
ନାଗପୁର, 04 ଜୁନ (ହି.ସ.) ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ର ସରସଂଘଚାଳକ ଡ଼. ମୋହନରାଓ ଭାଗବତ ଗୁରୁବାର ଦିନ କହିଛନ୍ତି ଯେ, ବର୍ତ୍ତମାନ ଭାରତର ସମୟ ଆସି ସାରିଛି ଏବଂ ବିଶ୍ୱକୁ ନୂତନ ଦିଗ ଦେବାର ଦାୟିତ୍ୱ ଭାରତର କାନ୍ଧ ଉପରେ ରହିଛି। ଏହି ପରିପ୍ରେକ୍ଷି ରେ, ଆମେ ନିଜକୁ ପ୍ରସ୍ତୁତ କରିବାର ଗତିକୁ ଆହୁରି ତ୍ୱରାନ୍ୱିତ କରିବାକୁ ହେବ । ଏହି ସନ୍ଦର୍ଭରେ ସେ ସଂଘକୁ କେବଳ ଦୂରରୁ ଦେଖିବା କିମ୍ବା ଦର୍ଶକ ହୋଇ ରହିବା ପରିବର୍ତ୍ତେ, ଭିତରକୁ ଆସି ସଂଘକୁ ନିକଟରୁ ବୁଝିବା ପାଇଁ ଆହ୍ୱାନ ଜଣାଇଥିଲେ। ସେ ଆହୁରି କହିଥିଲେ ଯେ, ସମାଜ ଓ ରାଷ୍ଟ୍ରର କଲ୍ୟାଣ ପାଇଁ ନିଃସ୍ୱାର୍ଥ ଭାବେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନଙ୍କ ପାଖକୁ ସଂଘର କାର୍ଯ୍ୟକର୍ତ୍ତାମାନେ ନିଜେ ପହଞ୍ଚିବେ। ଡ଼. ଭାଗବତ କହିଥିଲେ ଯେ, ହିନ୍ଦୁ ସମାଜର ସଂଗଠିତ ଶକ୍ତି ମାଧ୍ୟମରେ ହିଁ ଭାରତ ରାଷ୍ଟ୍ରର ପୁନରୁତ୍ଥାନ ସମ୍ଭବ ହେବ।
ନାଗପୁରସ୍ଥିତ ରେଶିମବାଗ ମୈଦାନରେ ଆୟୋଜିତ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ର କାର୍ଯ୍ୟକର୍ତ୍ତା ବିକାଶ ବର୍ଗ–ଦ୍ୱିତୀୟର ସାର୍ବଜନିକ ସମାପନ ସମାରୋହରେ କାର୍ଯ୍ୟକର୍ତ୍ତା ଏବଂ ସମାଜର ବିଭିନ୍ନ ବର୍ଗର ଲୋକଙ୍କୁ ସମ୍ବୋଧିତ କରି ସେ ଏହି ଆହ୍ୱାନ ଜଣାଇଥିଲେ। ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଆଦିତ୍ୟ ବିର୍ଲା ଗ୍ରୁପ୍ର ଅଧ୍ୟକ୍ଷ କୁମାର ମଙ୍ଗଳମ ବିର୍ଲା ଯୋଗଦେଇଥିଲେ। ଭାଷଣ ପୂର୍ବରୁ ପ୍ରଶିକ୍ଷାର୍ଥୀମାନେ ବିଭିନ୍ନ ପ୍ରକାରର ଶାରୀରିକ କୌଶଳ ଓ ପ୍ରଦର୍ଶନ ଉପସ୍ଥାପନ କରିଥିଲେ।
ଏହି ଅବସରରେ ନିଜ ସମ୍ବୋଧନରେ ଡ଼. ମୋହନ ଭାଗବତ କହିଥିଲେ ଯେ, ବର୍ତ୍ତମାନ ବିଶ୍ୱ ସଂଘର୍ଷ, ସ୍ୱାର୍ଥପରତା ଓ ଅସନ୍ତୁଳିତ ବିକାଶ ଭଳି ଚ୍ୟାଲେଞ୍ଜଗୁଡ଼ିକ ସହ ସଂଘର୍ଷ କରୁଛି। ଏପରି ସମୟରେ ମାନବଜାତିଙ୍କୁ ଭାରତର ଜୀବନ-ଦର୍ଶନ ଓ ମୂଲ୍ୟବୋଧର ଆବଶ୍ୟକତା ରହିଛି। ସେ କହିଥିଲେ ଯେ, ଭାରତରେ ବିଶ୍ୱଗୁରୁ ହେବାର କ୍ଷମତା ରହିଛି, କିନ୍ତୁ ଏଥିପାଇଁ ସମାଜକୁ ପ୍ରସ୍ତୁତ କରିବାର ଗତିକୁ ଆହୁରି ବଢ଼ାଇବା ଦରକାର। ସେ କହିଥିଲେ, “ପରିସ୍ଥିତିକୁ ନିଜ ଅନୁକୂଳରେ ପରିଣତ କରିବାର ସାମର୍ଥ୍ୟ ସେହି ଲୋକମାନଙ୍କ ମଧ୍ୟରେ ଥାଏ, ଯେଉଁମାନେ ପୂର୍ବରୁ ହିଁ ତାହା ପାଇଁ ପ୍ରସ୍ତୁତି କରି ରଖନ୍ତି।”
ସଂଘ ମୁଖ୍ୟ କହିଥିଲେ ଯେ, ବ୍ୟକ୍ତିର ସ୍ୱାଧୀନତା, ସମାଜର ସ୍ୱାଧୀନତା ଏବଂ ସୃଷ୍ଟିର ସଂରକ୍ଷଣକୁ ଏକାସାଙ୍ଗରେ ନେଇ ଆଗକୁ ବଢ଼ିବାର ଚିନ୍ତାଧାରା ହେଉଛି ଭାରତର ବିଶେଷତ୍ୱ । ବିଶ୍ୱର ଅନେକ ଦେଶ ଏହି ପ୍ରସଙ୍ଗଗୁଡ଼ିକୁ ପୃଥକ ପୃଥକ ଭାବରେ ବୁଝନ୍ତି ଓ ବ୍ୟାଖ୍ୟା କରନ୍ତି, କିନ୍ତୁ ସମଗ୍ର ଓ ସନ୍ତୁଳିତ ଦୃଷ୍ଟିକୋଣ କେବଳ ଭାରତ ପାଖରେ ରହିଛି। ସେ ଜୋର ଦେଇ କହିଥିଲେ ଯେ, ଭାରତକୁ ବିଶ୍ୱର ମାର୍ଗଦର୍ଶକ ଭାବେ ଉଭା ହେବା ପାଇଁ ଅନ୍ୟମାନଙ୍କର ଅନୁକରଣ କରି ନୁହେଁ, ବରଂ ନିଜ ସଭ୍ୟତା, ସଂସ୍କୃତି ଏବଂ ମୂଲ୍ୟବୋଧକୁ ଆଧାର କରି କରିବାକୁ ହେବ ।
ହଜାର ବର୍ଷର ପରାଧୀନତା ସମ୍ପର୍କରେ ଉଲ୍ଲେଖ କରି ଡ଼. ମୋହନ ଭାଗବତ କହିଥିଲେ ଯେ, ଯେଉଁମାନେ ଭାରତ ଉପରେ ଶାସନ କରିଥିଲେ, ସେମାନେ କୌଣସି ଦୃଷ୍ଟିକୋଣରୁ ଭାରତୀୟ ସମାଜଠାରୁ ଶ୍ରେଷ୍ଠ ନଥିଲେ; ବରଂ ଅନେକ କ୍ଷେତ୍ରରେ ସେମାନେ ଅଧିକ ନିମ୍ନସ୍ତରର ଥିଲେ। ସମାଜର କିଛି ଦୁର୍ବଳତା ହେତୁ ଆମକୁ ପରାଧୀନ ହେବାକୁ ପଡିଥିଲା । ଏହି ଅନୁଭବରୁ ହିଁ ସଂଘ ଏଭଳି ଏକ କାର୍ଯ୍ୟପଦ୍ଧତି ବିକଶିତ କରିଛି, ଯାହା ମାଧ୍ୟମରେ ବିବିଧତାରେ ପରିପୂର୍ଣ୍ଣ ହିନ୍ଦୁ ସମାଜକୁ ଏକତ୍ରିତ କରାଯାଇପାରିବ।
ଡ଼. ଭାଗବତ କହିଥିଲେ ଯେ, ବିଶ୍ୱ ସ୍ୱୀକାର କରୁଛି ଯେ ସମଗ୍ର ବିଶ୍ୱକୁ ସାଙ୍ଗରେ ନେଇ ଚାଲିବାର ଭାରତୀୟ ଦୃଷ୍ଟିକୋଣ ସଠିକ୍। କିନ୍ତୁ ବାସ୍ତବରେ ବିଶ୍ୱ ସେହି ନୀତି ଅନୁଯାୟୀ ଚାଲେ, ଯାହାଙ୍କ ପାଖରେ ଶକ୍ତି ରହିଥାଏ। ତେଣୁ ଭାରତର କର୍ତ୍ତବ୍ୟ ହେଉଛି ନିଜକୁ ଶକ୍ତିଶାଳୀ ଓ ସାମର୍ଥ୍ୟବାନ କରି ଗଢ଼ି ତୋଳିବା।
‘ବିଶ୍ୱ ବନ୍ଧୁତ୍ୱ’ ଏବଂ ‘ବସୁଧୈବ କୁଟୁମ୍ବକମ୍’କୁ ଭାରତର ମୂଳ ଚେତନା ବୋଲି ବର୍ଣ୍ଣନା କରି ସେ କହିଥିଲେ, “ଆମେ ଦେଖୁଛୁ ଯେ, ଶକ୍ତିଶାଳୀ ଦେଶମାନେ ନିଜ ଇଚ୍ଛାମୁତାବକ କାର୍ଯ୍ୟ କରନ୍ତି। ଇଚ୍ଛା କଲେ କୌଣସି ଦେଶକୁ ଅଧିକାର କରିନେବେ, ଇଚ୍ଛା କଲେ କୌଣସି ଦେଶ ଉପରେ ବୋମା ବର୍ଷଣ କରିଦେବେ କିମ୍ବା ବିଶ୍ୱର ତୈଳ ଯୋଗାଣକୁ ବନ୍ଦ କରିଦେବେ। ଭାରତ ସମ୍ପର୍କରେ ଏଭଳି ଧାରଣା ସୃଷ୍ଟି ହେବା ଦରକାର ଯେ, ଭାରତ ଶକ୍ତିଶାଳୀ ହୋଇଥିଲେ ମଧ୍ୟ ଏପରି କାର୍ଯ୍ୟ କରିବ ନାହିଁ; ବରଂ ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ବଢ଼ିବ।”
ସେ କହିଥିଲେ ଯେ, ସଂଘ ଏଭଳି କାର୍ଯ୍ୟକର୍ତ୍ତା ଗଢିବାକୁ ଚାହେଁ, ଯେଉଁମାନେ ସ୍ୱାର୍ଥ ଏବଂ ଭେଦଭାବର ଉର୍ଦ୍ଧ୍ୱକୁ ଉଠି ସମାଜ ଓ ରାଷ୍ଟ୍ରର କଲ୍ୟାଣ ପାଇଁ କାର୍ଯ୍ୟ କରିବେ। ସେ ବିଶ୍ୱାସ ବ୍ୟକ୍ତ କରିଥିଲେ ଯେ, ସ୍ୱାମୀ ବିବେକାନନ୍ଦ ଦେଖିଥିବା ଭାରତର ପୁନରୁତ୍ଥାନର ସ୍ୱପ୍ନ ଆସନ୍ତା ଦୁଇରୁ ତିନି ଦଶକ ମଧ୍ୟରେ ସାକାର ହେଉଥିବା ପରି ଦେଖାଯିବ।
ପ୍ରସିଦ୍ଧ ଶିଳ୍ପପତି କୁମାର ମଙ୍ଗଳମ ବିର୍ଲା ଭାରତର ପ୍ରଗତିରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ର ଗୁରୁତ୍ୱପୂର୍ଣ୍ଣ ଭୂମିକାର ପ୍ରଶଂସା କରି କହିଥିଲେ ଯେ, ସଂଗଠନ ସମାଜକୁ ଦିଗଦର୍ଶନ ଦେବାର କାର୍ଯ୍ୟ କରିଆସିଛି। ସେ କହିଥିଲେ ଯେ, ବର୍ତ୍ତମାନର ସମୟ ଭାରତର ଏବଂ ଏହା ଆମ ପାଇଁ ଅନେକ ସୁଯୋଗ ନେଇ ଆସିଛି। ସେ ଦେଶର ଯୁବପିଢ଼ୀଙ୍କୁ ‘ଅମୃତ କାଳ’ର ସଦ୍ବ୍ୟବହାର କରି ଭାରତକୁ ନୂତନ ଉଚ୍ଚତାକୁ ପହଞ୍ଚାଇବା ପାଇଁ ଆହ୍ୱାନ ଜଣାଇଥିଲେ।
ସେ ଆହୁରି କହିଥିଲେ ଯେ, ବିଭିନ୍ନ ଅବସରରେ ତାଙ୍କୁ ସରସଂଘଚାଳକ ମୋହନ ଭାଗବତଙ୍କ ସହ ସାକ୍ଷାତ୍ କରିବାର ସୁଯୋଗ ମିଳିଥିଲା। ତାଙ୍କର ଚିନ୍ତାଧାରା ତାଙ୍କୁ ଗଭୀର ଭାବେ ପ୍ରଭାବିତ କରିଥିଲା। ସଂଘକୁ ନିକଟରୁ ଓ ଭିତରୁ ବୁଝିବା ପାଇଁ ମୋହନ ଭାଗବତଙ୍କ ଅନୁରୋଧକୁ ସମ୍ମାନ ଜଣାଇ ସେ ଆଜି ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା କଥା କହିଥିଲେ।
ନିଜ ସମ୍ବୋଧନରେ ସେ ବୈଶ୍ୱିକ ସଙ୍କଟର ମଧ୍ୟ ଉଲ୍ଲେଖ କରି କହିଥିଲେ ଯେ, ପ୍ରଧାନମନ୍ତ୍ରୀଙ୍କ ବିକଶିତ ଭାରତ ଲକ୍ଷ୍ୟକୁ ସାକାର କରିବା ପାଇଁ ଦେଶକୁ ନିଜର ଜାତୀୟ ସାମର୍ଥ୍ୟ ଓ ସ୍ଥିତିସ୍ଥାପକତାକୁ ଆହୁରି ସୁଦୃଢ଼ କରିବାକୁ ହେବ। ଅଶୋଧିତ ତୈଳର ମୂଲ୍ୟବୃଦ୍ଧି, ବିଶ୍ୱବ୍ୟାପୀ ଯୋଗାଣ ଶୃଙ୍ଖଳାରେ ବାଧା ଏବଂ କୃତ୍ରିମ ବୁଦ୍ଧିମତା (AI) ଭଳି ଚ୍ୟାଲେଞ୍ଜଗୁଡ଼ିକର ଉଲ୍ଲେଖ କରି ସେ କହିଥିଲେ ଯେ, ଭାରତକୁ ଭବିଷ୍ୟତର ଆବଶ୍ୟକତା ଓ ପରିବର୍ତ୍ତନଶୀଳ ପରିସ୍ଥିତି ସହ ସମନ୍ୱୟ ରଖି ପୂର୍ବରୁ ହିଁ ପ୍ରସ୍ତୁତ ରହିବାକୁ ପଡ଼ିବ।
ଆଦିତ୍ୟ ବିର୍ଲା ଗ୍ରୁପ୍ର କାର୍ଯ୍ୟଧାରାକୁ ଆରଏସଏସର କାର୍ଯ୍ୟକଳାପ ସହ ତୁଳନା କରି ସେ ଏହା ମଧ୍ୟ କହିଥିଲେ ଯେ, ଗ୍ରୁପ୍ଟି ଶିକ୍ଷା, ସ୍ୱାସ୍ଥ୍ୟସେବା ଏବଂ ସମାଜସେବା କ୍ଷେତ୍ରରେ ବ୍ୟାପକ ଭାବେ କାର୍ଯ୍ୟ କରୁଛି ଏବଂ ସମାଜର ସାମଗ୍ରିକ ବିକାଶ ପାଇଁ ନିରନ୍ତର ଯୋଗଦାନ ଦେଉଛି
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ