
ନୂଆଦିଲ୍ଲୀ, ୨୩ ଜୁଲାଇ (ହି.ସ.)-ନିଟ ପେପର ଲିକ୍ ଏବଂ ଛାତ୍ରମାନଙ୍କ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନ ବିରୋଧରେ ଆଜି ସଂସଦର ମକର ଗେଟରେ ବିରୋଧୀ ସାଂସଦମାନେ ପ୍ରତିବାଦ କରିଥିଲେ।କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ, କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, କେସି ବେଣୁଗୋପାଳ, ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ, ରାଜୀବ ରଞ୍ଜନ ପପୁ ଯାଦବ, ଧର୍ମେନ୍ଦ୍ର ଯାଦବ, ଏବଂ ରାମଗୋପାଳ ଯାଦବଙ୍କ ସମେତ ଅନେକ ବିରୋଧୀ ସାଂସଦ ଏହି ପ୍ରତିବାଦରେ ଅଂଶଗ୍ରହଣ କରିଥିଲେ।ବିରୋଧୀ ସାଂସଦମାନେ ବଡ଼ ବଡ଼ ପୋଷ୍ଟର ଧରିଥିଲେ ଯେଉଁଥିରେ ଲେଖାଥିଲା, ଗଣତନ୍ତ୍ର ମରିଯାଉଛି। ସେମାନେ ସ୍ଲୋଗାନ ମଧ୍ୟ ଦେଇଥିଲେ, ଧର୍ମେନ୍ଦ୍ର ପ୍ରଧାନ, ଇସ୍ତଫା ଦିଅନ୍ତୁ! କଂଗ୍ରେସ ସାଂସଦ କେସି ଭେନୁଗୋପାଳ ଟ୍ୱିଟରରେ ଲେଖିଛନ୍ତି ଯେ ବିରୋଧୀ ସାଂସଦମାନେ ଦେଶର ଯୁବପିଢ଼ି ପାଇଁ ଏକତ୍ର ଲଢ଼ୁଛନ୍ତି। ସେ କହିଛନ୍ତି ଯେ ବିଜେପି ସମ୍ପୂର୍ଣ୍ଣ ଭାବରେ ଆତଙ୍କିତ ଏବଂ ନିଜର ଭାବମୂର୍ତ୍ତି ବଞ୍ଚାଇବା ପାଇଁ ମିଥ୍ୟା ଏବଂ ଧମକର ଆଶ୍ରୟ ନେଉଛି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଠାରୁ ଆରମ୍ଭ କରି ବିରୋଧୀ ନିଜର ମୂଳ ଦାବିରୁ ପଛକୁ ହଟିବେ ନାହିଁ।ସିପିଆଇ(ଏମ୍) ସାଂସଦ ଜନ୍ ବ୍ରିଟାସ୍ ସଂସଦ ପରିସରରେ କହିଥିଲେ ଯେ ବିରୋଧୀଙ୍କ ପ୍ରତିବାଦ କେବଳ ସଂସଦରେ ସୀମିତ ରହିବ ନାହିଁ ବରଂ ରାସ୍ତାରେ ମଧ୍ୟ ଜାରି ରହିବ। ସେ କହିଛନ୍ତି ଯେ ବିରୋଧୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଦୃଢ଼ ଅଛନ୍ତି ଏବଂ ଗୋଟିଏ ଇଞ୍ଚ ମଧ୍ୟ ପଛକୁ ହଟିବେ ନାହିଁ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା