
ନୂଆଦିଲ୍ଲୀ, ୨୩ ଜୁଲାଇ (ହି.ସ.)- ପ୍ରଶ୍ନପତ୍ର ଲିକ୍ ମାମଲାରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ କଠୋର ଦଣ୍ଡ ସୁନିଶ୍ଚିତ କରିବା ଲାଗି ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ୍ସ ପୋଷ୍ଟକୁ ବିରୋଧୀ ଦଳଗୁଡ଼ିକ ତୀବ୍ର ବିରୋଧ କରିଛନ୍ତି।
ପ୍ରଥମେ ଇସ୍ତଫା ଦିଅନ୍ତୁ, ତା ପରେ ଆଲୋଚନା କରନ୍ତୁ ବୋଲି ଟିଏମସି ସାଂସଦ ସାଗରିକା ଘୋଷ ସଂସଦ ବାହାରେ ଗଣମାଧ୍ୟମକୁ କହିଛନ୍ତି। ଆମେ ଗୃହରେ ନିଟ୍ ଉପରେ ଆଲୋଚନା ଦାବି କରୁଛୁ, କିନ୍ତୁ ଆଲୋଚନା ପୂର୍ବରୁ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଇସ୍ତଫା ଦେବାକୁ ପଡ଼ିବ। ଯଦି ସେ ଇସ୍ତଫା ନ ଦିଅନ୍ତି, ତେବେ ଆମେ ଆଲୋଚନା କରିବୁ ନାହିଁ। ଧର୍ମେନ୍ଦ୍ର ପ୍ରଧାନ କାହିଁକି ଇସ୍ତଫା ଦେବେ ନାହିଁ? ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ।
କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ-ମାର୍କ୍ସବାଦୀ (ସିପିଆଇ-ଏମ୍) ସାଂସଦ ଜନ୍ ବ୍ରିଟାସ୍ କହିଛନ୍ତି ଯେ, ଏହି ବିକ୍ଷୋଭ କେବଳ ସଂସଦରେ ସୀମିତ ରହିବ ନାହିଁ। ଆମେ ରାସ୍ତାକୁ ଓହ୍ଲାଇବୁ। ଆମେ ନିଷ୍ପତି ନେଇଛୁ ଯେ, ଆମେ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି ଉପରେ ଅଟଳ ରହିବୁ। ଆମେ ପଛକୁ ହଟିବୁ ନାହିଁ। ତାଙ୍କୁ ଇସ୍ତଫା ଦେବାକୁ ହେବ ।
ସମାଜବାଦୀ ପାର୍ଟି ସାଂସଦ ରାମ ଗୋପାଳ ଯାଦବ କହିଛନ୍ତି ଯେ, ଧର୍ମେନ୍ଦ୍ର ପ୍ରଧାନଙ୍କ କାର୍ଯ୍ୟକାଳରେ କେତେ ପ୍ରଶ୍ନପତ୍ର ଲିକ୍ ହୋଇଛି ସେ ବିଷୟରେ ଏକ ଶ୍ୱେତପତ୍ର ବାହାରିବା ଉଚିତ୍। କେତେ ଲୋକଙ୍କ ଉପରେ ମୋକଦ୍ଦମା ହୋଇଥିଲା, କେତେ ଜଣଙ୍କୁ ଦଣ୍ଡ ଦିଆଯାଇଥିଲା, କେତେ ଜଣ ଜେଲ୍ ଯାଇଥିଲେ, କେତେ ଜଣଙ୍କୁ ସଜା ଦିଆଯାଇଛି, ଏପର୍ଯ୍ୟନ୍ତ କିଛି ହୋଇନାହିଁ।
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରି ବିରୋଧୀ ଦଳମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହାର ଜବାବରେ ଭାରତୀୟ ଜନତା ପାର୍ଟି (ବିଜେପି) ମଧ୍ୟ ପ୍ରତିବାଦ କରିଥିଲା। ବିଜେପି ସାଂସଦ ଅରୁଣ ସିଂହ ସାଂସଦ ଜନ୍ ବ୍ରିଟାସ୍ଙ୍କ ହାତରୁ ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି ସମ୍ପର୍କିିତ ଏକ ବ୍ୟାନର ଛଡ଼ାଇ ନେଇଥିଲେ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ