଛି ଏବଂ ସେମାନଙ୍କ ଶୀଘ୍ର ଆରୋଗ୍ୟ ପାଇଁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦିଆଯିବ। ସେ ଡାକ୍ତରମାନଙ୍କ ସହିତ ପ୍ରତ୍ୟେକ ରୋଗୀଙ୍କ ଅବସ୍ଥା ବ୍ୟକ୍ତିଗତ ଭାବରେ ସମୀକ୍ଷା କରିଥିଲେ ଏବଂ ଚିକିତ୍ସା ପ୍ରକ୍ରିୟା ଉପରେ ନିରନ୍ତର ନଜର ରଖିବାକୁ ନିର୍ଦ୍ଦେଶ ଦେଇଥିଲେ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କିଛି ରୋଗୀଙ୍କ ଅବସ୍ଥା ଗୁରୁତର ଏବଂ କିଛି ଭେଣ୍ଟିଲେଟରରେ ଅଛନ୍ତି। ପ୍ରଭାବିତଙ୍କ ମଧ୍ୟରେ ଭାରତ ବ୍ୟତୀତ ବାଂଲାଦେଶ, ନେପାଳ, କାମେରୁନ ଏବଂ ଲିବିଆ ସମେତ ଅନ୍ୟ ଦେଶର ନାଗରିକ ମଧ୍ୟ ଅଛନ୍ତି। ସେ ସମସ୍ତ ରୋଗୀଙ୍କୁ ସର୍ବୋତମ ଚିକିତ୍ସା ସେବା ଯୋଗାଇବା ଏବଂ ବିଦେଶୀ ନାଗରିକଙ୍କ କ୍ଷେତ୍ରରେ ଆବଶ୍ୟକ ସମନ୍ୱୟ ସୁନିଶ୍ଚିତ କରିବାକୁ ହସ୍ପିଟାଲ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।
-----------------------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ