
ଶିଲଂ, ୦୪ ଜୁନ୍(ହି.ସ.) – ମିଜୋରାମ ମୁଖ୍ୟମନ୍ତ୍ରୀ ଲାଲଦୁହୋମା ଗୁରୁବାର କହିଛନ୍ତି ଯେ ମିଆଁମାରରୁ ରାଜ୍ୟକୁ ବିସ୍ଥାପିତ ଲୋକଙ୍କ କ୍ରମାଗତ ପ୍ରବାହ ବର୍ତମାନ ମିଜୋରାମ ପାଇଁ ଏକ ବଡ଼ ବୋଝ ପାଲଟିଛି। ପଡ଼ୋଶୀ ଦେଶରେ ଚାଲିଥିବା ରାଜନୈତିକ ଏବଂ ସୁରକ୍ଷା ସଙ୍କଟ କାରଣରୁ ଆଗାମୀ ମାସଗୁଡ଼ିକରେ ଅଧିକ ଲୋକ ଆଶ୍ରୟ ନେବାକୁ ମିଜୋରାମରେ ପହଂଚିପାରନ୍ତି ବୋଲି ସେ ଆଶଙ୍କା କରିଥିଲେ।
ମେଘାଳୟର ରାଜଧାନୀ ଶିଲଙ୍ଗରେ ଏକ କାର୍ଯ୍ୟକ୍ରମରେ ଗଣମାଧ୍ୟମ ସହ କଥାବାର୍ତାବେଳେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମିଆଁମାରର ବର୍ତମାନର ଭୌଗୋଳିକ-ରାଜନୈତିକ ପରିସ୍ଥିତି ହେତୁ ବହୁ ସଂଖ୍ୟକ ବିସ୍ଥାପିତ ଲୋକ ମିଜୋରାମରେ ଆଶ୍ରୟ ନେଉଛନ୍ତି। ସେ କହିଥିଲେ ଯେ ସେଠାକାର ପରିସ୍ଥିତି କାରଣରୁ, ଆଜିକାଲି ଅନେକ ବିସ୍ଥାପିତ ଲୋକ ଏଠାକୁ ଆସୁଛନ୍ତି। ସୁରକ୍ଷା ସନ୍ଧାନରେ ଅଧିକ ଲୋକ ଆସିବାର ସମ୍ଭାବନା ରହିଛି। ଏହା ଆମ ପାଇଁ ବୋଝ ପାଲଟିଯାଇଛି।
ମିଆଁମାର ସହିତ ଏକ ଖୋଲା ଆନ୍ତର୍ଜାତୀୟ ସୀମା ଅଂଶୀଦାର କରୁଥିବା ମିଜୋରାମର ଉଭୟ ପାର୍ଶ୍ୱରେ ରହୁଥିବା ସମ୍ପ୍ରଦାୟ ମଧ୍ୟରେ ଦୀର୍ଘ ଦିନର ଜାତିଗତ ଏବଂ ସାଂସ୍କୃତିକ ସମ୍ପର୍କ ରହିଛି। ଏହି କାରଣରୁ ମିଆଁମାରରେ ରାଜନୈତିକ ଅସ୍ଥିରତା ଏବଂ ସଶସ୍ତ୍ର ସଂଘର୍ଷ ପରେ ହଜାର ହଜାର ଲୋକ ସୀମା ଅତିକ୍ରମ କରି ମିଜୋରାମରେ ଆଶ୍ରୟ ନେଇଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ଏପରି ଏକ ସମୟରେ ଆସିଛି ଯେତେବେଳେ ରାଜ୍ୟ ଦୀର୍ଘକାଳୀନ ଶରଣାର୍ଥୀ ସଙ୍କଟରୁ ଉତ୍ପନ୍ନ ମାନବିକ, ପ୍ରଶାସନିକ ଏବଂ ଆର୍ôଥକ ଆହ୍ୱାନର ସମ୍ମୁଖୀନ ହେଉଛି। ରାଜ୍ୟ ସରକାର କହିଛନ୍ତି ଯେ ପ୍ରବାସୀଙ୍କ ସଂଖ୍ୟା ବୃଦ୍ଧି ହେତୁ ସ୍ଥାନୀୟ ସମ୍ବଳ, ଭିତିଭୂମି ଏବଂ ଜନ କଲ୍ୟାଣ ସେବା ଉପରେ ଚାପ ବୃଦ୍ଧି ପାଉଛି।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି