
ନୂଆଦିଲ୍ଲୀ, ୨୪ ଜୁଲାଇ (ହି.ସ.)- ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ନିଟ୍ ପେପର ଲିକ୍ ମାମଲାର ଅଭିଯୁକ୍ତ ଶିବରାଜ ମୋଟଗାଁଭକରଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି। ସ୍ପେଶାଲ୍ ଜଜ୍ ଅଜୟ ଗୁପ୍ତା ଏହି ଆଦେଶ ଦେଇଛନ୍ତି।
ଜାମିନ ଆବେଦନର ବିରୋଧ କରି ସିବିଆଇ କହିଛି ଯେ, ମୋଟଗାଁଭକର ମହାରାଷ୍ଟ୍ରର ଲାତୁରରେ ଆରସିସି କ୍ଲାସେସ୍ର ମାଲିକ ଏବଂ ସେ ନିଟ୍ର କେମିଷ୍ଟ୍ରି ପେପରର ସେଂଟର ପ୍ରଫେସର ପିଭି କୁଲକର୍ଣ୍ଣୀଙ୍କ ସହ ଷଡଯନ୍ତ୍ର କରି ପ୍ରଶ୍ନପତ୍ର ବଦଳରେ ତାଙ୍କୁ ପାଂଚ ଲକ୍ଷ ଟଙ୍କା ଦେଇଥିଲେ। ପିଭି କୁଲକର୍ଣ୍ଣୀଙ୍କଠାରୁ ନିଟ୍ ପ୍ରଶ୍ନପତ୍ର ନେଇ ମୋଟଗାଁଭକର ଛାତ୍ରମାନଙ୍କୁ ଦେଇଥିଲେ। ସିବିଆଇ କହିଛି ଯେ, ନିଟ୍ର ଲିକ୍ ହୋଇଥିବା ପ୍ରଶ୍ନପତ୍ର ମୋଟଗାଁଭକରଙ୍କ ମୋବାଇଲରେ ମିଳିଥିଲା।
ଏହି ମାମଲାରେ ୧୨ ମଇରେ ଜଣେ ସରକାରୀ ଅଧିକାରୀଙ୍କ ଅଭିଯୋଗ ଆଧାରରେ ଏଫଆଇଆର ରୁଜୁ କରାଯାଇଥିଲା। ସିବିଆଇ ଭାରତୀୟ ନ୍ୟାୟ ସଂହିତା ଏବଂ ଦୁର୍ନୀତି ନିବାରଣ ଆଇନର ବିଭିନ୍ନ ବ୍ୟବସ୍ଥା ଅନୁଯାୟୀ ଏଫଆଇଆର ରୁଜୁ କରିଥିଲା। ୩ ମଇରେ ହୋଇଥିବା ନିଟ୍ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ହୋଇଥିବା ଅଭିଯୋଗ ପରେ ଏହି ପରୀକ୍ଷାକୁ ବାତିଲ୍ କରାଯାଇଥିଲା ଏବଂ ୨୧ ଜୁନ୍ରେ ପୁନର୍ବାର ପରୀକ୍ଷା ଆୟୋଜନ କରାଯାଇଥିଲା। କେନ୍ଦ୍ର ସରକାର ଏହି ମାମଲାର ସିବିଆଇ ତଦନ୍ତର ଆଦେଶ ଦେଇଥିଲେ। ନିଟ୍ ପେପର ଲିକ୍ ଘୋଟାଳା ମାମଲାରେ ଏପର୍ଯ୍ୟନ୍ତ ୧୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।
----------------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ