ଟିଏମସିରେ ସଙ୍କଟ ଗଭୀର ହେଲା ; କାକୋଲି ଘୋଷ ଦସ୍ତିଦାର ଙ୍କ ସହ ୨୦ ସାଂସଦଙ୍କ ଏନଡିଏକୁ ସମର୍ଥନ ଘୋଷଣା
ନୂଆଦିଲ୍ଲୀ, ୮ ଜୁନ (ହି.ସ.) : ତୃଣମୂଳ କଂଗ୍ରେସ (ଟିଏମସି)ର ବିଦ୍ରୋହୀ ସାଂସଦ କାକୋଲି ଘୋଷ ଦସ୍ତିଦାର ସୋମବାର ଦାବି କରିଛନ୍ତି ଯେ ଦଳର ଅନ୍ୟୁନ ୨୦ ଜଣ ସାଂସଦ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ରାଜଗ)କୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏ ସମ୍ପର୍କରେ ସେମାନେ ଲୋକସଭା ବାଚସ୍ପତି ଓମ ବିର୍ଲ
ଟିଏମସିରେ ସଙ୍କଟ ଗଭୀର ହେଲା ; କାକୋଲି ଘୋଷ ଦସ୍ତିଦାର ଙ୍କ ସହ ୨୦ ସାଂସଦଙ୍କ ଏନଡିଏକୁ ସମର୍ଥନ ଘୋଷଣା


ନୂଆଦିଲ୍ଲୀ, ୮ ଜୁନ (ହି.ସ.) : ତୃଣମୂଳ କଂଗ୍ରେସ (ଟିଏମସି)ର ବିଦ୍ରୋହୀ ସାଂସଦ କାକୋଲି ଘୋଷ ଦସ୍ତିଦାର ସୋମବାର ଦାବି କରିଛନ୍ତି ଯେ ଦଳର ଅନ୍ୟୁନ ୨୦ ଜଣ ସାଂସଦ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ରାଜଗ)କୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏ ସମ୍ପର୍କରେ ସେମାନେ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଅବଗତ କରାଇଥିବା ସୂଚନା ମିଳିଛି।

ପଶ୍ଚିମବଙ୍ଗର ବାରାସାତ ଲୋକସଭା ଆସନର ସାଂସଦ କାକୋଲି ଘୋଷ କହିଛନ୍ତି ଯେ ୨୦ ଜଣ ସାଂସଦଙ୍କ ପକ୍ଷରୁ ଲୋକସଭା ବାଚସ୍ପତିଙ୍କୁ ପୂର୍ବରୁ ଏକ ପତ୍ର ପଠାଯାଇଛି। ସେହି ପତ୍ରରେ କେନ୍ଦ୍ରରେ କ୍ଷମତାସୀନ ଏନଡିଏ ସରକାରକୁ ସମର୍ଥନ କରିବା ଇଚ୍ଛା ପ୍ରକାଶ କରାଯାଇଛି।

ଘୋଷ କହିଛନ୍ତି ଯେ ସେ ଲୋକସଭାରେ ଟିଏମସିର ମୁଖ୍ୟ ସଚେତକ (ଚିଫ୍ ୱିପ୍) ଭାବେ କାର୍ଯ୍ୟରତ ଅଛନ୍ତି ଏବଂ ଅନ୍ୟ ସାଂସଦମାନଙ୍କ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି। ତାଙ୍କୁ ମୁଖ୍ୟ ସଚେତକ ପଦରୁ ହଟାଇବା ନିଷ୍ପତ୍ତି ମନମୁଖୀ ଓ ଏକପାଖିଆ ବୋଲି ସେ ଅଭିଯୋଗ କରିଛନ୍ତି। ଦଳୀୟ ଅଧ୍ୟକ୍ଷ ତାଙ୍କ ସ୍ଥାନରେ ଅନ୍ୟ କାହାକୁ ନିଯୁକ୍ତ କରିଥିଲେ ମଧ୍ୟ ଏଥିରେ ସାଂବିଧାନିକ ଓ ସଂସଦୀୟ ସ୍ଥିତି ରାତାରାତି ବଦଳିଯାଏ ନାହିଁ ବୋଲି ସେ କହିଛନ୍ତି।

ଆମେ ଜନାଦେଶକୁ ସମ୍ମାନ ଦେଇଛୁ। ଆଗାମୀ ଦିନରେ ଆମର ରାଜନୈତିକ ଦିଗ ଏନଡିଏ ସହିତ ରହିବ ବୋଲି ଆମର ବିଶ୍ୱାସ, ବୋଲି କାକୋଲି ଘୋଷ କହିଛନ୍ତି।

ବର୍ତ୍ତମାନ ସଂସଦର ଉଭୟ ସଦନରେ ଟିଏମସିର ମୋଟ ୪୦ ଜଣ ସାଂସଦ ଅଛନ୍ତି। ସେଥିରୁ ଲୋକସଭାରେ ୨୮ ଜଣ ଏବଂ ରାଜ୍ୟସଭାରେ ୧୨ ଜଣ ସଦସ୍ୟ ଅଛନ୍ତି। ଏହିମଧ୍ୟରେ ସୁଖେନ୍ଦୁ ଶେଖର ରାୟ ଟିଏମସି ଏବଂ ରାଜ୍ୟସଭା ସଦସ୍ୟତାରୁ ଇସ୍ତଫା ଦେଇଥିବା ସୂଚନା ମିଳିଛି।

ବିଦ୍ରୋହୀ ସାଂସଦମାନେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କ ସହ ବୈଠକ କରିଥିବା ମଧ୍ୟ ଜଣାପଡ଼ିଛି। ଏହି ସାଂସଦମାନଙ୍କ ମଧ୍ୟରେ ବାପି ହାଲଦାର (ମଥୁରାପୁର), ଜୁନ୍ ମାଲିଆ (ମେଦିନୀପୁର), ଜଗଦୀଶ ବାସୁନିଆ (କୁଚବିହାର), କାଳୀପଦ ସୋରେନ (ଝାଡ଼ଗ୍ରାମ), ଅରୂପ ଚକ୍ରବର୍ତ୍ତୀ (ବାଙ୍କୁଡ଼ା), ପାର୍ଥ ଭୌମିକ (ବାରାକପୁର), ଶର୍ମିଲା ସରକାର (ବର୍ଦ୍ଧମାନ ପୂର୍ବ), ଡା. କାକୋଲି ଘୋଷ ଦସ୍ତିଦାର (ବାରାସାତ), ପ୍ରସୂନ ବାନାର୍ଜୀ (ହାୱଡ଼ା), ଶତାବ୍ଦୀ ରାୟ (ବୀରଭୂମ) ଏବଂ ଅସିତ ମାଲ (ବୋଲପୁର) ପ୍ରମୁଖ ଅଛନ୍ତି।

ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମସି ଦଳ ଭିତରେ ଅସନ୍ତୋଷ ଓ ଅନ୍ତର୍ଦ୍ୱନ୍ଦ୍ୱ ବଢ଼ୁଥିବା ବେଳେ ଏହି ଘଟଣାକ୍ରମ ସାମ୍ନାକୁ ଆସିଛି। ପଶ୍ଚିମବଙ୍ଗ ବିଧାନସଭାରେ ମଧ୍ୟ ଟିଏମସିର ୮୦ ଜଣ ବିଧାୟକଙ୍କ ମଧ୍ୟରୁ ୫୮ ଜଣ ଅସନ୍ତୋଷ ପ୍ରକାଶ କରିଥିବା ଦାବି କରାଯାଇଛି। ବିଧାନସଭା ବାଚସ୍ପତି ସେମାନଙ୍କ ପାଇଁ ସଦନରେ ପୃଥକ ବସିବା ବ୍ୟବସ୍ଥା କରିଥିବା ସୂଚନା ମିଳିଛି।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande