
ନୂଆଦିଲ୍ଲୀ, ୨୪ ଜୁଲାଇ (ହି.ସ.)- ନିଟ୍ ପେପର ଲିକ୍ ପରି ମାମଲାର ଶୀଘ୍ର ଶୁଣାଣି ପାଇଁ ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟରେ ଏକ ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ କରାଯାଇଛି। ଦିଲ୍ଲୀ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଡିକେ ଉପାଧ୍ୟାୟ ଏହି ଫାଷ୍ଟ ଟ୍ରାକ୍ କୋର୍ଟର ବିଚାରପତି ଭାବେ ଅନୁ ଗ୍ରୋଭର ବାଲିଗାଙ୍କୁ ନିଯୁକ୍ତ କରିଛନ୍ତି। ଫାଷ୍ଟ ଟ୍ରାକ୍ କୋର୍ଟର ଗଠନ ଏବଂ ଏହାର ବିଚାରପତିଙ୍କ ନିଯୁକ୍ତି ସମ୍ପର୍କିତ ଘୋଷଣା ଦିଲ୍ଲୀ ଉଚ୍ଚ ନ୍ୟାୟାଳୟର ରେଜିଷ୍ଟ୍ରାର ଜେନେରାଲ୍ ଅରୁଣ ଭରଦ୍ୱାଜଙ୍କ ସ୍ୱାକ୍ଷରରେ କରାଯାଇଛି।
ଫାଷ୍ଟ ଟ୍ରାକ୍ କୋର୍ଟର ଗଠନ ତୁରନ୍ତ ପ୍ରଭାବରୁ ଲାଗୁ ହୋଇଯାଇଛି, ଅର୍ଥାତ୍ ଆଜିଠାରୁ ଏହି କୋର୍ଟ କାମ ଆରମ୍ଭ କରିବ। ଫାଷ୍ଟ ଟ୍ରାକ୍ କୋର୍ଟ ସାର୍ବଜନୀନ ପରୀକ୍ଷାରେ ଘଟୁଥିବା ଅପରାଧ ସମ୍ବନ୍ଧୀୟ ମାମଲାର ଶୁଣାଣି କରିବ। ଏହି କୋର୍ଟ ପବ୍ଲିକ୍ ଏଗ୍ଜାମିନେସନ୍ (ପ୍ରିଭେନସନ୍ ଅଫ୍ ଅନଫେୟାର ମିନ୍ସ) ଆଇନ ଅନୁଯାୟୀ ରୁଜୁ ହୋଇଥିବା ମାମଲାର ଶୁଣାଣି କରିବ।
ଉଲ୍ଲେଖଯୋଗ୍ୟ ଯେ, ଜନ୍ତର-ମନ୍ତରରେ ଚାଲିଥିବା ବିରୋଧ ପ୍ରଦର୍ଶନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପେପର ଲିକ୍ ମାମଲାର ଶୁଣାଣି ପାଇଁ ଫାଷ୍ଟ ଟ୍ରାକ୍ କୋର୍ଟ ଗଠନର କଥା କହିଥିଲେ। ରାଉଜ୍ ଆଭେନ୍ୟୁ କୋର୍ଟରେ ଫାଷ୍ଟ ଟ୍ରାକ୍ କୋର୍ଟର ଗଠନକୁ ସେହି ନିଷ୍ପତିର ଏକ କଡ଼ି ଭାବେ ଦେଖାଯାଉଛି। ନିଟ୍ ପେପର ଲିକ୍ ମାମଲାରେ ଏପର୍ଯ୍ୟନ୍ତ ସିବିଆଇ ୧୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ୩ ମଇରେ ହୋଇଥିବା ନିଟ୍ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ହୋଇଥିବା ଅଭିଯୋଗ ପରେ ଏହି ପରୀକ୍ଷାକୁ ବାତିଲ୍ କରାଯାଇଥିଲା ଏବଂ ୨୧ ଜୁନ୍ରେ ପୁନର୍ବାର ପରୀକ୍ଷା ଆୟୋଜନ କରାଯାଇଥିଲା। କେନ୍ଦ୍ର ସରକାର ଏହି ମାମଲାର ସିବିଆଇ ତଦନ୍ତର ଆଦେଶ ଦେଇଥିଲେ।
-------------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ