
ଗୌହାଟୀ, ୨୩ ଜୁଲାଇ (ହି.ସ.)- କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଦିନ ମୁଖ୍ୟମନ୍ତ୍ରୀ ଡଃ. ହିମନ୍ତ ବିଶ୍ୱ ଶର୍ମାଙ୍କ ସହ କଥା ହୋଇଥିଲେ ଏବଂ ଆସାମର ବନ୍ୟା ପରିସ୍ଥିତି ଅନୁଧ୍ୟାନ କରିଥିଲେ। ରାଜ୍ୟରେ ବନ୍ୟାରେ ଏପର୍ଯ୍ୟନ୍ତ ୪୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୮୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି। ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।
ଏହି ବାର୍ତାଳାପ ସମୟରେ କେନ୍ଦ୍ର ସରକାରଙ୍କ ତରଫରୁ ରାଜ୍ୟକୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦିଆଯିବ ବୋଲି ଅମିତ ଶାହ ଆଶ୍ୱାସନା ଦେଇଥିଲେ। ବନ୍ୟା ଦ୍ୱାରା ହୋଇଥିବା କ୍ଷୟକ୍ଷତିର ଆକଳନ କରିବା ଏବଂ ରିଲିଫ୍ ଏବଂ ପୁନର୍ବାସ କାର୍ଯ୍ୟର ସମୀକ୍ଷା କରିବା ପାଇଁ କେନ୍ଦ୍ର ସରକାରଙ୍କ ଏକ ପ୍ରତିନିଧି ଦଳ ଆଜି କିମ୍ବା ଆସନ୍ତାକାଲି ଆସାମରେ ପହଂଚିବେ।
ଏହି ସମୟରେ, ମୁଖ୍ୟମନ୍ତ୍ରୀ ଡଃ. ହିମନ୍ତ ବିଶ୍ୱ ଶର୍ମା କ୍ରମାଗତ ଦ୍ୱିତୀୟ ଦିନ ପାଇଁ ବନ୍ୟା ପ୍ରଭାବିତ ଅଂଚଳ ପରିଦର୍ଶନ କରିଛନ୍ତି। ସେ ଗୋଲାଘାଟ ଜିଲ୍ଲାର ବନ୍ୟା ପରିସ୍ଥିତିକୁ ଅନୁଧ୍ୟାନ କରିଥିଲେ ଏବଂ ନୁମାଲିଗଡ଼ର ରିଲିଫ କ୍ୟାମ୍ପ ଏବଂ ଗୋଲାଘାଟର କମାରବନ୍ଧାସ୍ଥିତ ଭାସ୍କର ସିନିୟର ବେସିକ୍ ସ୍କୁଲ ପରିଦର୍ଶନ କରି ପ୍ରଭାବିତ ଲୋକମାନଙ୍କୁ ଭେଟିଥିଲେ ଏବଂ ରିଲିଫ୍ କାର୍ଯ୍ୟର ସମୀକ୍ଷା କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ