
ନୂଆଦିଲ୍ଲୀ, ୮ ଜୁନ୍ (ହି.ସ.)- ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜୁନ୍ ୨୩ ତାରିଖରେ ରାଷ୍ଟ୍ରପତି ଭବନରେ ଆୟୋଜିତ ହେବାକୁ ଥିବା ଦ୍ୱିତୀୟ ନାଗରିକ ଅଳଂକରଣ ସମାରୋହରେ ଚଳିତ ବର୍ଷର ୬୫ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରିବେ । ରାଷ୍ଟ୍ରପତି ଏହା ପୂର୍ବରୁ ମଇ ୨୫ ତାରିଖରେ ପ୍ରଥମ ନାଗରିକ ଅଳଂକରଣ ସମାରୋହରେ ୬୬ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରିଥିଲେ । ସେଥି ମଧ୍ୟରୁ ୨ଟି ପଦ୍ମ ବିଭୂଷଣ, ୬ଟି ପଦ୍ମ ଭୂଷଣ ଏବଂ ୫୮ଟି ପଦ୍ମଶ୍ରୀ ପୁରସ୍କାର ରହିଛି ।
ଚଳିତ ବର୍ଷ ରାଷ୍ଟ୍ରପତି ପାଂଚଟି ପଦ୍ମ ବିଭୂଷଣ, ୧୩ଟି ପଦ୍ମ ଭୂଷଣ ଏବଂ ୧୧୩ଟି ପଦ୍ମଶ୍ରୀ ପୁରସ୍କାର ସମେତ ମୋଟ୍ ୧୩୧ଟି ପଦ୍ମ ପୁରସ୍କାରକୁ ଅନୁମୋଦନ କରିଥିଲେ । ପ୍ରତିବର୍ଷ ଗଣତନ୍ତ୍ର ଦିବସ ଅବସରରେ ଏହି ପୁରସ୍କାର ଘୋଷଣା କରାଯାଇଥାଏ । କଳା, ସାମାଜିକ କାର୍ଯ୍ୟ, ସାର୍ବଜନୀନ ବ୍ୟାପାର, ବିଜ୍ଞାନ ଏବଂ ଇଞ୍ଜିନିୟରିଂ, ବାଣିଜ୍ୟ ଏବଂ ଶିଳ୍ପ, ଚିକିତ୍ସା, ସାହିତ୍ୟ ଏବଂ ଶିକ୍ଷା, କ୍ରୀଡା ଓ ନାଗରିକ ସେବା ଭଳି ବିଭିନ୍ନ କ୍ଷେତ୍ରରେ ଏହି ସମ୍ମାନଜନକ ନାଗରିକ ସମ୍ମାନ ପ୍ରଦାନ କରାଯାଇଥାଏ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ