
ନୂଆଦିଲ୍ଲୀ, ୭ ଜୁନ୍ (ହି.ସ.)- କେନ୍ଦ୍ର ସରକାର ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ (ଏନ୍. ଏଫ୍. ଏଚ୍. ଏସ୍.)-୬ର ତଥ୍ୟ ପତ୍ର ପ୍ରକାଶ କରିଛନ୍ତି, ଯେଉଁଥିରେ କୁହାଯାଇଛି ଯେ ଦେଶର ସ୍ୱାସ୍ଥ୍ୟ, ପୁଷ୍ଟିସାଧନ ଏବଂ ଜନସଂଖ୍ୟା ସମ୍ବନ୍ଧୀୟ ଅନେକ ପରିସଂଖ୍ୟାନରେ ଉନ୍ନତି ଘଟିଛି । ମାତୃ ଏବଂ ଶିଶୁ ସ୍ୱାସ୍ଥ୍ୟ ସେବା ଦେଶର ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସମ୍ପ୍ରସାରିତ ହୋଇଛି, ଟୀକାକରଣ କଭରେଜରେ ଉନ୍ନତି ଘଟିଛି । ପ୍ରସବପୂର୍ବ ଯତ୍ନର ବ୍ୟବହାରରେ ବୃଦ୍ଧି ପରିଲକ୍ଷିତ ହୋଇଛି ଏବଂ ସ୍ତନ୍ୟପାନ ଫଳାଫଳଗୁଡ଼ିକରେ ମଧ୍ୟ ସକାରାତ୍ମକ ଅଗ୍ରଗତି ଦେଖିବାକୁ ମିଳିଛି । ଆର୍ôଥକ ଅନ୍ତର୍ଭୂକ୍ତିକରଣ, ବୟସ୍କ ଜନସଂଖ୍ୟାର ଅଂଶ ଏବଂ ଜନସଂଖ୍ୟା ସଂରଚନା ଉପରେ ନୂତନ ତଥ୍ୟ ମଧ୍ୟ ପ୍ରଥମ ଥର ପାଇଁ ତଥ୍ୟ ପତ୍ରରେ ଅନ୍ତର୍ଭୁକ୍ତ କରାଯାଇଛି ।
କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦେଶର ସ୍ୱାସ୍ଥ୍ୟ, ପୁଷ୍ଟିସାଧନ ଏବଂ ଜନସଂଖ୍ୟା ସମ୍ବନ୍ଧୀୟ ୧୦୧ଟି ପ୍ରମୁଖ ସୂଚକାଙ୍କର ସ୍ଥିତିକୁ ତଥ୍ୟ ପତ୍ରରେ ଉପସ୍ଥାପନ କରିଛି । ଏନ୍. ଏଫ୍. ଏଚ୍. ଏସ୍.-୬ରେ ଅନେକ ନୂଆ ଫଳାଫଳ ମଧ୍ୟ ସାମିଲ୍ କରାଯାଇଛି । ଏଥିରେ ଜନସଂଖ୍ୟା ଢାଂଚା, ବୟସ୍କ ଜନସଂଖ୍ୟାର ଅନୁପାତ, ଆର୍ôଥକ ଅନ୍ତର୍ଭୂକ୍ତିକରଣ, ପ୍ରସବପୂର୍ବ ଯତ୍ନ ସେବାର ବ୍ୟବହାର, ଟୀକାକରଣ କଭରେଜ୍, ଗୁରୁତର ଡାଇରିଆର ପ୍ରସାର ଏବଂ ସ୍ତନ୍ୟପାନ ସହିତ ଜଡ଼ିତ ବର୍ଦ୍ଧିତ ସୂଚକ ଅନ୍ତର୍ଭୁକ୍ତ ।
ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି ଯେ, ପରିବାର ନିୟୋଜନ, ଶିଶୁ ସ୍ୱାସ୍ଥ୍ୟ, ମହିଳାଙ୍କ ସ୍ୱାସ୍ଥ୍ୟ ଏବଂ ଏଚ୍. ଆଇ. ଭି. ସମ୍ବନ୍ଧୀୟ ଅନେକ ବିସ୍ତୃତ ଅନୁସନ୍ଧାନକୁ ହଟାଇ ଦିଆଯାଇନାହିଁ । ଆଗାମୀ ଜାତୀୟ ରିପୋର୍ଟରେ ଏଗୁଡ଼ିକୁ ବିସ୍ତୃତ ଭାବେ ଉପସ୍ଥାପନ କରାଯିବ । ମନ୍ତ୍ରଣାଳୟ କହିଛି ଯେ, ଏନ୍. ଏଫ୍. ଏଚ୍. ଏସ୍. ଦେଶର ସର୍ବବୃହତ ଏବଂ ସର୍ବାଧିକ ବ୍ୟାପକ ଘରୋଇ ସ୍ୱାସ୍ଥ୍ୟ ସର୍ବେକ୍ଷଣ ହୋଇ ରହିଛି ଏବଂ ପ୍ରମାଣ ଆଧାରିତ ନୀତି ନିର୍ଦ୍ଧାରଣରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ । ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଦେଇଛି ଯେ, ଏହା କେବଳ ଏକ ପ୍ରାରମ୍ଭିକ ପର୍ଯ୍ୟାୟ ପ୍ରକାଶନ ଏବଂ ବିସ୍ତୃତ ଜାତୀୟ ରିପୋର୍ଟ ପରେ ପ୍ରକାଶ କରାଯିବ, ଯେଉଁଥିରେ ଅଧିକ ସୂଚକ, ବିସ୍ତୃତ ବିଶ୍ଳେଷଣ ଏବଂ ପଦ୍ଧତିଗତ ଇନପୁଟ ଅନ୍ତର୍ଭୁକ୍ତ ହେବ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ