
କନ୍ଧମାଳ, ୦୫ ଜୁନ୍(ହି.ସ.) – ଭାରତର ନିର୍ବାଚନ ଆୟୋଗଙ୍କ ସ୍ୱତନ୍ତ୍ର ମତଦାତା ତାଲିକା ସଂଶୋଧନ(ଏସ୍ଆଇଆର୍) କାର୍ଯ୍ୟକ୍ରମକୁ ନେଇ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସଚେତନତା ରଥର ଶୁଭାରମ୍ଭ କରାଯାଇଛି। ଶୁକ୍ରବାର ପୂର୍ବାହ୍ନରେ ଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ କନ୍ଧମାଳ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ବେଦଭୂଷଣ ପତାକା ଦେଖାଇ ଏହି ସଚେତନତା ରଥର ଶୁଭ ଉଦ୍ଘାଟନ କରିଥିଲେ। ମତଦାତା ତାଲିକାରେ ନାମ ଅର୍ନ୍ତଭୁକ୍ତି, ସଂଶୋଧନ ଓ ବିଲୋପ ସମ୍ପର୍କିତ ସୂଚନା ଲୋକଙ୍କ ନିକଟରେ ପହଂଚାଇବା ସହ(ଏସ୍ ଆଇ ଆର୍) କାର୍ଯ୍ୟକ୍ରମ ସମ୍ପର୍କରେ ସଚେତନତା ବୃଦ୍ଧି କରିବା ଏହି ରଥର ମୂଳ ଲକ୍ଷ୍ୟ ବୋଲି ଜଣାପଡ଼ିଛି। ଉଦ୍ଘାଟନ ପରେ ରଥଟି ଫୁଲବାଣୀ ସହରର ବିଭିନ୍ନ ୱାର୍ଡ ଓ ଜନବହୁଳ ଅଂଚଳ ପରିଭ୍ରମଣ କରି ସଚେତନତା ବାର୍ତା ପ୍ରଚାର କରିଥିଲା। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଭକ୍ତବନ୍ଧୁ ଜନାର୍ଦନ ଦଳେଇ, ଅତିରିକ୍ତ ଜିଲ୍ଲାପାଳ କୁଶଳ ଚନ୍ଦ୍ର ନାଏକ, ଉପଜିଲ୍ଲାପାଳ ଭିକାରୀ ସାହୁ, ଜିଲ୍ଲା ସହରାଂଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରବୀଣ କୁମାର ବାଣୁଆଙ୍କ ସମେତ ଜିଲ୍ଲା ପ୍ରଶାସନର ବହୁ ଅଧିକାରୀ ଉପସ୍ଥିତ ଥିଲେ। ଜିଲ୍ଲାରେ(ଏସ୍ଆଇଆର୍) କାର୍ଯ୍ୟକ୍ରମକୁ ସଫଳ କରିବା ଦିଗରେ ଏହି ସଚେତନତା ଅଭିଯାନ ସହାୟକ ହେବ ବୋଲି ଆଶା ପ୍ରକାଶ କରାଯାଇଛି।
.......................................
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ