
ନୂଆଦିଲ୍ଲୀ, 23
ଜୁଲାଇ(ହି.ସ) ଦେଶର ଯୁବପିଢ଼ିଙ୍କ କଲ୍ୟାଣ ଏବଂ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ ସରକାରଙ୍କ
ସର୍ବୋଚ୍ଚ ପ୍ରାଥମିକତା ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦୃଢ଼ ଭାବେ କହିଛନ୍ତି
।
ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ରଶ୍ନପତ୍ର
ପ୍ରଘଟ ଘଟଣାଗୁଡ଼ିକରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ଶୀଘ୍ର ଏବଂ କଠୋର ଦଣ୍ଡ ଦେବା ପାଇଁ ସରକାର
ଫାଷ୍ଟ-ଟ୍ରାକ୍ କୋର୍ଟ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏ ସମ୍ପର୍କରେ ଆବଶ୍ୟକ ପଦକ୍ଷେପ ନେବା ପାଇଁ ସମ୍ପୃକ୍ତ
ଅଧିକାରୀ ଏବଂ ବିଭାଗଗୁଡ଼ିକୁ ସେ ନିର୍ଦ୍ଦେଶ ଜାରି କରିଥିବା ଶ୍ରୀ ମୋଦୀ ସୂଚନା ଦେଇଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି, ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ନିଆଯାଉଥିବା କଠୋର ପଦକ୍ଷେପ
ଶୃଙ୍ଖଳାରେ ଏହି ନିଷ୍ପତ୍ତି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।
ଏକ କଡ଼ା ବାର୍ତ୍ତା ଦେଇ
ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ ଦେଶର ଯୁବପିଢ଼ିଙ୍କ ଭବିଷ୍ୟତ ସହିତ ଖେଳୁଥିବା ଲୋକଙ୍କ
ବିରୁଦ୍ଧରେ କଠୋରତମ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏବଂ ସେମାନଙ୍କୁ କୌଣସି ପରିସ୍ଥିତିରେ
ଛଡ଼ାଯିବ ନାହିଁ ।
ପ୍ରଧାନମନ୍ତ୍ରୀ ଏକ୍ସରେ
ଗୋଟିଏ ପୋଷ୍ଟ ମାଧ୍ୟମରେ ସୂଚନା ଦେଇ କହିଛନ୍ତି ଯେ, ‘‘ଦେଶର ଯୁବପିଢ଼ିଙ୍କ କଲ୍ୟାଣ ଏବଂ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ
ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ।
ପ୍ରଶ୍ନପତ୍ର ପ୍ରଘଟ ମାମଲାରେ
ଦୋଷୀମାନଙ୍କ ବିରୋଧରେ ତୁରନ୍ତ ଦଣ୍ଡାଦେଶ ଲାଗି,
ମାମଲାଗୁଡ଼ିକର ତ୍ୱରିତ ସମାଧାନ ନିମନ୍ତେ ଫାଷ୍ଟ ଟ୍ରାକ୍ ଅଦାଲତ ଗଠନ
କରାଯିବ । ଏ ସମ୍ପର୍କରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ସମ୍ପୃକ୍ତ ବିଭାଗକୁ
ନିର୍ଦ୍ଦେଶ ଦିଆଯାଇଛି ।
ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ
ରକ୍ଷା ପାଇଁ ନିଆଯାଉଥିବା କଠୋର ପଦକ୍ଷେପ ଶୃଙ୍ଖଳାରେ ଏହି ନିଷ୍ପତ୍ତି ଏକ ଗୁରୁତ୍ୱପୂର୍ଣ୍ଣ
ପଦକ୍ଷେପ । ଯୁବପିଢ଼ିଙ୍କ ଭବିଷ୍ୟତ ସହିତ ଖେଳୁଥିବା ଲୋକମାନଙ୍କୁ କୌଣସି ପରିସ୍ଥିତିରେ ଛଡ଼ାଯିବ
ନାହିଁ।’’
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା