
ଚେନ୍ନାଇ, ୫ ଜୁନ୍ (ହି.ସ.)- ଶୁକ୍ରବାର ଦିନ ତାମିଲନାଡ଼ୁ ରାଜନୀତିରେ ଏକ ବଡ ରାଜନୈତିକ ଘଟଣା କ୍ରମ ସାମ୍ନାକୁ ଆସିଛି । ଯେତେବେଳେ ଭାରତୀୟ ପୋଲିସ ସେବା (ଆଇପିଏସ)ର ପୂର୍ବତନ ଅଧିକାରୀ ତଥା ପୂର୍ବତନ ଭାରତୀୟ ଜନତା ପାର୍ଟି (ବିଜେପି) ରାଜ୍ୟ ସଭାପତି କେ. ଅନ୍ନାମଲାଇ ଦଳରୁ ଇସ୍ତଫା ଦେବା ପରେ ତୁରନ୍ତ ତାଙ୍କର ନୂତନ ରାଜନୈତିକ ଦଳ ଏବଂ ଆନ୍ଦୋଳନ ଘୋଷଣା କରିଛନ୍ତି ।
ବିଜେପି ସହ ସମ୍ପର୍କ ଛିନ୍ନ କରିବା ପରେ ସୋସିଆଲ ମିଡିଆରେ ଏକ ଲାଇଭ୍ ସମ୍ବୋଧନରେ ଅନ୍ନାମଲାଇ ତାଙ୍କ ନୂଆ ରାଜନୈତିକ ଅଭିଯାନର ରୂପରେଖ ଦେଇ କହିଥିଲେ ଯେ, ତାଙ୍କ ଆନ୍ଦୋଳନକୁ 'ୱି ଦ ପିପଲ କୁହାଯିବ । ସେ କହିଥିଲେ ଯେ, ଏହା କୌଣସି ବ୍ୟକ୍ତି, ପରିବାର କିମ୍ବା ନିର୍ଦ୍ଦିଷ୍ଟ ଗୋଷ୍ଠୀର ମଂଚ ହେବ ନାହିଁ, ବରଂ ସାଧାରଣ ନାଗରିକଙ୍କ ଅଂଶଗ୍ରହଣ ଉପରେ ଆଧାରିତ ଏକ ଜନ ଆନ୍ଦୋଳନ ହେବ, ଯାହାର ଉଦ୍ଦେଶ୍ୟ ହେବ ରାଜନୀତିକୁ ଜନସାଧାରଣଙ୍କ ନିକଟତର କରିବା ।
ଅନ୍ନାମଲାଇ ତାଙ୍କ ଅଭିଭାଷଣରେ ପ୍ରକାଶ କରିଥିଲେ ଯେ, ଅନେକ ଆଦର୍ଶଗତ ଏବଂ କାର୍ଯ୍ୟଶୈଳୀ ପ୍ରସଙ୍ଗକୁ ନେଇ ଗତ ପ୍ରାୟ ୧୮ ମାସ ଧରି ବିଜେପି ନେତୃତ୍ୱଙ୍କ ସହିତ ତାଙ୍କର ମତଭେଦ ରହିଥିଲା । ୨୦୨୫ ଡିସେମ୍ବରରେ ସେ ଦଳର ନେତୃତ୍ୱଙ୍କୁ ନିଜର ଇସ୍ତଫା ଦେବାର ଇଚ୍ଛା ବାବଦରେ ଅବଗତ କରାଇଥିଲେ । ତେବେ ଦଳର ନେତୃତ୍ୱଙ୍କ ଅନୁରୋଧ କ୍ରମେ ସେ ତାଙ୍କ ନିର୍ବାଚନୀ ଦାୟିତ୍ୱ ପୂରଣ ନହେବା ପର୍ଯ୍ୟନ୍ତ ସଂଗଠନରେ ରହିବାକୁ ନିଷ୍ପତି ନେଇଥିଲେ ।
ଅନ୍ନାମଲାଇ କହିଛନ୍ତି ଯେ, ରାଜନୀତିରେ ତାଙ୍କର ଚିନ୍ତାଧାରା ସର୍ବଦା ନୀତି ଏବଂ ଜନସେବା ଉପରେ ଆଧାରିତ । ତାଙ୍କ ଆଇପିଏସ୍ କାର୍ଯ୍ୟକାଳକୁ ସ୍ମରଣ କରି ସେ କହିଥିଲେ ଯେ, କର୍ଣ୍ଣାଟକରେ ଜଣେ ପୋଲିସ ଅଧିକାରୀ ଭାବେ କାର୍ଯ୍ୟ କରିବା ସମୟରେ ସେ ଜାଣିବାକୁ ପାଇଥିଲେ ଯେ କୌଣସି ପଦବୀ, କର୍ତୃତ୍ୱ କିମ୍ବା କ୍ଷମତା ସ୍ଥାୟୀ ନୁହେଁ । ତାଙ୍କ ମତରେ, ରାଜନୀତିକୁ ମଧ୍ୟ ସମାନ ଦୃଷ୍ଟିକୋଣରୁ ଦେଖିବା ଉଚିତ୍, ଯେଉଁଠାରେ ବ୍ୟକ୍ତି ନୁହେଁ, ବ୍ୟବସ୍ଥା ଏବଂ ଲୋକମାନେ ସର୍ବୋପରି ।
ରାଜ୍ୟରେ ବର୍ତମାନର ରାଜନୈତିକ ବ୍ୟବସ୍ଥା ଉପରେ ମନ୍ତବ୍ୟ ଦେଇ ସେ ବଂଶବାଦ ରାଜନୀତିକୁ ସମାଲୋଚନା କରିଥିଲେ । ଅନ୍ନାମଲାଇ କହିଥିଲେ ଯେ, ଗଣତନ୍ତ୍ରରେ ସୁଯୋଗ କେବଳ ସୀମିତ ସଂଖ୍ୟକ ଲୋକ କିମ୍ବା ପରିବାର ମଧ୍ୟରେ ସୀମିତ ରହିବା ଉଚିତ୍ ନୁହେଁ । ଆମେ ଏପରି ରାଜନୀତି ଚାହୁଁ, ଯେଉଁଥିରେ ସମାଜର ପ୍ରତ୍ୟେକ ଯୋଗ୍ୟ ବ୍ୟକ୍ତି ଆଗକୁ ବଢ଼ିବାର ସୁଯୋଗ ପାଇବେ । ମୁଁ ନିଜେ ଏକ ରାଜନୈତିକ ପରିବାରରୁ ଆସିନାହିଁ ଏବଂ ଏକ ସାଧାରଣ ପୃଷ୍ଠଭୂମିରୁ ଆସିଛି ।
ନୂଆ ଦଳର ରାଜନୈତିକ ଏଜେଣ୍ଡା ଉପରେ ଆଲୋକପାତ କରି ଅନ୍ନାମଲାଇ କହିଛନ୍ତି ଯେ, ତାଙ୍କ ଦଳ କେବଳ ବିଧାନସଭା ନିର୍ବାଚନରେ ସୀମିତ ରହିବ ନାହିଁ ବରଂ ପଂଚାୟତ, ପୌରପାଳିକା, ଲୋକସଭା ଏବଂ ଅନ୍ୟ ସମସ୍ତ ନିର୍ବାଚନରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିବ । ସେମାନଙ୍କର ଲକ୍ଷ୍ୟ ହେଉଛି ତାମିଲନାଡ଼ୁରେ ଏକ ରାଜନୈତିକ ବିକଳ୍ପ ସୃଷ୍ଟି କରିବା ଯାହା ସ୍ୱଚ୍ଛତା, ଉତରଦାୟିତ୍ୱ ଏବଂ ସୁଶାସନ ଉପରେ ଆଧାରିତ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ